ଆଜି ଅଲଗା ହେବ ବିକ୍ରମ ଲ୍ୟାଣ୍ଡର: ୧୫୩ କିମି x ୧୬୩ କିମି କକ୍ଷରେ ଚନ୍ଦ୍ରଯାନ-୩ – Utkal Mail
ବେଙ୍ଗାଲୁରୁ: ବୁଧବାର ସକାଳେ ଇସ୍ରୋ ଚନ୍ଦ୍ରଯାନ-୩ର ଆଉ ଏକ ମାନିଉଭର (କକ୍ଷପଥ ପରିବର୍ତ୍ତନ) ସମ୍ପନ୍ନ କରି ଏହାକୁ ଚନ୍ଦ୍ରର ପ୍ରାୟ ବୃତ୍ତାକାର ୧୫୩ କିମି x ୧୬୩ କିମି କକ୍ଷପଥରେ ସ୍ଥାପନ କରିଛି। ଏହାପରେ ପ୍ରପଲ୍ସନ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡିଂ ମଡ୍ୟୁଲରେ ଅଛି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର।
ଇସ୍ରୋ କହିଛି, ଆଜିର କକ୍ଷପଥ ପରିବର୍ତ୍ତନ ପରେ ଚନ୍ଦ୍ରଯାନ-୩ର ଚନ୍ଦ୍ର-ବନ୍ଧିତ ମାନିଉଭର ଶେଷ ହୋଇଛି। ଏହାପରେ ଅଲଗା ଯାତ୍ରା ପାଇଁ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଉ ୭ ଦିନ ପରେ ଅଗଷ୍ଟ ୨୩ରେ ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ବୁଧବାରର ମାନିଉଭର ପରେ ଗୁରୁବାର ଲ୍ୟାଣ୍ଡର ଅଲଗା ହେବା ପାଇଁ ଆଉ ଏକ ମାନିଉଭର ହେବ। ଏହାପରେ ବିକ୍ରମକୁ ପୁଣି ଏକ ଅଣ୍ଡାକାର କକ୍ଷପଥରେ ସ୍ଥାପନ କରାଯିବ। ଏଥିରେ ଚନ୍ଦ୍ରପୃଷ୍ଠରୁ ବିକ୍ରମର ଦୂରତମ ଦୂରତା ୧୦୦ କିମି ଓ ନିକଟତମ ଦୂରତା ୩୦ କିମି ରହିବ। ତା’ପରେ ଅନ୍ତିମ ଅବତରଣ ପାଇଁ ଉଦ୍ୟମ କରାଯିବ। ୩୦ କିମି x ୧୦୦ କିମି କକ୍ଷପଥରେ ବିକ୍ରମକୁ ସ୍ଥାପନ କରିବାର ପ୍ରକ୍ରିୟା ସଫଳ ହେଲେ ଅବତରଣର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବ। ଏଥିରେ ୩୦ କିମି ଉଚ୍ଚରୁ ବିକ୍ରମର ପରିବେଗକୁ ହ୍ରାସ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି।
ଜୁଲାଇ ୧୪ରେ ଉତ୍କ୍ଷେପିତ ଚନ୍ଦ୍ରଯାନ-୩ ବୁଧବାର ସୁଦ୍ଧା ମହାକାଶରେ ମୋଟ ୩୩ ଦିନ ଅତିବାହିତ କରିସାରିଲାଣି। ଜୁଲାଇ ୧୫ରୁ ୨୫ ଭିତରେ ଏହା ୫ଟି ପୃଥିବୀ-ବନ୍ଧିତ ମାନିଉଭର ସମ୍ପନ୍ନ କରିବା ପରେ ଅଗଷ୍ଟ ପହିଲାରେ ଚନ୍ଦ୍ରକକ୍ଷରେ ପ୍ରବେଶ ପ୍ରକ୍ରିୟା (ଟ୍ରାନ୍ସ-ଲୁନାର ଇଂଜେକ୍ସନ ବା ଟିଏଲ୍ଆଇ) ସମ୍ପନ୍ନ କରିଥିଲା ଏବଂ ଅଗଷ୍ଟ ୫ରେ ଲୁନାର ଅର୍ବିଟ ଇନ୍ସର୍ସନ (ଏଲ୍ଓଆଇ) ସମ୍ପନ୍ନ କରି ଚନ୍ଦ୍ରର ଅଣ୍ଡାକାର କକ୍ଷପଥରେ ପ୍ରବେଶ କରିଥିଲା। ଏହାପରେ ଚନ୍ଦ୍ରଯାନ-୩ ଏକାଧିକ ଚନ୍ଦ୍ର-ବନ୍ଧିତ ମାନିଉଭର ପରେ ବୁଧବାର ଚନ୍ଦ୍ରର ପ୍ରାୟ ବୃତ୍ତାକାର କକ୍ଷପଥରେ ପ୍ରବେଶ କରିଥିବା ଇସ୍ରୋ କହିଛି।