ବିରାଟ ବିସ୍ଫୋରଣ: ଘନଧୂଆଁ, ଚାରିଆଡ଼େ ଭଗ୍ନାବଶେଷ, ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ

ଅହମଦାବାଦ: ୨୪୨ ଜଣ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର୍ ଇଣ୍ଡିଆର ବୋଇଂ ୭୮୭ ବିମାନ ଆଜି ଅହମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ମେଘାନୀନଗର ଅଂଚଳରେ ପଡ଼ିଥିଲା। ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ଜଣେ ବ୍ୟକ୍ତି କହିଛନ୍ତି, ଏହା ଭୂମିକମ୍ପ ଭଳି ଅନୁଭବ ହୋଇଥିଲା ଏବଂ ଘନ ଧୂଆଁ ବ୍ୟାପିଯିବା ସହ ବିମାନର ଭଗ୍ନାବଶେଷ ସମଗ୍ର ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଥିଲା। ସେ କହିଛନ୍ତି, ମୁଁ ଘରେ ଥିବା ବେଳେ ଏକ ବିରାଟ ଶବ୍ଦ ଶୁଣିଲି। ଆମେ ଯେତେବେଳେ କ’ଣ ଘଟିଛି ଦେଖିବାକୁ ଗଲୁ, ସେତେବେଳେ ପବନରେ ଘନ ଧୂଆଁର ଏକ ସ୍ତର ଥିଲା। ଆମେ ଏଠାକୁ ଆସିବା ବେଳକୁ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା। ଦେଶକୁ ଚକିତ କରିଥିବା ଏହି ଦୁର୍ଘଟଣାରେ ବୋଇଂ ୭୮୭ ଡ୍ରିମ୍ଲାଇନର ବିମାନ (ଏଆଇ୧୭୧) ସାମିଲ ଥିଲା। ବିମାନଟି ତଳକୁ ଖସିବା ବେଳେ ଆକାଶରେ ଘନ କଳାଧୂଆଁ ଛାଇ ଯାଇଥିଲା। ଅହମଦାବାଦର ମେଘାନୀନଗର ଅଞ୍ଚଳରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଅପରାହ୍ଣ ପ୍ରାୟ ୨ଟା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ରାତି ସୁଦ୍ଧା ୨୦୪ ଜଣଙ୍କ ଶବ ଉଦ୍ଧାର ହୋଇଛି।
ହଷ୍ଟେଲ ଉପରେ ଖସିପଡ଼ିଲା ଧ୍ବସ୍ତ ବିମାନର ଅଂଶ, ୫ ମେଡିକାଲ ଛାତ୍ରଙ୍କ ମୃତ୍ୟୁ, ୪୦ ଜଣ ଆହତ
ଅହମଦାବାଦ: ଅହମଦାବାଦରେ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମ୍ଲାଇନର ବିମାନର ଏକ ବଡ଼ ଅଂଶ ବିଜେ ମେଡିକାଲ କଲେଜ ହଷ୍ଟେଲ୍ରେ ପିଟି ହୋଇଥିଲା ଏବଂ ଖଣ୍ଡ ଖଣ୍ଡ ହୋଇ ଜଳି ଯାଇଥିଲା। ଏହି ଘଟଣାରେ ମେଡିକାଲ କଲେଜ ହଷ୍ଟେଲ୍ରେ ୫ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଛି। ଏମାନଙ୍କ ମଧ୍ୟରେ ୪ ଜଣ ଅଣ୍ଡରଗ୍ରାଜୁଏଟ ଛାତ୍ର ଏବଂ ଜଣେ ପୋଷ୍ଟଗ୍ରାଜୁଏଟ୍ ଛାତ୍ର ଅଛନ୍ତି। ଦୁର୍ଘଟଣାସ୍ଥଳର ଚିତ୍ରରୁ ଦେଖିବାକୁ ମିଳିଛି ଯେ ହଷ୍ଟେଲ୍ କ୍ୟାଣ୍ଟିନ୍ର ଟେବୁଲ୍ରେ ଖାଦ୍ୟ ପ୍ଲେଟ୍ ଥୁଆ ହୋଇଛି। ଦୁର୍ଘଟଣା ସମୟରେ ମେଡିକାଲ ଛାତ୍ରମାନେ ଖାଉଥିଲେ ବୋଲି ଜଣାପଡ଼ିଛି। ବିମାନର ଏକ ଭଗ୍ନାଂଶ ବିଜେ ମେଡିକାଲ କଲେଜ ହଷ୍ଟେଲ୍ ଭିତରକୁ ପଶି ଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଦୁର୍ଘଟଣାରେ ୪୦ ଜଣ ଡାକ୍ତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି।
୫୮ ହଜାର ଲିଟର ଇନ୍ଧନ ଥିଲା? ନିଆଁହୁଳାରେ ପରିଣତ ହେଲା ବୋଇଂ ୭୮୭ ବିମାନ
ଅହମଦାବାଦ: ଅହମଦାବାଦ ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ ଏୟାର୍ ଇଣ୍ଡିଆର ବୋଇଂ ୭୮୭ ବିମାନ ଆଜି ନିଆଁହୁଳାରେ ପରିଣତ ହୋଇଯାଇଥିଲା। ମେଘାନୀନଗର ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଦମକଳ ବାହିନୀ, ବିଏସ୍ଏଫ୍ ଓ ଏନ୍ଡିଆର୍ଏଫ୍ ଟିମ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିବା ବେଳେ ୫ କିଲୋମିଟର ପର୍ଯ୍ୟନ୍ତ ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ବୋଇଂ ୭୮୭ ବିମାନ ୭୮୭-୮, ୭୮୭-୯ ଓ ୭୮୭-୧୦ ଭଳି ତିନୋଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି। ପ୍ରତ୍ୟେକ ମଡେଲରେ ଇନ୍ଧନ ଟାଙ୍କିର କ୍ଷମତା ସାମାନ୍ୟ ଅଲଗା, କିନ୍ତୁ ଏହା ପ୍ରାୟ ୧.୨୬ ଲକ୍ଷ ଲିଟର ଅର୍ଥାତ୍ ୩୩,୦୦୦-୩୩,୪୦୦ ଗ୍ୟାଲନ୍ ଇନ୍ଧନ ବହନ କରିପାରେ। ଓଜନ ହିସାବରେ କହିବାକୁ ଗଲେ ଏଥିରେ ୧ ଲକ୍ଷ କିଲୋଗ୍ରାମ୍ରୁ ଅଧିକ ଇନ୍ଧନ ରହିପାରେ। ଏହି ବିମାନ ଥରେ ଇନ୍ଧନ ଭରିବା ପରେ ଦିଲ୍ଲୀରୁ ନ୍ୟୁୟର୍କ କିମ୍ବା ଲଣ୍ଡନ ଭଳି ୧୩,୦୦୦ରୁ ୧୪,୦୦୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ। ଦୁର୍ଘଟଣାଗ୍ରସ୍ତ ବିମାନରେ ୫୮ ହଜାର ଲିଟର ଇନ୍ଧନ ଥିଲା। ସେଥିପାଇଁ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହା ଏକ ବିରାଟ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା।
ଦୁର୍ଘଟଣାଗ୍ରସ୍ତ ଏୟାର୍ ଇଣ୍ଡିଆ ବିମାନ ନମ୍ବର ଏଆଇ୧୭୧ ଥିଲା, ଯାହା ବାସ୍ତବରେ ବୋଇଂର ୭୮୭-୮ ମଡେଲ ଥିଲା। ଏୟାର୍ ଇଣ୍ଡିଆର ଫ୍ଲିଟ୍ରେ ଥିବା ବୋଇଂ ୭୮୭-୮ ଡ୍ରିମ୍ଲାଇନର୍ ବିମାନ କେବଳ ଆଧୁନିକ ଜ୍ଞାନକୌଶଳରେ ସଜ୍ଜିତ ନୁହେଁ ବରଂ ଏହାର ଇନ୍ଧନ ଦକ୍ଷତା ଓ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଉଡ଼ାଣ କ୍ଷମତା ଏହାକୁ ସ୍ୱତନ୍ତ୍ର କରିଥାଏ। ୨୦୧୨ରେ ଏୟାର୍ ଇଣ୍ଡିଆ ଏହାକୁ ନିଜ ଫ୍ଲିଟ୍ରେ ସାମିଲ କରିଥିଲା। ବିମାନରେ ଦୂରତା, ଯାତ୍ରୀସଂଖ୍ୟା, ଲଗେଜ୍ର ଓଜନ ଓ ପାଣିପାଗକୁ ଦେଖି ହିଁ ଇନ୍ଧନ ଭର୍ତ୍ତି ହୋଇଥାଏ।