ଓଡିଶା

ଡରରେ ନଇଁଲା ଇସ୍କନ, ନହେଲେ…

ଭୁବନେଶ୍ୱର : ଶେଷରେ ନଇଁଛି ଇସ୍କନ୍‌ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଚରମ ଚେତାବନୀ ଦେବା ପରେ ଇସ୍କନ ନରମି ଯାଇଛି । ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଖି ଆଗରେ ରଥଯାତ୍ରା ବନ୍ଦ କରିବାକୁ ଇସ୍କନ ବାଧ୍ୟ ହୋଇଛି । ଆମେରିକାର ହ୍ୟୁଷ୍ଟନ ସହରରେ ରଥଯାତ୍ରା ବଦଳରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରିବାକୁ ଇସ୍କନ ନିଷ୍ପତ୍ତି ନେଇଛି ।

ଆସନ୍ତା ୯ରେ ଇସ୍କନ ପକ୍ଷରୁ ଆମେରିକାର ହ୍ୟୁଷ୍ଟନ ସହରରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଥରେ ପତ୍ର ଲେଖିବା ପରେ ମଧ୍ୟ ଇସ୍କନ ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯାଇନଥିଲା । ଯେଉଁଥିପାଇଁ ଆଜି ସାମ୍ବାଦିକ ସମ୍ମିଳନୀ କରି ଗଜପତି ବର୍ଷିଥିଲେ । ସିଧାସିଧା କହିଥିଲେ, ଓଡ଼ିଆମାନେ ଧୈର୍ଯ୍ୟଶୀଳ ବୋଲି ଇସ୍କନ ମନମାନି କରୁଛି । ବର୍ଷ ବର୍ଷ ଧରି ଶ୍ରୀଜଗନ୍ନାଥ ସଂସ୍କୃତିର ପରମ୍ପରାକୁ କ୍ଷୁର୍ଣ୍ଣ କରାଯାଉଛି । ଏହାର ତୀବ୍ର ପ୍ରତିବାଦ କରାଯିବା ପରେ ଦେଶ ଭିତରେ ଆଉ ରଥଯାତ୍ରା ହେଉନାହିଁ । ଢେ଼ର ହୋଇଗଲା, ଏଥର କଡ଼ା ଜବାବ ଦିଆଯିବ ବୋଲି ଗଜପତି ମହାରାଜ ଚେତାବନୀ ଦେଇଥିଲେ ।

ସେହିପରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଗଜପତିଙ୍କ କଥାକୁ ସମ୍ମାନ ଜଣାଇଥିଲେ । ସରକାର ଜଗନ୍ନାଥ ସଂସ୍କୃତିର ସୁରକ୍ଷା କରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାହା ନିଷ୍ପତ୍ତି ନିଆଯିବ, ସରକାର ତାହାକୁ ମାନିବେ ବୋଲି କହିଥିଲେ ।

ସେହିପରି ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ପୁରୀ ମୁକ୍ତିମଣ୍ଡପ ସଭାପତି ବିଶ୍ୱନାଥ ମିଶ୍ର, ଆଦିତ୍ୟ ବାହିନୀ ମୁଖ୍ୟ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଗୋବର୍ଦ୍ଧନ ମଠ ପୀଠ ସଦସ୍ୟ ଡ଼ ପ୍ରଫୁଲ୍ଲ କୁମାର ରଥ, ଶ୍ରୀଜଗନ୍ନାଥ ବାହିନୀର ମୁଖ୍ୟ ନରେନ୍ଦ୍ର ପ୍ରସାଦ ନାୟକ, ଉତ୍କଳ ବିଦ୍ୟୁତ ପରିଷଦର ସଭାପତି ମନୋଜ ରଥ, ପ୍ରଫେସର ଅତୁଳ ସ୍କନ୍ଦ, ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷ ସୁଦର୍ଶନ ନାୟକ, କରୁଣାକର ପ୍ରଧାନ ପ୍ରମୁଖ ଅଦିନିଆ ରଥଯାତ୍ରାର ତୀବ୍ର ବିରୋଧ କରିଥିଲେ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରୀକ୍ଷେତ୍ର ସଂସ୍କୃତି ଯୁବମଞ୍ଚ ପକ୍ଷରୁ ଇସ୍କନର ଅଦିନିଆ ରଥଯାତ୍ରା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button