ଦେଶ ବିଦେଶ

ଆମେରିକା-ଚୀନ୍‌ ତିକ୍ତତା ବଢ଼ିଲା; ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ: ଆମେରିକା ପ୍ରତିରକ୍ଷା ସଚିବ

ୱାସିଂଟନ: ଶୁଳ୍କ ସର୍ତ୍ତକୁ ନେଇ ଚୀନ୍‌-ଆମେରିକା ସଂପର୍କ ହଠାତ୍‌  ତିକ୍ତ ହୋଇଉଠିଛି ଏବଂ ଉଭୟ ରାଷ୍ଟ୍ର ପରସ୍ପର ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେବାରେ ଲାଗିଛନ୍ତି।  ଗତକାଲି  ଚୀନ୍ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ ଆମେରିକା ସହ ଆମେ ଯେ କୌଣସି ପ୍ରକାର ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ। ଏଭଳି  ଧମକ ପରେ ଆମେରିକା  ଆଜି ଏହାର ଜବାବ ଦେଇଛି। ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗ୍‌ସେଥ୍‌  ଘୋଷଣା କରିଛନ୍ତି ଯେ ଚୀନ୍ ସହ ଯୁଦ୍ଧ ପାଇଁ ଆମେରିକା ମଧ୍ୟ ପ୍ରସ୍ତୁତ ଅଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଏବେ ଆମେରିକୀୟଙ୍କ ସ୍ବାର୍ଥ ରକ୍ଷା ପାଇଁ କଠୋର ନିଷ୍ପତ୍ତି ନେଉଛନ୍ତି। ଆମେ  ଯେ କୌଣସି ଆହ୍ବାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛୁ ବୋଲି ପ୍ରତିରକ୍ଷା ସଚିବ କହିଛନ୍ତି। ସୂଚନାଯୋଗ୍ୟ, ଆମେରିକାରେ ଥିବା ଚୀନ୍ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ୍‌ କରି କହିଥିଲା, ‘ଯଦି ଆମେରିକା ଯୁଦ୍ଧ ଚାହୁଛି ତା’ହେଲେ ଆମେ ଏଥିପାଇଁ ପ୍ରସ୍ତୁତ ରହିଛୁ।   ଶୁଳ୍କ ଯୁଦ୍ଧ ହେଉ କି ବାଣିଜ୍ୟ ଯୁଦ୍ଧ  କିମ୍ବା ଅନ୍ୟ କୌଣସି ପ୍ରକାରର ଯୁଦ୍ଧ  ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ପ୍ରସ୍ତୁତ ଅଛୁ।’

ଆମେରିକା ପ୍ରତିରକ୍ଷା ସଚିବ ପିଟ୍‌ ହେଗ୍‌ସେଥ୍‌ କହିଛନ୍ତି, ଶାନ୍ତି ସ୍ଥାପନା ପାଇଁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଦରକାର। ସଂଘର୍ଷକୁ ରୋକିବା ପାଇଁ ସାମରିକ ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ହେଗ୍‌ସେଥ୍ ଚୀନ୍‌ ଉଦ୍ଦେଶ୍ୟରେ କହିଛନ୍ତି।  ଆମେ ଆମ ସେନାକୁ ସର୍ବଶକ୍ତିମାନ କରୁଛୁ। ଶାନ୍ତି ପାଇଁ ଆମକୁ ସର୍ବାଧିକ ଶକ୍ତିଶାଳୀ ହେବାକୁ ପଡ଼ିବ ଏବଂ ଆମେରିକା ଏଥିରେ କୌଣସି ସାଲିସ କରେନାହିଁ ବୋଲି ପିଟ୍‌ କହିଛନ୍ତି।  ଚୀନ୍ କ୍ରମାଗତ ଭାବେ ନିଜର ସାମରିକ ଶକ୍ତି ବଢ଼ାଇବା ସହ ଏବେ ଆମେରିକାକୁ ନାଲି ଆଖି ଦେଖାଉଥିବାରୁ ଆମେରିକା ପ୍ରତିରକ୍ଷା ସଚିବ  ଏହାର ଦୃଢ଼ ଜବାବ ଦେଇଛନ୍ତି।  ସେ କହିଛନ୍ତି ଯେ ଚୀନ୍ ନିଜର ପ୍ରତିରକ୍ଷା ଖର୍ଚ୍ଚ  ଖୁବ୍ ଦ୍ରୁତ ଗତିରେ ବଢ଼ାଉଛି।  ଆମେରିକାର ସମକକ୍ଷ ହେବାପାଇଁ ଚୀନ୍‌ ଏଭଳି ନୀତିରେ କାମ କରୁଛି ବୋଲି ସେ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button