ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ, ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ

ଭୁବନେଶ୍ୱର : ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି । ଦ୍ରୁତ ଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟରେ ଗାଡି ଚଳାଇବା ଏବଂ ସଚେତନତା ଅଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବା ସହ ଧନଜୀବନ ହାନି ଘଟୁଛି । ତେଣୁ ରାସ୍ତା ଦୁର୍ଘଟଣାର ସବୁ କାରଣକୁ ଖୋଜିବା ସହ ଏହାର ନିରାକରଣ ଏବଂ ସଚେତନତା ସୃଷ୍ଟି କରି ଦୁର୍ଘଟଣା ହାରକୁ କମ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ପ୍ରତ୍ୟେକ ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ । ସଡ଼କ ସୁରକ୍ଷା ନେଇ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ସୁରକ୍ଷିତ ଘର ବାହୁଡ଼ା ଉପରେ ଗୁରୁତ୍ବ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନା ।
ଏହି ବୈଠକରେ ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛି । ନିୟମ ଭଙ୍ଗକାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ ନେବା । ନିୟମିତ ଚେକିଂ ସହ ହେବ ଜରିମାନା ଆଦାୟ କରିବା ସହ ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ ପାଇଁ ନିଷ୍ପତ୍ତି ହୋଇଛି । ଏପରିକି ରାଜ୍ୟରେ ସଡ଼କ ଦୁର୍ଘଟଣାର ସ୍ଥିତି, ଦୁର୍ଘଟଣାର କାରଣ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ, ଖରାପ ଥିବା ରାସ୍ତାର ମରାମତି, ମଦ୍ୟପାନ କରି ଗାଡି ଚାଳନାକୁ ରୋକିବା, ସିସି ଟିଭି ନେଟୱାର୍କ, ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଦୁର୍ଘଟଣାକୁ କମ କରିବା ଦିଗରେ ନିଆଯିବାକୁ ଥିବା ପଦକ୍ଷେପ ବିଷୟରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ଡିଜି ୱାଇବି ଖୁରାନିଆ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଓଏସଆରଟିସି ସିଏମଡି, ଦିପ୍ତେଶ ପଟ୍ଟନାୟକ, ପରିବହନ କମିଶନର ଅମିତାଭ ଠାକୁର, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ,ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ବିଭିନ୍ନ ସଦସ୍ୟମାନେ ଯୋଗ ଦେଇଥିଲେ ।