ରାଜନୀତି

ଭାଙ୍ଗିବା ଆବଶ୍ୟକତା ନାହିଁ, ଆପେ ଆପେ ଭାଙ୍ଗିଯିବ ବିଜେଡି : ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ବର: ଓଡ଼ିଶାରେ ବିଜେପି ୫୦ରୁ ୬୦ ଆସନ ଜିତିବାକୁ ଲକ୍ଷ୍ୟ ରଖିଛି ଓ ତାପରେ ବିଜେଡିକୁ ଭାଙ୍ଗି ସରକାର ଗଠନ କରିବ ବୋଲି ବିଜେଡି ନେତା ଭିକେ ପାଣ୍ଡିଆନ କହିବା ପରେ ଜବାବ ଦେଇଛି ବିଜେପି । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ଯଦି ବିଜେଡିର ନିଜସ୍ବ ସର୍ଭେ କହିସାରିଲାଣି ଯେ ୫୦ରୁ ଅଧିକ ଆସନରେ ବିଜେପି ଜିତିବ, ତାହାହେଲେ ‘ଦୁଇଗୁଣ ପଦ୍ମ, ଦୁଇଗୁଣ ବିକାଶ-ଏଥର ବିଜେପି ସରକାର’ । ସେ ଏପରି ମଧ୍ୟ କହିଥିଲେ କେତେକ ବିଜେଡି ନେତା ବିଜେପି ସଂପର୍କରେ ଅଛନ୍ତି ।

ସେହିପରି ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ୟ୍ୟ କହିଛନ୍ତି ବିଜେଡିକୁ ଭାଙ୍ଗିବାର ଆବଶ୍ୟକ ନାହିଁ । ବିଜେଡି ଆପେ ଆପେ ଭାଙ୍ଗି ଚୁରମାର ହୋଇଯିବ।

“ଓଡ଼ିଶାବାସୀ ୨୫ ବର୍ଷ ଧରି ବିଜେଡିକୁ ଭୋଟ ଦେଇ ନିର୍ବାଚିତ କରିଆସୁଛନ୍ତି। ବିଜେଡିର ନେତା ଲୋକଙ୍କ ସେବା‌ କରିବାକୁ ଶପଥ ନେଇଥିଲେ। ଏବେ ସେମାନେ ମଞ୍ଚରେ ଦେଖାଯାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହେଁ ବରଂ ରାଉଣ୍ଡ ନେତା ସାଜିଛନ୍ତି। ବିଜୁ ବାବୁଙ୍କୁ ଭାରତରତ୍ନ ଦେବା ପାଇଁ ଦାବି କରୁଥିବା ବିଜେଡିର ପୋଷ୍ଟର ଓ ବ୍ୟାନରରେ ଗୁମାସ୍ତାଙ୍କ ଫଟୋ ଲାଗିଛି। ଆମଦାନୀ ନେତା, କ୍ରୀତଦାସ ଓ ଗୁମାସ୍ତାଙ୍କ ଉପରେ ବିଜେଡି ନିର୍ଭରଶୀଳ। ତେଣୁ ବିଜେଡିକୁ ଭାଙ୍ଗିବାର ଆବଶ୍ୟକ ନାହିଁ। ବିଜେଡି ଆପେ ଆପେ ଭାଙ୍ଗି ଚୁରମାର୍‌ ହୋଇଯିବ” ସେ କହିଛନ୍ତି ।

ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ୟ୍ୟ କହିଥିଲେ, ବିଜେଡିକୁ ଭାଙ୍ଗିବାର ବିଜେପି ପ୍ରୟାସ କରୁଛି ବୋଲି ବିଜେଡିର ଦୁଇ ନମ୍ବର ନେତା ଗଣମାଧ୍ୟମରେ କହିବା ତାଙ୍କ ଅସହାୟତାକୁ ପ୍ରକାଶ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ବାବୁ ସଖୀ କଣ୍ଡେଇ ପାଲଟିଛନ୍ତି, କିଛି ଅଣଓଡ଼ିଆ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button