ବିଚାରପତିଙ୍କୁ ସତର୍କ କରାଇଲେ ସିଜେଆଇ: ଅବସର ପରେ ସରକାରୀ ପଦ ଗ୍ରହଣ ଓ ନିର୍ବାଚନ ଲଢ଼ିବା ଅନୁଚିତ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି (ସିଜେଆଇ) ଭୂଷଣ ଆର୍ ଗୱାଇ ବିଚାରପତିମାନଙ୍କୁ ଅବସର ପରେ ତୁରନ୍ତ ସରକାରୀ ପଦବି ଗ୍ରହଣ କରିବା କିମ୍ବା ନିର୍ବାଚନ ଲଢ଼ିବାରୁ ଦୂରେଇ ରହିବା ପାଇଁ କହିଛନ୍ତି। ଏଭଳି ଅଭ୍ୟାସ ‘ଗୁରୁତ୍ୱପୂର୍ଣ୍ଣ ନୈତିକ ଚିନ୍ତା’ ସୃଷ୍ଟି କରିବା ସହ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଜନସାଧାରଣଙ୍କ ବିଶ୍ୱାସ କମିଯାଉଛି ବୋଲି ସେ ସତର୍କ କରାଇ ଦେଇଛନ୍ତି। ମଙ୍ଗଳବାର ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରେ ନ୍ୟାୟିକ ସ୍ୱାଧୀନତା ଉପରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ରାଉଣ୍ଡଟେବୁଲ ସମ୍ମିଳନୀରେ ପ୍ରଧାନ ବିଚାରପତି ଗୱାଇ କହିଛନ୍ତି, ଯଦି କୌଣସି ବିଚାରପତି ଅବସର ନେବା ପରେ ତୁରନ୍ତ ଆଉ ଏକ ସରକାରୀ ପଦବୀ ଗ୍ରହଣ କରନ୍ତି କିମ୍ବା ନିର୍ବାଚନ ଲଢ଼ିବା ପାଇଁ ଖଣ୍ଡପୀଠରୁ ଇସ୍ତଫା ଦିଅନ୍ତି, ତେବେ ଏହା ଗୁରୁତ୍ୱପୂର୍ଣ୍ଣ ନୈତିକ ଚିନ୍ତା ସୃଷ୍ଟି କରିଥାଏ ଏବଂ ସର୍ବସାଧାରଣଙ୍କ ଯାଞ୍ଚକୁ ଆମନ୍ତ୍ରଣ କରିଥାଏ। ସିଜେଆଇ ଗୱାଇ କହିଛନ୍ତି ଯେ ସେ ଓ ତାଙ୍କର ଅନେକ ସହଯୋଗୀ ସରକାରଙ୍କଠାରୁ ଅବସର ପରବର୍ତ୍ତୀ କୌଣସି ଭୂମିକା ବା ପଦବି ଗ୍ରହଣ କରିବେ ନାହିଁ ବୋଲି ସାର୍ବଜନୀନ ଭାବେ ପ୍ରତିଶ୍ରୁତି ଦେଇଛନ୍ତି। ନ୍ୟାୟପାଳିକାର ବିଶ୍ୱସନୀୟତା ଓ ସ୍ୱାଧୀନତା ବଜାୟ ରଖିବା ପାଇଁ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି।
ନ୍ୟାୟପାଳିକାର ସ୍ବାଧୀନତା ଉପରେ ଲୋକଙ୍କ ଅସ୍ଥା କମୁଛି
୨୦୨୩ ଜାନୁଆରିରେ ସୁପ୍ରିମ୍କୋର୍ଟ ବିଚାରପତି ପଦରୁ ଅବସର ନେଇଥିବା ଜଷ୍ଟିସ ଏସ୍ଏ ନଜିର ଅବସର ନେବାର ୪୦ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହୋଇଥିଲେ। ନଭେମ୍ବର ୨୦୧୯ରେ ଅଯୋଧ୍ୟା ଜମିକୁ ହିନ୍ଦୁ ପକ୍ଷକୁ ହସ୍ତାନ୍ତର କରି ରାମ ଜନ୍ମଭୂମି ମାମଲାର ରାୟ ଶୁଣାଇଥିବା ପାଞ୍ଚଜଣିଆ ଖଣ୍ଡପୀଠରେ ଜଷ୍ଟିସ ନଜିର ସାମିଲ ଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଅଯୋଧ୍ୟା ଖଣ୍ଡପୀଠରେ ସେ ଏକମାତ୍ର ମୁସଲମାନ ଥିଲେ। ନଭେମ୍ବର ୨୦୧୯ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବାର ୪ ମାସ ପରେ ଜଷ୍ଟିସ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା, ଯାହାକୁ ନେଇ ବ୍ୟାପକ ସମାଲୋଚନା ହୋଇଥିଲା। ଜଷ୍ଟିସ ଗୋଗୋଇ ହେଉଛନ୍ତି ଦ୍ୱିତୀୟ ପ୍ରଧାନ ବିଚାରପତି ଯିଏ କି ଉଚ୍ଚ ସଦନର ସଦସ୍ୟ ହୋଇଥିଲେ। ପୂର୍ବତନ ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ରଙ୍କୁ କଂଗ୍ରେସ ରାଜ୍ୟସଭାକୁ ମନୋନୀତ କରିଥିଲା ଏବଂ ସେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଫାତିମା ବିବିଙ୍କୁ ତାମିଲନାଡୁର ରାଜ୍ୟପାଳ (୧୯୯୭-୨୦୦୧) ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବତନ ପ୍ରଧାନ ବିଚାରପତି ପି ସଦାଶିବମ୍ଙ୍କୁ କେରଳର ରାଜ୍ୟପାଳ (୨୦୧୪-୨୦୧୯) କରାଯାଇଥିଲା। ଜଷ୍ଟିସ କେ ସୁବ୍ବାରାଓ ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିବା ବେଳେ ଜଷ୍ଟିସ ମହମ୍ମଦ ହିଦାୟତୁଲ୍ଲା ୧୯୭୯ରୁ ୧୯୮୪ ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ହୋଇଥିଲେ। ସେହିପରି ଜଷ୍ଟିସ ଅରୁଣ ମିଶ୍ର ଅବସର ନେବାର ବର୍ଷକ ମଧ୍ୟରେ ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ଖଣ୍ଡପୀଠରୁ ବାହାରିବା ପରେ ହାଇକୋର୍ଟର ଅନେକ ବିଚାରପତି ତୁରନ୍ତ ଟ୍ରିବ୍ୟୁନାଲ ପଦବି ଗ୍ରହଣ କରିଛନ୍ତି। ବିଚାରପତିମାନେ ବାହ୍ୟ ନିୟନ୍ତ୍ରଣରୁ ମୁକ୍ତ ହେବା ଦରକାର ବୋଲି ପ୍ରଧାନ ବିଚାରପତି କହିଛନ୍ତି।