ଦେଶ ବିଦେଶ

ଡିଜିଟାଲ୍ ଆରେଷ୍ଟ୍‌ ଠକେଇ: ଶିଳ୍ପପତିଙ୍କୁ ୭ କୋଟି ଚୂନ

ଲୁଧିଆନା: ପୋଷାକ ନିର୍ମାତା ବର୍ଦ୍ଧମାନ ଗ୍ରୁପ୍ର ସିଏମ୍ଡି ଏସ୍ପି ଓସୱାଲଙ୍କ ଠାରୁ ଡିଜିଟାଲ ଆରେଷ୍ଟ୍ ଜରିଆରେ ଠକମାନେ ୭ କୋଟି ଟଙ୍କା ଲୁଟି ନେଇଛନ୍ତି। ତେବେ ପୁଲିସର ଖୋଳତାଡ଼ ପରେ କିଛି ଅଭିଯୁକ୍ତ ଧରା ପଡ଼ିବା ସହିତ ସେମାନଙ୍କ ଆକାଉଣ୍ଟରେ ଥିବା ୫.୨୫ କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ଜବତ କରାଯାଇଛି।

ସୂଚନା ଅନୁଯାୟୀ, ୮୨ ବର୍ଷୀୟ ଶ୍ରୀ ଓସୱାଲଙ୍କୁ ଏକ କଲ୍ ଆସିଥିଲା।

୯ ବଟନ ନଦବାଇଲେ ତାଙ୍କ ଫୋନ ସଂଯୋଗ ବିଚ୍ଛିନ୍ନ କରି ଦିଆଯିବ ବୋଲି କୁହାଯାଇଥିଲା। ସେ ୯ ଦବାଇବା ପରେ ଅନ୍ୟପଟୁ ସିବିଆଇର କୋଲାବା କାର୍ଯ୍ୟାଳୟରୁ ଫୋନ୍ ଆସିଥିବା କୁହାଯାଇଥିଲା। ତାଙ୍କ ନାମରେ ଏକ ଫୋନ ନମ୍ବର ଓ କାନାରା ବ୍ୟାଙ୍କରେ ଏକ ଖାତା ଥିବା କହିବା ସହ ଜେଟ୍ ଏୟାରୱେଜର ପୂର୍ବତନ ଅଧ୍ୟକ୍ଷ ନରେଶ ଗୋୟଲଙ୍କ ବ୍ୟବସାୟକୁ ନେଇ ହୋଇଥିବା ଅନିୟମିତତାରେ ସେ ଜଡ଼ିତ ଓ ସନ୍ଦିଗ୍ଧ ଥିବା ତାଙ୍କୁ କୁହାଯାଇଥିଲା। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସେ ଡିଜିଟାଲ ହେପାଜତରେ ରହିବେ। ଏହ ସମୟରେ ତାଙ୍କୁ ସୁରକ୍ଷା ଦିଆଯିବ, ତେଣୁ ତଦନ୍ତରେ ସହଯୋଗ କରିବାକୁ ଠକମାନେ କହିଥିଲେ। ଏକ ମନି ଲଣ୍ଡରିଂ ମାମଲାରେ ସେ ତଦନ୍ତର ସମ୍ମୁଖୀନ ହେଉଛନ୍ତି ବୋଲି ଠକମାନେ ତାଙ୍କୁ କହିଥିଲେ।

ତାଙ୍କ ପାଖକୁ ଆସିଥିବା ଭିଡିଓକଲ୍ରେ ଜଣେ ବ୍ୟକ୍ତି ତାଙ୍କୁ ମୁଖ୍ୟ ତଦନ୍ତକାରୀ ଅଧିକାରୀ ରାହୁଲ ଗୁପ୍ତା ବୋଲି ପରିଚୟ ଦେଇଥିଲା। ତାଙ୍କୁ ଭିଡିଓ ନିରୀକ୍ଷଣରେ ୨୪ ଘଣ୍ଟା ରଖାଯାଇଥିଲା। ଯେତେବେଳେ ସେ କୋଠରୀ ବାହାରକୁ ଯିବେ ସେତେବେଳେ ସେମାନଙ୍କୁ ଜଣାଇବାକୁ ପଡ଼ୁଥିଲା ଏବଂ ସେ ଫୋନକୁ ସାଥିରେ ନେଇ ଯାଉଥିଲେ ଯାହାଦ୍ବାରା ଠକମାନେ ତାଙ୍କୁ ଦେଖି ପାରୁଥିଲେ। ଠକମାନେ ସିବିଆଇ ଅଧିକାରୀ କହୁଥିଲେ ଏବଂ ସାଧା ପୋଷାକରେ ରହି ବେକରେ ପରିଚୟପତ୍ର ଓହଳାଇଥିଲେ। ଶ୍ରୀ ଓସୱାଲଙ୍କୁ ଏକ ନକଲି କୋର୍ଟରୁମ୍ ଦେଖାଯାଇଥିଲା ଏବଂ ଜଣେ ବ୍ୟକ୍ତି ନିଜକୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ପରିଚୟ ଦେଇ ତାଙ୍କ ମାମଲା ଶୁଣି ନିର୍ଦ୍ଦେଶନାମା ଜାରି କରିଥିଲେ। ଅଦାଲତଙ୍କ ରାୟକୁ ତାଙ୍କ ନିକଟକୁ ହ୍ବାଟ୍ସଆପ୍ରେ ପଠାଯାଇଥିଲା। ଏହା ପରେ ତାଙ୍କୁ ପୃଥକ୍ ଆକାଉଣ୍ଟରେ ୭ କୋଟି ଟଙ୍କା ଜମା କରିବାକୁ କୁହାଯାଇଥିଲା।

ଏନେଇ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ସାଇବରଅପରାଧ ସମନ୍ବୟ କେନ୍ଦ୍ରର ସହାୟତା ନେଇଥିଲା। ଯେଉଁ ୩ଟି ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ହୋଇଛି ତାହାକୁ ଜବତ କରାଯାଇ ଶ୍ରୀ ଓସ୍ୱାଲ୍ଙ୍କୁ ୫.୨୫ କୋଟି ଟଙ୍କା ଫେରାଯାଇଛି। ଏଭଳି ମାମଲାରେ ଉଦ୍ଧାର ହୋଇଥିବା ରାଶି ମଧ୍ୟରେ ଏହା ସର୍ବାଧିକ ବୋଲି ପୁଲିସ କହିଛି। ଏହି ମାମଲାରେ ଅନ୍ତଃରାଜ୍ୟ ଗ୍ୟାଙ୍ଗର ହାତ ରହିଛି। ଆସାମର ଗୌହାଟୀରୁ ଅତନୁ ଚୌଧୁରୀ ଓ ଆନନ୍ଦ କୁମାର ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାର ମାଷ୍ଟରମାଇଣ୍ଡ ରୁମି କଲିତାଙ୍କୁ ପୁଲିସ ଖୋଜୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button