ଦେଶ ବିଦେଶ

ସିରିଆରେ ସେନା-ଅସଦ୍‌ ସମର୍ଥକଙ୍କ ଭୟାନକ ସଂଘର୍ଷ: ୨ ଦିନରେ ୧୦୦୦ ନିହତ

ଦମାସ୍କସ: ସିରିଆ ସେନା ଓ ପୂର୍ବତନ ରାଷ୍ଟ୍ରପତି ବଶାର ଅଲ୍ ଅସଦଙ୍କ ସମର୍ଥକଙ୍କ ମଧ୍ୟରେ ଏବେ ଭୀଷଣ ସଂଘର୍ଷ ଜାରି ରହିଛି। ଏହି ହିଂସାକାଣ୍ଡରେ ୨ ଦିନରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୨୦୧୧ରେ ସିରିଆ ଗୃହଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି।  ଦୁଇ ଦିନ ମଧ୍ୟରେ ସୁରକ୍ଷାବାହିନୀ ଅଲାଭି ମୁସଲମାନ ସମ୍ପ୍ରଦାୟର ୭୪୫ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଫାଶୀ ଦିଆଯାଇଛି। ଏହାବ୍ୟତୀତ ୧୪୮ ଜଣ ଅସଦ ସମର୍ଥକ ଯୋଦ୍ଧା ମଧ୍ୟ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଅସଦ ସମର୍ଥକଙ୍କ ଆକ୍ରମଣରେ  ୧୨୫ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି।

ସିରିଆ ସରକାର କହିଛନ୍ତି ଯେ ଅସଦଙ୍କ ଅନୁଗତ ଯୋଦ୍ଧାମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପରେ ହିଂସାକାଣ୍ଡ ଘଟିଥିଲା। ସେପଟେ ଆବାସିକ ଅଂଚଳରେ ସୁରକ୍ଷା ବାହିନୀ ବୋମାମାଡ଼ କରିବା ପରେ ପରିସ୍ଥିତି ଭୟାନକ ରୂପ ନେଲା। ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷାବାହିନୀ କେତେକ ଅସଦ ସମର୍ଥକଙ୍କୁ   ଗିରଫ କରିବାକୁ ଚେଷ୍ଟା କରିବାରୁ ସଂଘର୍ଷ ଆରମ୍ଭ ହୋଇଥିଲା। ଏହାପରେ ସରକାର ଲାଟାକିଆ ଓ ଟାର୍ଟାସରେ ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିଛନ୍ତି। ଏଥିସହ ହିଂସା ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି। ଏହି ହିଂସା ଅବୁ ମହମ୍ମଦ ଅଲ୍-ଜୁଲାନିଙ୍କ ନେତୃତ୍ୱାଧୀନ ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।  ପୂର୍ବତନ ରାଷ୍ଟ୍ରପତି ବଶାର ଅଲ୍‌ ଅସଦଙ୍କ ଅନୁଗତ ଅଲଭି ସମ୍ପ୍ରଦାୟର ଗଡ଼ ବୋଲି କୁହାଯାଉଥିବା ଲାଟାକିଆ ଓ ଟାର୍ଟାସରେ ସେନା ଉପରେ ଆକ୍ରମଣ ପାଇଁ ଆଜି ମଧ୍ୟ ହଜାର ହଜାର ଜନତା ରାସ୍ତାକୁ ଓହ୍ଲାଇବାରୁ ଭୟାନକ ସ୍ଥିତି ଉପୁଜିଛି।  ଗତ ବର୍ଷ ଅସଦଙ୍କୁ ହଟାଯିବା ପରେ ସିରିଆରେ ଏହା ହେଉଛି ସବୁଠାରୁ ବଡ଼ ହିଂସାତ୍ମକ ସଂଘର୍ଷ।

ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୬ରେ ସିରିଆର ଗୃହଯୁଦ୍ଧ ଶେଷ ହେବା ପରଠାରୁ ଜୁଲାନି ନିଜ ଲଢୁଆମାନଙ୍କୁ ସୁଦୃଢ଼ କରୁଛନ୍ତି। ଚୀନ୍‌ର ଉଇଘୁର ମୁସଲମାନଙ୍କଠାରୁ ଆରମ୍ଭ କରି ଆରବ ଓ ମଧ୍ୟଏସିଆ ପର୍ଯ୍ୟନ୍ତ ଲୋକଙ୍କ ସହାୟତାରେ ସେ ନିଜର ସେନା ପ୍ରସ୍ତୁତ କରିଥିବା ବେଳେ ଏବେ ଏହାକୁ ବିଶାଳ ରୂପ ଦେବା ପ୍ରୟାସରେ ଅଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଉତ୍ପନ୍ନ ପରିସ୍ଥିତିର ଫାଇଦା ନେବାକୁ ଜୁଲାନି ଅପେକ୍ଷା କରିଥିଲେ। ୨୦୨୨ରେ ୟୁକ୍ରେନ  ଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ  ଏହି କାରଣରୁ ରୁଷିଆ ସିରିଆରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେଇଥିଲା। ଏହା ଜୁଲାନିଙ୍କୁ ସବୁ ଦିଗରୁ ସୁହାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button