ପାରାଦୀପରେ ମାଳମାଳ ସ୍ୱେଛାସେବୀ ସଙ୍ଗଠନ ମାନସିକ ବିକାରଗ୍ରସ୍ତଙ୍କୁ ମିଳୁନି ସହାୟତା
ପାରାଦୀପରେ ମାଳମାଳ ସ୍ୱେଛାସେବୀ ସଙ୍ଗଠନ ମାନସିକ ବିକାରଗ୍ରସ୍ତଙ୍କୁ ମିଳୁନି ସହାୟତା
ପାରାଦୀପ-୨୩ା୦୮- ବନ୍ଦର ସହର ପାରାଦୀପର ବିଭିନ୍ନ ସ୍ଥାନରେ ମାନସିକ ବିକାରଗ୍ରସ୍ତଙ୍କୁ ଦେଖିବାକୁ ମିଳେ । ନିଜ ପରିବାର ଠାରୁ ଅଲଗା ହୋଇ ରାସ୍ତାରେ ବୁଲୁଛନ୍ତି । ପାରାଦୀପର କିଛି ସାମାଜିକ ସଙ୍ଗଠନ ଏମାନଙ୍କୁ ଖାଦ୍ୟପେୟ ପ୍ରଦାନ କରିଥାନ୍ତି । ହେଲେ ବିଭିନ୍ନ ସମୟରେ ଏହି ମାନସିକ ବିକାରଗ୍ରସ୍ତମାନେ ଆହତ ହେଉଥିବା ଦେଖିବାକୁ ମିଳେ । ସେମାନଙ୍କ ଚିକିତ୍ସା ପାଇଁ କେହିବି ସହଯୋଗର ହାତ ନ ବଢେଇବା ଦୁଖ ଓ ପରିତାପର ବିଷୟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ସହରର ମୁଖ୍ୟ ମାର୍କେଟ ବଡପଡିଆର ଜୁବୁଲି ମାର୍କେଟ ନିକଟରେ । ପ୍ରାୟ ତିନି ଦିନ ତଳେ ବଡପଡିଆ ମାର୍କେଟର ବାଟା ଦୋକାନ ନିକଟରେ ଏକ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ବ୍ୟବସାୟୀ ବିଭୂତି ଭୂଷଣ ସାହୁ ସ୍ଥାନୀୟ ପାରିଷଦଙ୍କ ସ୍ୱାମୀ ଗୋଲେଖ ଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିଥିଲେ । ଏହି ଘଟଣାରେ ଏକ ଆମ୍ବୁଲାନ୍ସ ଯୋଗେ ଅଠରବାଙ୍କୀସ୍ଥିତ ମେଡିକାଲକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏହା ପର ଠାରୁ ଏହି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଏବେ ଯାହା ଖାଇଲେ ବାନ୍ତି କରି ଦେଉଛନ୍ତି । ଏହି ବ୍ୟକ୍ତିଙ୍କର ଉଚ୍ଚତର ଚିକିତ୍ସାର ଆବଶ୍ୟକତା ରହିଥିବା ଜଣାପଡିଛି । ପାରାଦୀପ ସହରରେ ମାଳମାଳ ସ୍ୱେଛାସେବୀ ସଙ୍ଗଠନ ରହିଛି । ଫଟୋ ଉଠାଇ ନିଜର ଢୋଲ ନିଜେ ପିଟୁଛନ୍ତି ହେଲେ ଏହି ମାନସିକ ବିକାରଗ୍ରସ୍ତଙ୍କୁ ସହାୟତା କରିବା ପାଇଁ କାହାରି ବି ଦେଖାନଥିବା ଚର୍ଚ୍ଚା ହେଉଛି । କେବଳ ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ଗଣମାଧ୍ୟମରେ ନିଜର ପ୍ରଚାର ଓ ପ୍ରସାରରେ ଏମାନେ ବ୍ୟସ୍ତ । ପ୍ରକୃତରେ ଏମାନେ କାହାର ସେବା କରନ୍ତି ତାହା ସେମାନଙ୍କୁ ଜଣା । ଗୋଟିଏ ବିସ୍କୁଟ ପ୍ୟାକେଟ୍ କୁ ୫ଜଣ ଧରି ମାନସିକ ବିକାରଗ୍ରସ୍ତଙ୍କୁ ଦେଉଥିବାର ଫଟୋ ସୋସିଆଲ୍ ମିଡିଆରେ ଛାଡିଥାନ୍ତି । ଆବଶ୍ୟକତା ବେଳେ ଏମାନେ ଦୁରେଇ ଯାଇଥାନ୍ତି କାହା ପାଇଁ ବା କାହା ସ୍ୱାର୍ଥରେ ଏମାନେ ସ୍ୱେଛାସେବୀ ସଙ୍ଗଠନ କରିଛନ୍ତି ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ମାନବ ସେବା ହିଁ ମାଧବ ସେବା କହି ବୁଲୁଥିବା ଏହି ସଙ୍ଗଠନମାନେ ବାସ୍ତବରେ ନିଜ ସେବା ଓ ଆତ୍ମପ୍ରଚାରରେ ବ୍ୟସ୍ତ ଯାହାକୁ କି ଜନସାଧାରଣ ନାପସନ୍ଦ କରିଛନ୍ତି ।