ପ୍ରତି ୧୦ ଭାରତୀୟ ଛାତ୍ରଙ୍କ ମଧ୍ୟରୁ ଜଣଙ୍କଠାରେ ଆତ୍ମହତ୍ୟା ପ୍ରବୃତ୍ତି: ସର୍ଭେ

ନୂଆଦିଲ୍ଲୀ: ଭାରତର କଲେଜ କ୍ୟାମ୍ପସଗୁଡ଼ିକରେ ନିରାଶାର ମହାମାରୀ ଛାଇଯାଇଛି। ନିକଟରେ ଭାରତୀୟ କଲେଜ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରବୃତ୍ତି ଉପରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ବିଗତବର୍ଷ ପ୍ରତି ୧୦ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା ଚିନ୍ତାରେ ଥିଲେ। ଭାରତରେ ଆତ୍ମହତ୍ୟା ହାର ବିଶ୍ୱରେ ସର୍ବାଧିକ, ଯେଉଁଥିରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରେ ଯୁବବର୍ଗଙ୍କ ସଂଖ୍ୟା ଅତ୍ୟନ୍ତ ଅଧିକ। ୨୦୧୯ ଫେବ୍ରୁଆରିରୁ ସେପ୍ଟେମ୍ବର ମଧ୍ୟରେ ହୋଇଥିବା ଏକ ମଲ୍ଟି-ଷ୍ଟେଟ୍ ସର୍ଭେରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ସଙ୍କଟ କେତେ ରହିଛି ତାହା ଜାଣିବାକୁ ଚେଷ୍ଟା କରାଯାଇଥିଲା।
ମେଲବର୍ନ ବିଶ୍ୱବିଦ୍ୟାଳୟ, ନିମ୍ହାନ୍ସ (ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍ଥ ଆଣ୍ଡ୍ ନ୍ୟୁରୋ ସାଇନ୍ସେସ୍) ଏବଂ ଅନେକ ଭାରତୀୟ ମେଡିକାଲ କଲେଜର ଗବେଷକଙ୍କ ନେତୃତ୍ୱରେ ୯ଟି ରାଜ୍ୟର ୩୦ଟି ବିଶ୍ୱବିଦ୍ୟାଳୟର ୮,୫୪୨ ଜଣ ଛାତ୍ରଛାତ୍ରୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ବିଗତ ବର୍ଷରେ ୧୨ ପ୍ରତିଶତ ଛାତ୍ରଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ୫ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଏଥିରୁ ଜଣାପଡ଼ିଛି। ଅର୍ଥାତ୍ ୪୦ ଜଣ ଛାତ୍ରଛାତ୍ରୀଙ୍କ କ୍ଲାସ୍ରୁମ୍ରେ ଅତି କମ୍ରେ ୫ ଜଣ ଆତ୍ମହତ୍ୟା କରିବାକୁ ଚିନ୍ତା କରିଛନ୍ତି ଏବଂ ୨ ଜଣ ଚେଷ୍ଟା କରି ସାରିଛନ୍ତି। ଏଗୁଡ଼ିକ କେବଳ ପରିସଂଖ୍ୟାନ ନୁହେଁ; ଏଗୁଡ଼ିକ ନିରବ ଦୁଃଖର କାହାଣୀ, ପରୀକ୍ଷା ଚାପ, ତିକ୍ତ ପାରିବାରିକ ସମ୍ପର୍କ ଓ ଅପ୍ରକାଶ୍ୟ ଚିନ୍ତାର କାହାଣୀ।
୨୦୨୪ର ଆଇସି୩ ଇନଷ୍ଟିଚ୍ୟୁଟ୍ ରିପୋର୍ଟ ଅନୁଯାୟୀ ଛାତ୍ର ଆତ୍ମହତ୍ୟା ବାର୍ଷିକ ୪ ପ୍ରତିଶତ ବୃଦ୍ଧି ପାଉଛି, ଯାହା ଜାତୀୟ ଆତ୍ମହତ୍ୟା ହାରଠାରୁ ଦୁଇଗୁଣ। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ତଥ୍ୟ ଅନୁଯାୟୀ ୨୦୧୩ରେ ୬,୬୫୪ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୨ରେ ଏହା ୧୩,୦୪୪କୁ ବୃଦ୍ଧି ପାଇଛି। ୨୦୨୦ରେ ୮ ପ୍ରତିଶତ ଥିବା ବେଳେ ୨୦୨୨ରେ ଏହା ୧୦ ପ୍ରତିଶତ ଥିଲା। ଅଧିକ ବିପଦ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତାମିଲନାଡୁ ରହିଛି, ଯେଉଁଠାରେ ୧୫-୨୯ ବର୍ଷ ବୟସର ଛାତ୍ରଛାତ୍ରୀ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ସମ୍ଭ୍ରାନ୍ତ ଅନୁଷ୍ଠାନଗୁଡ଼ିକରେ ସଙ୍କଟ ତୀବ୍ର ହୋଇଛି। ୨୦୧୯ରୁ ୨୦୨୩ ମଧ୍ୟରେ ଆଇଆଇଟି, ଏନ୍ଆଇଟି ଓ ଆଇଆଇଏମ୍ରେ ୯୮ ଜଣ ଆତ୍ମହତ୍ୟା କରିଥିବା ବେଳେ କେବଳ ଆଇଆଇଟିରେ ୩୯ ଜଣ ଆତ୍ମହତ୍ୟା କରିଛନ୍ତି, ଯେଉଁଥିରେ ଆଇଆଇଟି ମାଡ୍ରାସରେ ସର୍ବାଧିକ ଆତ୍ମହତ୍ୟା ହୋଇଛି। ଆଇଆଇଟିରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ୬୧ ପ୍ରତିଶତ ଛାତ୍ରଛାତ୍ରୀ ଶିକ୍ଷାଗତ ଚାପକୁ ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି। ଚାକିରି ବଜାର ଅସ୍ଥିରତା ଚିନ୍ତାର ଅନ୍ୟତମ କାରଣ।
୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ୨୫ ବର୍ଷରୁ କମ୍ ବୟସର ଯୁବକଯୁବତୀଙ୍କ ମଧ୍ୟରୁ ୪୨ ପ୍ରତିଶତ ବେକାର ଏବଂ ଆନୁଷ୍ଠାନିକ ନିଯୁକ୍ତି ୫.୩ ପ୍ରତିଶତ ହ୍ରାସ ପାଇଛି। ପାରିବାରିକ ଓ ସାମାଜିକ ଚାପ ଦୁଃଖକୁ ଆହୁରି ବଢ଼ାଇଥାଏ। ଅନେକ ଛାତ୍ରଛାତ୍ରୀ ଅଭିଭାବକଙ୍କ ଆଶା ପୂରଣ କରି ନ ପାରି ଚାପଗ୍ରସ୍ତ ହୁଅନ୍ତି, ଯେଉଁଠାରେ ବିଫଳତାକୁ ଲଜ୍ଜାଜନକ ଭାବରେ ଦେଖାଯାଏ। ମାନସିକ ସ୍ୱାସ୍ଥ୍ୟ ସହାୟତା ବି ପର୍ଯ୍ୟାପ୍ତ ନୁହେଁ। ମାତ୍ର ୪୧ ପ୍ରତିଶତ ଛାତ୍ରଛାତ୍ରୀ (୧୫-୨୪ ବର୍ଷ ବୟସ୍କ) ସାହାଯ୍ୟ ମାଗିବାରେ ସହଜ ଅନୁଭବ କରନ୍ତି। ଆଇଆଇଟି ଓ ଏନ୍ଆଇଟିରେ କମ୍ କାଉନସେଲର-ଟୁ-ଷ୍ଟୁଡେଣ୍ଟ ଅନୁପାତ ଥିବାରୁ ଛାତ୍ରଛାତ୍ରୀ ମାନସିକ ସହାୟତାରୁ ବଞ୍ଚିତ ହେଉଛନ୍ତି। ‘ମନୋଦର୍ପଣ’ ଭଳି ସରକାରୀ ପଦକ୍ଷେପ ରହିଛି କିନ୍ତୁ ତାହା ପ୍ରଭାବହୀନ ରହିଛି। ଭାବନାତ୍ମକ ଯନ୍ତ୍ରଣା ପ୍ରାୟତଃ ମୂଳ କାରଣ ହୋଇଥିବା ବେଳେ ମଦ୍ୟପାନ ଓ ଗଞ୍ଜେଇ ସେବନ ପ୍ରାୟତଃ ଉତ୍ପ୍ରେରକ ଭାବରେ କାମ କରିଥାଏ। ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ଆତ୍ମହତ୍ୟା ଚିନ୍ତାଧାରା ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଦ୍ୟପାନ ବୃଦ୍ଧି ଏବଂ ଆତ୍ମହତ୍ୟା ଉଦ୍ୟମ ମଧ୍ୟରେ ଏକ ସ୍ପଷ୍ଟ ସମ୍ପର୍କ ରହିଛି। ଯେଉଁମାନେ ଶିକ୍ଷାଗତ ଚାପ କିମ୍ବା ବ୍ୟକ୍ତିଗତ ଅଶାନ୍ତିରୁ ବର୍ତ୍ତିବା ପାଇଁ ବାରମ୍ବାର ମଦ୍ୟପାନ କରନ୍ତି, ସେମାନଙ୍କ ଭିତରେ ଆତ୍ମହତ୍ୟା ଚିନ୍ତା ଅଧିକ ଦେଖିବାକୁ ମିଳେ। ସେହିଭଳି ଗଞ୍ଜେଇ ସେବନ ଆତ୍ମହତ୍ୟା ଉଦ୍ୟମର ସମ୍ଭାବନାକୁ ଯଥେଷ୍ଟ ବୃଦ୍ଧି କରିଛି।