୨୦ ସର୍ବାଧିକ ପ୍ରଦୂଷିତ ସହର ଭିତରେ ଭାରତର ୧୩: ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରକାଶିତ ଏକ ନୂତନ ରିପୋର୍ଟ ଅନୁଯାୟୀ ବିଶ୍ୱର ପ୍ରମୁଖ ୨୦ଟି ପ୍ରଦୂଷିତ ସହର ମଧ୍ୟରୁ ୧୩ଟି ଭାରତରେ ଥିବାବେଳେ ଆସାମର ବିରନୀହାଟ ଏହି ତାଲିକାର ଶୀର୍ଷରେ ରହିଛି। ସୁଇସ୍ ଏୟାର କ୍ୱାଲିଟି ଟେକ୍ନୋଲୋଜି କମ୍ପାନି ଆଇକ୍ୟୁଏୟାର ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୪ରେ କୁହାଯାଇଛି ଯେ, ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ହୋଇଥିବା ବେଳେ ୨୦୨୪ରେ ଭାରତ ବିଶ୍ୱର ପଞ୍ଚମ ସର୍ବାଧିକ ପ୍ରଦୂଷିତ ଦେଶ ଭାବେ ସ୍ଥାନ ପାଇଛି।
ରିପୋର୍ଟରେ କୁହାଯାଇଛି ଯେ ୨୦୨୪ରେ ଭାରତରେ ପିଏମ୍ ୨.୫ ସାନ୍ଦ୍ରତାରେ ୭ ପ୍ରତିଶତ ହ୍ରାସ ଘଟିଛି, ଯାହା କି ୨୦୨୩ରେ ୫୪.୪ ମାଇକ୍ରୋଗ୍ରାମ୍ ପ୍ରତି ଘନମିଟର ତୁଳନାରେ ହାରାହାରି ୫୦.୬ ମାଇକ୍ରୋଗ୍ରାମ୍ ରହିଛି। ତଥାପି ବିଶ୍ୱର ୧୦ଟି ପ୍ରଦୂଷିତ ସହର ମଧ୍ୟରୁ ୬ଟି ଭାରତରେ ରହିଛି। ଦିଲ୍ଲୀ କ୍ରମାଗତ ଭାବେ ଉଚ୍ଚ ପ୍ରଦୂଷଣ ସ୍ତରରେ ରେକର୍ଡ କରିଛି। ଏଠାରେ ବାର୍ଷିକ ହାରାହାରି ପିଏମ୍ ୨.୫ ସାନ୍ଦ୍ରତା ଘନମିଟର ପିଛା ୯୧.୬ ମାଇକ୍ରୋଗ୍ରାମ୍, ଯାହା କି ୨୦୨୩ରେ ଘନମିଟର ପିଛା ୯୨.୭ ମାଇକ୍ରୋଗ୍ରାମ୍ ତୁଳନାରେ ପ୍ରାୟ ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ୨୦ ପ୍ରଦୂଷିତ ସହର ମଧ୍ୟରେ ଥିବା ୧୩ଟି ଭାରତୀୟ ସହର ହେଉଛି- ବରନୀହାଟ, ଦିଲ୍ଲୀ, ମୁଲ୍ଲାନପୁର (ପଞ୍ଜାବ), ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗାନଗର, ଗ୍ରେଟର ନଏଡା, ଭିୱାଡି, ମୁଜାଫରନଗର, ହନୁମାନଗଡ଼ ଓ ନଏଡା। ମୋଟାମୋଟି ଭାବେ ୩୫ ପ୍ରତିଶତ ଭାରତୀୟ ସହରରେ ବାର୍ଷିକ ପିଏମ୍ ୨.୫ ସ୍ତର ଘନମିଟର ପିଛା ୫ ମାଇକ୍ରୋଗ୍ରାମ୍ର ‘ହୁ’ ସୀମାଠାରୁ ୧୦ ଗୁଣ ଅଧିକ ରହିଛି।
ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ରାଜଧାନୀ
ଭାରତ ବିଶ୍ବର ପଞ୍ଚମ ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର
ବାୟୁ ପ୍ରଦୂଷଣ ଭାରତରେ ଏକ ଗମ୍ଭୀର ସ୍ୱାସ୍ଥ୍ୟ ବିପଦ ହୋଇ ରହିଛି, ଯାହା ଆନୁମାନିକ ୫.୨ ବର୍ଷ ପର୍ଯ୍ୟନ୍ତ ଆୟୁଷ ହ୍ରାସ କରିଥାଏ। ଗତ ବର୍ଷ ପ୍ରକାଶିତ ଲାନ୍ସେଟ୍ ପ୍ଲାନେଟାରି ହେଲ୍ଥ ଅଧ୍ୟୟନ ଅନୁଯାୟୀ, ୨୦୦୯ରୁ ୨୦୧୯ ମଧ୍ୟରେ ଭାରତରେ ପ୍ରତିବର୍ଷ ପ୍ରାୟ ୧.୫ ନିୟୁତ ମୃତ୍ୟୁ ପିଏମ୍ ୨.୫ ପ୍ରଦୂଷଣର ଦୀର୍ଘକାଳୀନ ସଂସ୍ପର୍ଶରେ ଆସିବା ସହିତ ଜଡ଼ିତ ଥିଲା। ପିଏମ୍ ୨.୫ ହେଉଛି ୨.୫ ମାଇକ୍ରନରୁ କ୍ଷୁଦ୍ର ବାୟୁ ପ୍ରଦୂଷକ କଣିକା, ଯାହା ଫୁସଫୁସ ଓ ରକ୍ତ ପ୍ରବାହରେ ପ୍ରବେଶ କରିପାରେ। ଏହା ଶ୍ୱାସକ୍ରିୟାରେ ସମସ୍ୟା, ହୃଦରୋଗ ଏବଂ ଏପରିକି କର୍କଟ ରୋଗର କାରଣ ହୋଇପାରେ। ଏଥିରେ ଯାନବାହନ ନିଷ୍କାସନ, ଶିଳ୍ପ ନିର୍ଗମନ ଏବଂ କାଠ କିମ୍ବା ଫସଲ ବର୍ଜ୍ୟବସ୍ତୁ ପୋଡିବା ଅନ୍ତର୍ଭୁକ୍ତ।
ହୁ’ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶଦାତା ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ ଭାରତ ବାୟୁ ଗୁଣବତ୍ତା ତଥ୍ୟ ସଂଗ୍ରହରେ ଅଗ୍ରଗତି କରିଛି କିନ୍ତୁ ପର୍ଯ୍ୟାପ୍ତ କାର୍ଯ୍ୟାନୁଷ୍ଠାନର ଅଭାବ ରହିଛି। ସେ କହିଛନ୍ତି, ଆମ ପାଖରେ ତଥ୍ୟ ଅଛି; ଏବେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। କିଛି ସମାଧାନ ସହଜ, ଯେପରିକି ବାୟୋମାସ୍ (କାଠ-କୋଇଲା) ବଦଳରେ ଏଲ୍ପିଜି ବ୍ୟବହାର କରିବା। ଭାରତରେ ଏଥିପାଇଁ ପୂର୍ବରୁ ଏକ ଯୋଜନା ରହିଛି, କିନ୍ତୁ ଆମକୁ ଅତିରିକ୍ତ ସିଲିଣ୍ଡରକୁ ଅଧିକ ସବସିଡି ଦେବାକୁ ପଡିବ। ପ୍ରଥମ ସିଲିଣ୍ଡର ମାଗଣା, କିନ୍ତୁ ଗରିବ ପରିବାର, ବିଶେଷ କରି ମହିଳାମାନଙ୍କୁ ଅଧିକ ସବସିଡି ମିଳିବା ଦରକାର। ସହରଗୁଡ଼ିକରେ ସାର୍ବଜନୀନ ପରିବହନ ବୃଦ୍ଧି ଏବଂ ନିର୍ଦ୍ଦିଷ୍ଟ କାର୍ ଉପରେ ଜରିମାନା ଆଦାୟ କରିବା ସହାୟକ ହୋଇପାରେ। ପ୍ରୋତ୍ସାହନ ଓ ଜରିମାନାର ମିଶ୍ରଣ ଜରୁରୀ ବୋଲି ସେ କହିଛନ୍ତି।