ତାରା ବାହିନୀପତି ୭ ଦିନ ପାଇଁ ଗୃହରୁ ନିଲମ୍ବିତ

ଭୁବନେଶ୍ବର : ତାରା ବାହିନୀପତି ୭ ଦିନ ପାଇଁ ଗୃହରୁ ନିଲମ୍ବିତ ହୋଇଛନ୍ତି । ତାରାଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ଗତକାଲି ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଥିଲେ ତାରା । ଆଜି ମଧ୍ୟ ଗୃହରେ ହଙ୍ଗାମା କରିଥିଲେ ତାରା ବାହିନୀପତି । ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବାବେଳେ ଦୁଇ ବିଧାୟକ ଜୟନାରାୟଣ ମିଶ୍ର ଏବଂ ତାରା ବାହିନୀପତିଙ୍କ ମଧ୍ୟ ହାତାହାତି ପରିସ୍ଥିତି ଉପୁଜିଥିଲା। ପ୍ରବଳ ହଙ୍ଗାମା ଯୋଗୁଁ ଗୃହ ଚାଲିପାରିନଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା। ଉଭୟ ବିରୋଧୀ ଦଳର ସଦସ୍ୟମାନେ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। ଜୟ ନାରାୟଣ ପ୍ରସଙ୍ଗ ଉଠାଇ ବିଜେଡି ପ୍ରତିବାଦ କରିଥିଲା। ଏବଂ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ଗୃହରେ ହଙ୍ଗାମା କରିଥିଲା । ଏପରିକି ରିପୋର୍ଟରଙ୍କ ଟେବୁଲ ଉପରେ ଚଢି କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ। ଅନ୍ୟପଟେ ନିଲମ୍ବିତ ତାରା ରାତିସାରା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିବେ ବୋଲି ସୂଚନା ଦେଇଛନ୍ତି । ଦଳୀୟ ବିଧାୟକମାନେ ପ୍ରତିକ୍ରିୟା ରଖି ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି କହିବା ସହ ନିଲମ୍ବନ ଉଠାଇବା ପାଇଁ ଦାବି କରିଛନ୍ତି ।