ଦେଶ ବିଦେଶ

ରୁଷ୍ ଉପରେ ୟୁକ୍ରେନର ପ୍ରଚଣ୍ଡ ଆକ୍ରମଣ: ୩୩୭ ଡ୍ରୋନ୍‌ ଖସାଇଲା ରୁଷିଆ, ୩ ମୃତ, ୩ ଶିଶୁଙ୍କ ସମେତ ୧୮ ଆହତ

ମସ୍କୋ: ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧରେ ରୁଷ୍‌ ଉପରେ ୟୁକ୍ରେନ୍ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ରୁଷୀୟ ବାୟୁସେନା ୧୦ଟି ଅଞ୍ଚଳରେ ୩୩୭ଟି ୟୁକ୍ରେନୀୟ ଡ୍ରୋନ୍‌କୁ ରାତାରାତି ଖସାଇ ଦେଇଛି ବୋଲି ସାମରିକ ଅଧିକାରୀମାନେ ମଙ୍ଗଳବାର କହିଛନ୍ତି। ଆମେରିକା ଅଧିକାରୀମାନେ ଶାନ୍ତି ଆଲୋଚନାକୁ ପ୍ରୋତ୍ସାହନ ଦେଉଥିବା ବେଳେ ଏହି ଘଟଣା ଘଟିଛି। ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପର ସବୁଠାରୁ ବଡ଼ ସଂଘର୍ଷକୁ କିପରି ରୋକାଯାଇ ପାରିବ ସେ ନେଇ ସାଉଦି ଆରବରେ ଗୁରୁତ୍ୱପୂର୍ଣ୍ଣ ୟୁକ୍ରେନ-ଆମେରିକା ଆଲୋଚନା ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଏହି ଆକ୍ରମଣ ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଶିଶୁଙ୍କ ସମେତ ୧୮ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ସମ୍ପର୍କରେ ୟୁକ୍ରେନ୍ କିମ୍ବା ଆମେରିକା ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ଏହାର ଜବାବରେ ରୁଷ୍‌ କିବ୍‌ ସମେତ ୟୁକ୍ରେନର ୧୩ଟି ଅଞ୍ଚଳରେ ଆକ୍ରମଣ ଜାରି ରଖିଛି।

୩  ମୃତ, ୩ ଶିଶୁଙ୍କ ସମେତ ୧୮ ଆହତ
ରୁଷ୍‌ର ପାଲଟା ଆକ୍ରମଣ ଜାରି

ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତି ଅନୁଯାୟୀ, ୟୁକ୍ରେନର ଅଧିକାଂଶ ଡ୍ରୋନ୍ ରାତାରାତି ରୁଷ୍ ଉପରକୁ ନିକ୍ଷେପ କରାଯାଇଥିଲା – ସେଥିମଧ୍ୟରୁ ୧୨୬ଟି କୁର୍ସ୍କ ଅଞ୍ଚଳରେ ଖସାଇ ଦିଆଯାଇଥିଲା, ଯାହାର କିଛି ଅଂଶ ୟୁକ୍ରେନ୍ ସେନା ନିୟନ୍ତ୍ରଣରେ ଥିଲା ଏବଂ ମସ୍କୋ ଅଞ୍ଚଳରେ ୯୧ଟି ଡ୍ରୋନ୍‌ ଖସାଇ ଦିଆଯାଇଥିଲା। ମସ୍କୋର ମେୟର ସେର୍ଗେଇ ସୋବିୟାନିନ୍ କହିଛନ୍ତି ଯେ ରୁଷ୍‌ର ରାଜଧାନୀକୁ ଟାର୍ଗେଟ୍ କରି ୭୦ରୁ ଅଧିକ ଡ୍ରୋନ୍ ପକାଯାଇଥିଲା, ଯାହାକୁ ରୁଷ୍ ଖସାଇ ଦେଇଥିଲା। ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ୟୁକ୍ରେନ ସୀମାରେ ଥିବା ବେଲଗୋରୋଡ, ବ୍ରାୟନସ୍କ ଓ ଭୋରୋନେଜ୍ ଏବଂ ରୁଷ୍‌ର ଗଭୀର ଭିତରକୁ ଥିବା କାଲୁଗା, ଲିପେସ୍କ, ନିଜନି ନୋଭଗୋରୋଡ, ଓରିଓଲ ଓ ରିୟାଜାନ ଅନ୍ତର୍ଭୁକ୍ତ। ରାଜଧାନୀ ଆଖପାଖ ମସ୍କୋ ଅଞ୍ଚଳର ଗଭର୍ଣ୍ଣର ଆନ୍ଦ୍ରେଇ ଭୋରୋବିଓଭ କହିଛନ୍ତି ଯେ, ଏହି ଆକ୍ରମଣରେ ଅନେକ ଆବାସିକ କୋଠା ଓ ଅନେକ କାର୍ କ୍ଷତିଗ୍ରସ୍ତ ହୋଇଛି। ଲିପେସ୍କ ଅଞ୍ଚଳର ଏକ ରାଜପଥରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ଗଭର୍ଣ୍ଣର ଇଗୋର୍ ଆତୀମୋନୋଭ କହିଛନ୍ତି। ସୋବିୟାନିନ୍ କହିଛନ୍ତି ଯେ ମସ୍କୋର ଏକ କୋଠାର ଛାତ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମସ୍କୋ ଅଞ୍ଚଳକୁ ଲାଗି ରହିଥିବା ତୁଲା ଓ ଭ୍ଲାଦିମିର ଅଞ୍ଚଳରେ ଡ୍ରୋନ୍ ଖସାଯାଇଥିବା ନେଇ ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଫେବ୍ରୁଆରି ୨୮ରେ ରାଷ୍ଟ୍ରପତି ବୋଲଦିମିର ଜେଲେନସ୍କିଙ୍କ ହ୍ୱାଇଟ୍ ହାଉସ୍ ଗସ୍ତ ସମୟରେ ଅଭୂତପୂର୍ବ ଯୁକ୍ତିତର୍କ ହେବା ପରେ ସାଉଦି ଆରବରେ ଆଜି ହୋଇଥିବା ଆଲୋଚନା ଏକ ନୂତନ କୂଟନୈତିକ ପ୍ରୟାସକୁ ପ୍ରତିଫଳିତ କରୁଛି। ୟୁକ୍ରେନର ଅଧିକାରୀମାନେ କହିଛନ୍ତି ଯେ ସେମାନେ କୃଷ୍ଣ ସାଗରରେ ଅସ୍ତ୍ରବିରତି ପ୍ରସ୍ତାବ ଦେଇଛନ୍ତି ଯାହା ସୁରକ୍ଷିତ ଜାହାଜ ଚଳାଚଳକୁ ସୁନିଶ୍ଚିତ କରିବ। ଏଥି ସହ ୟୁକ୍ରେନରେ ସାଧାରଣ ନାଗରିକଙ୍କ ଉପରେ ହେଉଥିବା ଦୀର୍ଘ ଦୂରତାର କ୍ଷେପଣାସ୍ତ୍ର ଆକ୍ରମଣ ବନ୍ଦ କରିବା ଏବଂ କଏଦୀମାନଙ୍କୁ ମୁକ୍ତ କରିବା ଉପରେ ବୈଠକରେ ଜୋର୍‌ ଦିଆଯାଇଛି। ଅନ୍ୟପକ୍ଷରେ କ୍ରେମ୍‌ଲିନ ସ୍ପଷ୍ଟ କରିଦେଇଛି ଯେ ସାଉଦୀ ଆଲୋଚନାର କୌଣସି ଏକପାଖିଆ ନିଷ୍ପତ୍ତି ଗ୍ରହଣୀୟ ହେବନାହିଁ। ୟୁକ୍ରେନ ନାଟୋରେ ଯୋଗ ଦେବା ପାଇଁ ଉଦ୍ୟମ ବନ୍ଦ କରିବା ସର୍ତ୍ତରେ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ବୋଲି ରୁଷ୍ କହିଛି। ଏହା ସହିତ ଦଖଲ କରିଥିବା ୟୁକ୍ରେନୀୟ ଅଞ୍ଚଳକୁ ରୁଷୀୟ ମାନ୍ୟତା ଦେବାକୁ ବି ରୁଷ୍‌ ସର୍ତ୍ତ ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button