ଓଡିଶାରେ ବନୀକରଣ ବିଫଳତା

ଭୁବନେଶ୍ଵର:ବୃକ୍ଷ ହିଁ ପରିବେଶର ରକ୍ଷା କବଚ। ଜଙ୍ଗଲ କ୍ଷୟ ଜଳବାୟୁ ଓ ପରିବେଶର ସନ୍ତୁଳନରେ ବାଧକ ରୂପେ ଦଣ୍ଡାୟମାନ, ଯାହା ତାପମାତ୍ରା ବୃଦ୍ଧିର ଅସଲ କାରଣ। ପାହାଡ଼ଭରା ରାଜ୍ୟ ଉତ୍ତରାଖଣ୍ଡରେ ୨୦୦ରୁ ଊର୍ଦ୍ଧ୍ବ ଝରଣା ଓ ପ୍ରାକୃତିକ ଜଳପ୍ରବାହ ପ୍ରାୟ ଲୁପ୍ତ ହେବା ଉପରେ। ଝରଣାଗୁଡ଼ିକର ପୁନରୁଦ୍ଧାର ପାଇଁ ବୈଜ୍ଞାନିକ ଚିନ୍ତା କରୁଥିବା ନେଇ ନିକଟରେ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା। ଝରଣା ଶୁଷ୍କ ହେବା ଯୋଗୁଁଁ ବହୁ ନଦୀରେ ପୂର୍ବଭଳି ଜଳଧାରା ପ୍ରବାହିତ ହେଉନାହିଁ। ବହୁ ଝରଣା ଜଳ ପ୍ରବାହ ଯାହା ଦିନେ ବନ୍ୟଜନ୍ତୁଙ୍କ ଜୀବନ ନାଟିକା ଥିଲା, ତାହା ଶୁଷ୍କ ହେବା ଯୋଗୁଁଁ ଜଳକଷ୍ଟରୁ ବର୍ତ୍ତିବା ପାଇଁ ହାତୀ ଓ ଅନ୍ୟ ପଶୁଜଗତ ସହରମୁହାଁ। ଅନିୟନ୍ତ୍ରିତ ବିକାଶର ଦୌଡ଼ରେ ସବୁଜ ଜଗତକୁ ନଷ୍ଟ କରାଯିବା ଦ୍ୱାରା ଆର୍ଦ୍ରତା ବୃଦ୍ଧି ପାଇଛି। ନିକଟରେ ଏକ ସନ୍ଦର୍ଭରେ ପ୍ରକାଶିତ ହୋଇଥିଲା ଯେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ୪୧୪ କିଲୋମିଟର ହେକ୍ଟର ଦୀର୍ଘ ଜଙ୍ଗଲ ହରାଇଛି।
ପୂର୍ବପୁରୁଷ ଆମ ଭଳି ଡ଼ିଗ୍ରୀଧାରୀ ପଣ୍ଡିତ ନ ଥିଲେ; କିନ୍ତୁ ପରିବେଶ ଉପରେ ଯଥେଷ୍ଟ ସଚେତନ ଥିଲେ ଯାହାଦ୍ୱାରା ପ୍ରତି ଗ୍ରାମର ନଦୀତୁଠ, ବନ୍ଧ ହୁଡାରେ ବୃକ୍ଷର ତୋଟା ସୃଷ୍ଟି କରି ଗ୍ରାମର ପରିବେଶକୁ ସୁରକ୍ଷିତ ରଖୁଥିଲେ। ଗାଁ ମୁହଁରେ, ନଦୀ ତୁଠରେ ଆମ୍ବ, ଜାମୁକୋଳି ଗଛ, ବର ଓ ଅଶ୍ୱତ୍ଥ ଗଛ ପରିବେଶକୁ ସୁରକ୍ଷିତ ରଖୁଥିଲା। ସମୁଦ୍ରତଟରେ ତାଳଗଛ, ଜାମୁକୋଳି ଗଛ, କାଜୁ, ନଡ଼ିଆ ଗଛ ଓ ଝାଉଁ ବଣର ପ୍ରଚୁର ବୃକ୍ଷଭଣ୍ଡାର ପରିବେଶକୁ ସୁରକ୍ଷିତ ରଖୁଥିଲା। ଏସବୁ ଲୋପ ପାଇବା ଫଳରେ ପାଣିପାଗରେ ବିଭ୍ରାଟ ସୃଷ୍ଟି ହୋଇ ଋତୁଚକ୍ରକୁ ଦୁର୍ବଳ କରୁଛି। ଏହିସବୁ ବୃକ୍ଷରାଜି ଧ୍ୱଂସ ହେବା ଦ୍ୱାରା ଅନାବୃଷ୍ଟି ଦେଖାଦେଉଛି। ମୁଖ୍ୟତଃ ଜଙ୍ଗଲ ଓ ପାହାଡ଼ ଅଞ୍ଚଳରେ ଖଣି ଖନନ ହୋଇଥାଏ। ଏହା କୌଣସି ନିର୍ଦ୍ଦିଷ୍ଟ ଦେଶରେ ସୀମାବଦ୍ଧ ହୋଇ ରହିନାହିଁ। ସମଗ୍ର ବିଶ୍ୱରେ ଅତ୍ୟଧିକ ଖଣି ଖୋଳା, ଜଙ୍ଗଲ କ୍ଷୟ ଦ୍ୱାରା ଜମି ବଞ୍ଜର ହୋଇ ପଡ଼ିବା ଦ୍ୱାରା ପ୍ରାକୃତିକ ରଚନା ବାଧାପ୍ରାପ୍ତ ହୋଇ ଋତୁଚକ୍ର ପ୍ରକ୍ରିୟାରେ ଅସନ୍ତୁଳନ ସ୍ଥିତି ସୃଷ୍ଟି କରିଥାଏ। ଖଣି ଖନନ ହେଉଥିବା ସ୍ଥାନରେ ବୃକ୍ଷ କାଟିବା ବଦଳରେ ନୂତନ ଚାରାରୋପଣ ପାଇଁ ବିଧିବଦ୍ଧ ଓ ଉତ୍ତରଦାୟୀ ବ୍ୟବସ୍ଥା ନାହିଁ। କେଉଁ କାଳରୁ ବଞ୍ଚିତ ରହିଥିବା ପୁରୁଣା ବୃକ୍ଷ ଯାହା ପ୍ରାଣୀଜଗତକୁ ଅମ୍ଳଜାନ ପ୍ରଦାନ କରୁଥିଲା ସେସବୁର ବିନାଶ ପରିବେଶର ଅବନତି ପାଇଁ ଦାୟୀ। ଆମେ ଯେତେ ପ୍ରଚାର କରୁନା କାହିଁକି, ଜଙ୍ଗଲ କ୍ଷୟ ପ୍ରବଳ ଭାବରେ ବୃଦ୍ଧି ପାଇଛି। ବୃକ୍ଷରାଜିର ବିନାଶ ଦ୍ୱାରା ପାଣିପାଗରେ ଭାରସାମ୍ୟ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଯେଉଁ ସବୁ ଚାରା ଲଗା ଚାଲିଛି, ରକ୍ଷଣାବେକ୍ଷଣ ଅଭାବରୁ ଅଧିକ ସ୍ଥାନରେ ଏହା ସ୍ଥାୟୀ ହୋଇପାରୁନାହିଁ। ଚାରାରୋପଣ କାର୍ଯ୍ୟକ୍ରମ ଏକାଧିକ ବିଭାଗ ଦ୍ୱାରା ହେଉଥିଲେ ସୁଦ୍ଧା ଏହି କାର୍ଯ୍ୟକ୍ରମରେ ଏକାଗ୍ରତା, ସମନ୍ୱୟ ଓ ଉତ୍ତରଦାୟିତ୍ୱର ଅଭାବ ପରିଲକ୍ଷିତ ହେଉଛି। ୧୯୮୦ରେ ଚାରାରୋପଣ ଓ ଜଙ୍ଗଲ ସୃଷ୍ଟି ପାଇଁ ସାମାଜିକ ଜଙ୍ଗଲ ଯୋଜନା ଆରମ୍ଭ ହୋଇଥିଲା, ଯାହା ଗ୍ରାମାଞ୍ଚଳରେ ବଞ୍ଜର ଜମି ଓ ନଦୀପଠାରେ ଜଙ୍ଗଲ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବିଶ୍ୱ ଉତ୍ତାପକରଣର ପ୍ରତିକାର ପାଇଁ ୨୦୧୮ ମସିହାରେ ପଞ୍ଚାୟତିରାଜ ବିଭାଗ ଦ୍ୱାରା ମୃତ୍ତିକା କ୍ଷୟ ରୋକିବା, ଜଳ ବିଭାଜିକା ସୃଷ୍ଟି ପାଇଁ ଓ ଜୀବନଜୀବିକାକୁ ସଶକ୍ତ କରିବା ସକାଶେ ସରକାରୀ ଓ ବେସରକାରୀ ପତିତ ଜମିରେ ଚାରାରୋପଣ ପାଇଁ ଯୋଜନା କରାଯାଇଥିଲା ଏବଂ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ମଧ୍ୟ ବିଭିନ୍ନ ଫଳନ୍ତି ଚାରାରୋପଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କୃଷି ବିଭାଗର ଯୋଜନାରେ ଗ୍ରାମାଞ୍ଚଳରେ ଜୀବନଜୀବିକାର ବିକାଶ ପାଇଁ ବିଭିନ୍ନ ଫଳଚାରା ଚାଷ ପାଇଁ ଯୋଜନା ହୋଇଛି। ସେହିଭଳି ଜଙ୍ଗଲ ବିଭାଗ ଦ୍ୱାରା କ୍ଷତିଭରଣ ବନୀକରଣ ଯୋଜନା, ନଦୀ ଅବବାହିକା ବନୀକରଣ ଯୋଜନା, ବନ ସଂରକ୍ଷଣ ସମିତି ଯୋଜନା, ଜଙ୍ଗଲ ପୁନଃଉଦ୍ଧାର ଯୋଜନା ଭଳି ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ଗୋଟିଏ ଉଦ୍ଦେଶ୍ୟରେ ଏକାଧିକ ବିଭାଗ ଚାରାରୋପଣ ଓ ଜଙ୍ଗଲ ସୃଷ୍ଟି ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି; କିନ୍ତୁ ଜିଲାସ୍ତରରେ ଏହିସବୁ କାର୍ଯ୍ୟରେ ସମନ୍ୱୟ ରଖିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଚାରାରୋପଣ ଓ ପୋଷଣ କାର୍ଯ୍ୟ କେବେ ହେଁ ସଫଳ ହେବ ନାହିଁ ଯେତେଦିନ ପର୍ଯ୍ୟନ୍ତ ନାଗରିକଙ୍କୁ ବନ ସଂରକ୍ଷଣ ଓ ଚାରାରୋପଣ କାର୍ଯ୍ୟରେ ସାମିଲ କରା ନଯାଇଛି।
ଚାରାରୋପଣ କ୍ଷେତ୍ରରେ ଏକାଗ୍ରତା ଆଣିବା ପାଇଁ ଏହି ଲେଖକ ପୂର୍ବ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ତା୨୭/୦୬/୨୦୨୩ରେ ଓ ବର୍ତ୍ତମାନର ସରକାରଙ୍କୁ ବିଗତ ଜୁନ୍ ମାସରେ ଏକ ସ୍ମାରକପତ୍ର ଦେଇଛି। ବର୍ତ୍ତମାନ ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ଏହା ଉପରେ ଅନୁଧ୍ୟାନ କରିବା ପାଇଁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କୁ ପଠାଇଥିବା ଜଣାଯାଏ। ମୋର ଏହି ପ୍ରସ୍ତାବରେ ପ୍ରତି ଗ୍ରାମରେ ନାଗରିକ, ଯୁବକ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଧିବଦ୍ଧ ଭାବରେ ଅନୁଦାନ ଦେଇ ନଦୀ ପଠା, ବନ୍ଧ ହୁଡା, ସମୁଦ୍ର ତଟ ଓ ରାସ୍ତା ପାର୍ଶ୍ବରେ ଫଳନ୍ତି ବୃକ୍ଷ ଯଥା – ଜାମୁକୋଳି, ବରକୋଳି, ବଉଳ କୋଳି, ଆମ୍ବ, ପଣସ, ନିମ୍ବ, ଓସ୍ତ ଓ ବରଗଛ ପ୍ରଭୃତି ରୋପଣ କରାଯିବା ପାଇଁ ଉଲ୍ଲେଖ ରହିଛି ଏବଂ ବ୍ଲକ ଓ ଜିଲାସ୍ତରରେ ଚାରାରୋପଣ କାର୍ଯ୍ୟକ୍ରମର ନିୟନ୍ତ୍ରଣ ଓ ପରିଚାଳନା ପାଇଁ ସମନ୍ୱୟ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଦେଇଛି। ପ୍ରତି ପଞ୍ଚାୟତରେ ସ୍ଥାନ ବିଶେଷରେ ଅନ୍ୟୂନ ୫, ୦୦୦ ଚାରା ରୋପଣ ଓ ପୋଷଣ ଦିଗରେ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବ ଗୋଷ୍ଠୀଙ୍କୁ ଅନୁଦାନ ପ୍ରଦାନ କରାଯାଇ ଫଳନ୍ତି ବୃକ୍ଷର ଆୟକୁ ଗ୍ରାମର ସମୂହ ବିକାଶ କାର୍ଯ୍ୟରେ ବିନିଯୋଗ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଗ୍ରାମ ସମିତିକୁ ଅଧିକାର ଦିଆଯାଇପାରେ। ପରୀକ୍ଷାମୂଳକ ଭାବେ ଆଦିବାସୀ ଅଞ୍ଚଳରେ କିଛି ବ୍ଲକରେ ଏହି କାର୍ଯ୍ୟ ଆରମ୍ଭ କରାଯାଇ ଫଳାଫଳର ସମୀକ୍ଷା କରାଯାଇପାରେ।