ଆମେରିକାର ଅସ୍ତ୍ରବିରତି ପ୍ରସ୍ତାବକୁ ସମାଲୋଚନା: ଟ୍ରମ୍ପଙ୍କ କଟକଣା ଧମକକୁ ଖାତିର କଲାନି ରୁଷ୍

ମସ୍କୋ: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଆମେରିକା-ୟୁକ୍ରେନ ପ୍ରସ୍ତାବକୁ ରୁଷ୍ ଆଜି କଡ଼ା ସମାଲୋଚନା କରିଛି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲ୍ଟଜଙ୍କ ସହ ଫୋନ୍ ଯୋଗେ କଥା ହେବା ପରେ କ୍ରେମ୍ଲିନର ଜଣେ ଶୀର୍ଷ ଅଧିକାରୀ ୟୁରି ଉଷାକୋଭ୍ ସରକାରୀ ଗଣମାଧ୍ୟମକୁ କହିଛନ୍ତି, ଏହା ୟୁକ୍ରେନ୍ ସେନା ପାଇଁ ଏକ ସାମୟିକ ଆଶ୍ୱସ୍ତି ବ୍ୟତୀତ ଆଉ କିଛି ହେବ ନାହିଁ। ସେ କହିଛନ୍ତି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସମ୍ଭବତଃ ଗୁରୁବାର ଅଧିକ ନିର୍ଦ୍ଦିଷ୍ଟ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପ୍ରସ୍ତୁତ କରିବେ।
ଉଷାକୋଭ୍ କହିଛନ୍ତି, ରୁଷିଆ ଏକ ଦୀର୍ଘକାଳୀନ ସମାଧାନ ପାଇଁ ଲକ୍ଷ୍ୟ ରଖିଛି ଯାହା ରୁଷ୍ର ‘ବୈଧ ସ୍ୱାର୍ଥ’କୁ ସୁରକ୍ଷିତ କରିବ। ଶାନ୍ତିପୂର୍ଣ୍ଣ କାର୍ଯ୍ୟର ବାହାନା କରୁଥିବା କୌଣସି ପଦକ୍ଷେପ ବର୍ତ୍ତମାନ ପରିସ୍ଥିତିରେ ଲୋଡ଼ା ନାହିଁ ବୋଲି ସେ କହିଛନ୍ତି। ୟୁକ୍ରେନରେ ୩୦ ଦିନିଆ ଅସ୍ତ୍ରବିରତି ପାଇଁ ଯୋଜନା ଉପସ୍ଥାପନ କରିବା ପାଇଁ ଆମେରିକୀୟ ପ୍ରତିନିଧିମାନେ ଗୁରୁବାର ରୁଷ୍ ଗସ୍ତ କରିଥିବା ବେଳେ ୱାସିଂଟନ ମସ୍କୋକୁ ତିନି ବର୍ଷ ଧରି ଚାଲିଥିବା ସଂଘର୍ଷକୁ ନିଃସର୍ତ୍ତ ସ୍ଥଗିତ ରଖିବାକୁ ଚାପ ପକାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ ଇତିମଧ୍ୟରେ ରୁଷ୍କୁ ଧମକାଇଛନ୍ତି ଏବଂ ଅସ୍ତ୍ରବିରତି ପ୍ରସ୍ତାବକୁ ଗ୍ରହଣ ନକଲେ ଅତି କଠୋର ଆର୍ଥିକ କଟକଣା ଲାଗୁ ହେବବୋଲି କହିଛନ୍ତି। ତେବେ ରୁଷ୍ ଏଭଳି ଧମକକୁ ଭୃକ୍ଷେପ କରିନାହିଁ ଏବଂ ଯୁଦ୍ଧବିରତି ପାଇଁ ନୂଆ ସର୍ତ୍ତ ରଖିଛି।