ଶିକ୍ଷକଙ୍କ ମୁଣ୍ଡକାଟ ମାମଲା: ଜଣେ ତରୁଣୀ ଓ ୫ଜଣ ତରୁଣ ଦୋଷୀ ସାବ୍ୟସ୍ତ – Utkal Mail
ପ୍ୟାରିସ୍: ୨୦୨୦ରେ ଇତିହାସ ଶିକ୍ଷକ ସାମୁଏଲ୍ ପେଟିଙ୍କ ମୁଣ୍ଡକାଟ ଘଟଣାରେ ସମ୍ପୃକ୍ତ ଥିବା ୬ଜଣ ତରୁଣଙ୍କୁ ଶୁକ୍ରବାର ଦିନ ଫ୍ରାନ୍ସ୍ର ଏକ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।
‘ବାକ୍ସ୍ବାଧୀନତା’ କ୍ଲାସ୍ରେ ଉକ୍ତ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ମହାପୁରୁଷ ମହମ୍ମଦ୍ଙ୍କର ବ୍ୟଙ୍ଗଚିତ୍ର ସବୁ ଦେଖାଇବାରୁ ମୁସଲ୍ମାନ ସମ୍ପ୍ରଦାୟର ଅଭିଭାବକମାନେ ଉତ୍କ୍ଷିପ୍ତ ହୋଇଯାଇଥିଲେ। କାରଣ, ଈଶନିନ୍ଦା ବୋଲି ବିବେଚନା କରି ଅଧିକାଂଶ ମୁସଲମାନ୍ ମହାପୁରୁଷମାନଙ୍କର ଚିତ୍ରଣକୁ ଏଡ଼ାଇ ଯାଆନ୍ତି।
ଅଭିଯୋଗ ହୋଇଛି ଯେ, ବିଚାରରେ ସମ୍ମୁଖୀନ ହୋଇଥିବା ୬ଜଣଙ୍କ ମଧ୍ୟରେ ଥିବା ତରୁଣୀଜଣକ ତା’ର ବାପାମାଆଙ୍କୁ କହିଥିଲା କି, ବ୍ୟଙ୍ଗଚିତ୍ର ଦେଖାଇବା ଆଗରୁ ଶିକ୍ଷକ ପେଟି ମୁସଲମାନ ଶିକ୍ଷାର୍ଥୀମାନଙ୍କୁ ଶ୍ରେଣୀଗୃହରୁ ବାହାରି ଯିବାକୁ କହିଥିଲେ।
ଘଟଣା ସମୟରେ ଝିଅଟି ଶ୍ରେଣୀଗୃହରେ ନ ଥିଲା ବୋଲି ପ୍ରମାଣିତ ହେବାରୁ ମିଥ୍ୟା ଅଭିଯୋଗ ଓ ସମ୍ମାନହାନି ହେବା ଭଳି ବିବୃତି ଦେଇଥିବା ଅଭିଯୋଗରେ ଅଦାଲତ ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଅନ୍ୟ ୫ଜଣ ତରୁଣଙ୍କୁ ଯୋଜନାବଦ୍ଧ ଅପରାଧିକ ଷଡ଼ଯନ୍ତ୍ର ଓ ଅତର୍କିତ ଆକ୍ରମଣରେ ସହଯୋଗ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ପ୍ୟାରିସ୍ ଉପନଗରୀରେ ଅବସ୍ଥିତ ଉକ୍ତ ସ୍କୁଲ୍ ବାହାରେ ୪୭ ବର୍ଷିୟ ଇତିହାସ ଶିକ୍ଷକ ସାମୁଏଲ୍ ପେଟିଙ୍କୁ ଚେଚେନ୍ ବଂଶୋଦ୍ଭବ ଜଣେ ୧୮ ବର୍ଷିୟ ତରୁଣ ହତ୍ୟା କରିଥିଲେ। ଶିକ୍ଷକଙ୍କୁ ହତ୍ୟା କରିବା ପରେ ପରେ ପୁଲିସ ଗୁଳିଚୋଟରେ ସେ ତରୁଣର ମୃତ୍ୟୁ ଘଟିଥିଲା। ଏହି ଶିକ୍ଷକ ହତ୍ୟାକାଣ୍ଡ ଘଟଣା ସମଗ୍ର ଫ୍ରାନ୍ସରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
ଆଇନରେ ବ୍ୟବସ୍ଥା ଥିଲେ ବି ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ତରୁଣ/ତରୁଣୀମାନଙ୍କୁ ସମ୍ପ୍ରତି ଜେଲ୍ ଦଣ୍ଡାଦେଶ ହୋଇନାହିଁ। କିନ୍ତୁ, ସେମାନେ ୨/୩ ବର୍ଷ ଲାଗି ଅଦାଲତ ଜାରି କରିଥିବା କଟକଣା ମାନି ଚଳିବେ।