ମନ୍ଦିର ପରିସରରେ ରହୁଥିବା ମାଙ୍କଡ଼ଙ୍କୁ ଖାଦ୍ୟ ପ୍ରଦାନ କଲା ଆଶାର ଆଲୋକ ଫାଉଣ୍ଡେସନ

ମନ୍ଦିରରେ ରହୁଥିବା ଶହ ଶହ ମାଙ୍କଡ଼ଙ୍କୁ ଖାଦ୍ୟ ଦେଲେ ସ୍ବେଛାସେବୀ ସଂଗଠନର ସଦସ୍ୟ । କଦଳୀ, ପାଉଁରୁଟି ଭଳି ଜିନିଷ ଧରି ମନ୍ଦିରରେ ପହଞ୍ଚି ଯାଇଥିଲେ ସମସ୍ତେ । ଖାଦ୍ୟ ଦେଖି ରୁଣ୍ଡ ହୋଇଯାଇଥିଲେ ମାଙ୍କଡ଼ ସହ ଗାଈଗୋରୁ । ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି । ମଣିଷ ଠୁ ଆରମ୍ଭ କରି ପଶୁ ପକ୍ଷୀ ସମସ୍ତେ ଅସ୍ତବ୍ୟସ୍ତ । ଏଭଳି ସମୟରେ ସ୍ବେଛାସେବୀ ସଂଗଠନର କିଛି ସଦସ୍ୟ ପଶୁପକ୍ଷୀଙ୍କ କଥା ଚିନ୍ତା କରି ଖାଦ୍ୟ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ।
ଯାଜପୁର ଜିଲ୍ଲା ଚଣ୍ଡିଖୋଲର ଚଣ୍ଡୀ ମନ୍ଦିର ଓ ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ମନ୍ଦିର ପରିସରରେ ରହୁଥିବା ଶତାଧିକ ମାଙ୍କଡ଼ଙ୍କୁ ଖାଦ୍ୟ ପ୍ରଦାନ କରିଛି ଆଶାର ଆଲୋକ ଫାଉଣ୍ଡେସନ । ଫାଉଣ୍ଡେସନର ସଦସ୍ୟମାନେ ମନ୍ଦିରରେ ପହଁଚି ସେଠାର ରହୁଥିବା ମାଙ୍କଡ଼ଙ୍କୁ କଦଳୀ, ପାଉଁରୁଟି, ଶୋଲା, ମଟର ଇତ୍ୟାଦି ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସମୟରେ ଏଭଳି ସେବା କାର୍ଯ୍ୟ ଜାରି ରହିଥିବା ବେଳେ ଏହା ଏକ ଅଂଶ ବିଶେଷ ବୋଲି ସୂଚନା ଦେଇଛନ୍ତି କର୍ମକର୍ତ୍ତା ।
ଜଙ୍ଗଲ କାଟି ଦେଉଛି ମଣିଷ । ତେଣୁ ଏ ପଶୁମାନଙ୍କୁ ନା ମିଳୁଛି ରହିବା ପାଇଁ ସ୍ଥାନ ନା ମିଳୁଛି ଖାଦ୍ୟ । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଯାହା ଦିଅନ୍ତି ତାକୁ ଖାଇ ମାଙ୍କଡ଼ମାନେ ସାରା ଦିନ ରୁହନ୍ତି । ଭୋକ ଉପାସରେ ଏ ପଶୁମାନେ ମନ୍ଦିରରେ ରହୁଥିବାବେଳେ ସ୍ବେଚ୍ଛାସେବୀର ସଦସ୍ୟମାନେ ଏମାନଙ୍କ ପେଟର ଭୋକକୁ ବୁଝିଛନ୍ତି ।