ରାଜନୀତି

ସମୃଦ୍ଧ ଓଡ଼ିଶା ଗଠନର ଭିତ୍ତି ପଡ଼ିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନର ବିଭିନ୍ନ ଆହ୍ୱାନର ମୁକାବିଲା କରିବା ସହିତ ସାଢ଼େ ୪କୋଟି ରାଜ୍ୟବାସୀଙ୍କ ସୁନ୍ଦର ଭବିଷ୍ୟତ ପାଇଁ ସରକାର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ଏହି ରୂପରେଖ ମଧ୍ୟରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ ଭାବେ ଗଢ଼ି ତୋଳିବା ରହିଛି। ଏଥିପାଇଁ ବିଶ୍ବର ପ୍ରମୁଖ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଉଛି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସବୁ ଦୃଷ୍ଟିରୁ ଏକ ଐତିହାସିକ ଘଟଣା। ଏହାଦ୍ୱାରା ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ପୂରଣ ଦିଗରେ ଏକ ସୁଦୃଢ଼ ଭିତ୍ତି ପଡ଼ିପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଥିଲେ, ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ବ୍ୟକ୍ତିଗତ ଭାବେ ଓ ଓଡ଼ିଶା ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ। ଏହି ଗସ୍ତର ପ୍ରଭାବ ଅତ୍ୟନ୍ତ ସୁଦୂରପ୍ରସାରୀ ହେବ। ରାଜ୍ୟ ଓ ସିଙ୍ଗାପୁର ସରକାର ସହ ୮ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ସମ୍ପୃକ୍ତ କ୍ଷେତ୍ରଗୁଡ଼ିକରେ ଓଡ଼ିଶା ବିଶ୍ୱର ଅଗ୍ରଣୀ ଦେଶଙ୍କ ସହିତ ସମକକ୍ଷ ହୋଇପାରିବ।

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମ୍ମାନର ବିଷୟ

ଇଡ୍‌କୋ ସହ ସିଙ୍ଗାପୁରର ସେମ୍ବକର୍ପ ବୁଝାମଣାପତ୍ର ଜରିଆରେ ରାଜ୍ୟରେ ବିଶ୍ୱସ୍ତରୀୟ ବହୁବିଧ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଇପିକଲ୍ ସହିତ ମଧ୍ୟ ସେମ୍ବକର୍ପର ଏକ ଏମ୍‌ଓୟୁ ହୋଇଛି। ଏଥିରେ ପାରାଦୀପରେ ଏକ ଗ୍ରିନ ସିପିଙ୍ଗ୍ କରିଡର୍ ଓ ଏକ ଗ୍ରିନ ହାଇଡ୍ରୋଜେନ୍ ପ୍ଲାଣ୍ଟ ସ୍ଥାପନ କରାଯିବ। ଇପିକଲ୍ ଓ ସିଙ୍ଗାପୁରର ସୁରବନ୍ ଜୁରଙ୍ଗ୍ ମଧ୍ୟରେ ହୋଇଥିବା ଏମ୍‌ଓୟୁ ଅନୁଯାୟୀ ପାରାଦୀପ ପିସିପିଆଇଆର୍‌ ଅଞ୍ଚଳର ବିକାଶ ପାଇଁ ଏକ ବିସ୍ତୃତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ବିଡିଏ ଓ ସୁରବନ୍ ଜୁରଙ୍ଗ୍ ସହିତ ଯେଉଁ ଏମ୍‌ଓୟୁ ହୋଇଛି, ସେଥିରେ ଭୁବନେଶ୍ୱର ନିକଟରେ ଏକ ଅତ୍ୟାଧୁନିକ ସହରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ରାଜ୍ୟ ଶକ୍ତି ବିଭାଗ, ଭୁବନେଶ୍ବର ଆଇଆଇଟି ଓ ସିଙ୍ଗାପୁରର ନାନ୍ୟାଙ୍ଗ୍ ଟେକ୍ନୋଲୋଜିକାଲ ବିଶ୍ବବିଦ୍ୟାଳୟ ମଧ୍ୟରେ ଏକ ତ୍ରି-ପାକ୍ଷିକ ଏମ୍‌ଓୟୁ କରାଯାଇଛି। ଏହାଦ୍ୱାରା ଗ୍ରିନ ହାଇଡ୍ରୋଜେନ୍ ଓ ସୋଲାର୍ ଏନର୍ଜି ପରି ବିଭିନ୍ନ ବିକଳ୍ପ ସମାଧାନର ସୂତ୍ର ବାହାର କରାଯିବ। ଓଡ଼ିଶା ଇଲେକ୍ଟ୍ରୋନିକ୍‍ସ ଓ ଆଇଟି ବିଭାଗ ସହିତ ସିଙ୍ଗାପୁରର ଗ୍ଲୋବାଲ ଫାଇନାନ୍‍ସ ଓ ଟେକ୍ନୋଲୋଜି ନେଟ୍‍ୱାର୍କ୍ ଏବଂ ଜିଏଫ୍‌ଟିଏନ୍‌ ସହିତ ଯେଉଁ ଏମ୍‌ଓୟୁ ହୋଇଛି ତହିଁରେ ଫିନ୍‌ଟେକ୍ କ୍ଷେତ୍ରରେ ଅଧିକ ନିବେଶ ଆସିବ ଓ ଇନୋଭେସନ୍ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବ।

ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସିଙ୍ଗାପୁରର ଆଇଟିଇଇଏସ୍‌ ସହିତ ଗୋଟିଏ ଏମ୍‌ଓୟୁ, ନାନ୍ୟାଙ୍ଗ୍ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ସହିତ ଆଇଆଇଟି ଭୁବନେଶ୍ବର ଏବଂ ଶକ୍ତି ବିଭାଗ ମଧ୍ୟ ଆଉ ଗୋଟିଏ ଏମ୍‌ଓୟୁ କରିଛନ୍ତି। ଏହା ଦ୍ୱାରା ଆଇଟି, ଆଇଟିଇଏସ୍‌, ସେମିକଣ୍ଡକ୍ଟର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button