ମନୋରଞ୍ଜନ

ବିଶ୍ବ ଖୁସି ରୢାଙ୍କିଙ୍ଗ: ୧୧୮ତମ ସ୍ଥାନରେ ଭାରତ, ଲଗାତାର ୮ ବର୍ଷ ହେଲା ଶୀର୍ଷରେ ଫିନ୍‌ଲାଣ୍ଡ୍‌

ନୂଆଦିଲ୍ଲୀ: ବିଶ୍ବରେ ସବୁଠୁ ଖୁସି ଦେଶ ହେଉଛି ଫିନ୍‌ଲାଣ୍ଡ୍‌। ଏହି ଦେଶ କ୍ରମାଗତଭାବେ ୮ ବର୍ଷ ହେଲା ଶୀର୍ଷ ସ୍ଥାନ ବଜାୟ ରଖିଛି। ଜାତିସଂଘର ଅନ୍ତର୍ଜାତୀୟ ଖୁସି ଦିବସରେ ଆଜି ପ୍ରକାଶିତ ବିଶ୍ବ ଖୁସି ତାଲିକାରୁ ଏହା ଜଣାଯାଇଛି। ଏହି ରୢାଙ୍କିଙ୍ଗ‌ରେ ଭାରତ ୧୧୮ତମ ସ୍ଥାନରେ ରହିଛି। ଫିନ୍‌ଲାଣ୍ଡ୍‌ ପଛକୁ ଡେନ୍‌ମାର୍କ, ଆଇସ୍‌ଲାଣ୍ଡ୍‌, ସ୍ବିଡେନ ଏବଂ ନେଦର୍‌ଲାଣ୍ଡ୍‌ ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ରହିଛନ୍ତି। ବିଶ୍ବ ଖୁସି ରିପୋର୍ଟରେ ଏହି ଦେଶଗୁଡ଼ିକ ଭଲ ପ୍ରଦର୍ଶନ କରିଥାନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଲା କୋଷ୍ଟାରିକା ଏବଂ ମେକ୍ସିକୋ ଶୀର୍ଷ ୧୦ଟି ଖୁସି ଦେଶ ତାଲିକା ମଧ୍ୟରେ ସ୍ଥାନ ପାଇଛନ୍ତି। କୋଷ୍ଟାରିକା ଷଷ୍ଠ ସ୍ଥାନରେ ଥିବାବେଳେ ମେକ୍ସିକୋ ୧୦ମ ସ୍ଥାନରେ ରହିଛି। ନରୱେ ସପ୍ତମ, ଇସ୍ରାଏଲ ଅଷ୍ଟମ, ଲକ୍‌ଜେମବର୍ଗ ନବମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନ ୨୪କୁ ହ୍ରାସ ପାଇଛି। ବ୍ରିଟେନ୍‌ ୨୩ତମ ସ୍ଥାନରେ ରହିଛି।

ପାକିସ୍ତାନ, ନେପାଳ, ଚୀନ ଆମଠାରୁ ଉପରେ

ଭାରତ ଏହି ତାଲିକାରେ ୨୦୨୪ରେ ୧୨୬ତମ ସ୍ଥାନରେ ରହିଥିଲା। ଚଳିତବର୍ଷ ୮ଟି ସ୍ଥାନ ଉପରକୁ ଉଠିଥିଲେ ମଧ୍ୟ ଭାରତ ଏବେ ବି ସଂଘର୍ଷ ଦେଇ ଗତି କରୁଥିବା ରାଷ୍ଟ୍ର ୟୁକ୍ରେନ, ମୋଜାମ୍ବିକ୍ ଏବଂ ଇରାକ ଭଳି ଦେଶଠାରୁ ପଛରେ ରହିଛି। ଆମର ପଡ଼ୋଶୀ ଦେଶଗୁଡ଼ିକର ରୢାଙ୍କିଙ୍ଗକୁ ବିଚାରକୁ ନେଲେ ଜଣାଯାଇଛି ଯେ ନେପାଳ ୯୨ତମ, ପାକିସ୍ତାନ ୧୦୯ତମ, ଚୀନ ୬୮ତମ ସ୍ଥାନରେ ରହି ଭାରତଠାରୁ ଆଗରେ ରହିଛନ୍ତି। କିନ୍ତୁ ଶ୍ରୀଲଙ୍କା ଓ ବାଂଲାଦେଶ ଆମଠାରୁ ପଛରେ ଅର୍ଥାତ୍‌ ଯଥାକ୍ରମେ ୧୩୩ତମ ଏବଂ ୧୩୪ତମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନ ବିଶ୍ବର ଖୁସି ରୢାଙ୍କିଙ୍ଗରେ ସବୁଠୁ ପଛରେ (୧୪୭ତମ) ରହିଛି। ଏହି ଦେଶ ବିଶ୍ବର ସବୁଠୁ ଅଖୁସି ଦେଶ ଭାବେ ପରିଗଣିତ ହୋଇଛି। ସେହି ଦେଶର ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଂଘର୍ଷ କରୁଥିବାରୁ ଆଫଗାନିସ୍ତାନ ପଛରେ ପଡ଼ିଛି। ସେମାନଙ୍କ ଜୀବନ କଷ୍ଟକର ହୋଇପଡ଼ିଛି। ଆଫଗାନିସ୍ତାନ ପରେ ସିଏରାଲି‌ଓନ୍ ଏବଂ ଲେବାନନ୍ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସର୍ବାଧିକ ଅଖୁସି ରୢାଙ୍କିଙ୍ଗରେ ରହିଛନ୍ତି। ଏହି ଦେଶଗୁଡ଼ିକର ଲୋକମାନେ ସଂଘର୍ଷ, ଦାରିଦ୍ର୍ୟ ଏବଂ ସାମାଜିକ ଅସ୍ଥିରତା ଭଳି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି।

୦ରୁ ୧୦ ନମ୍ବରକୁ ନେଇ ବିଶ୍ବ ଖୁସି ରିପୋର୍ଟର ରୢାଙ୍କିଙ୍ଗ ପ୍ରସ୍ତୁତ ହୋଇଛି। ଫିନଲାଣ୍ଡ୍‌ ସର୍ବାଧିକ ହାରାହାରି ୭.୭୪ ନମ୍ବର ରଖିଛି। ୧୪୦ରୁ ଅଧିକ ଦେଶର ଲୋକଙ୍କ ମତାମତକୁ ନେଇ ଏହି ରୢାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି। ସାମାଜିକ ସମର୍ଥନ, ସ୍ବାସ୍ଥ୍ୟ, ସ୍ବାଧୀନତା, ଉଦାରତା, ଦୁର୍ନୀତି ଏବଂ ମୁଣ୍ଡପିଛା ମୋଟ ଘରୋଇ ଉତ୍ପାଦ (ଜିଡିପି) ଆଦି ବିଷୟକୁ ନେଇ ଦେଶଗୁଡ଼ିକୁ ରୢାଙ୍କିଙ୍ଗ ଦିଆଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button