ସଂସଦରେ ଅଚଳାବସ୍ଥା ଜାରି: ରିଜିଜୁଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ସାଗରିକା ଘୋଷ୍ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି। ରାଜ୍ୟସଭାରେ ରିଜିଜୁ ବିରୋଧୀଦଳ ସଦସ୍ୟଙ୍କ ବିରୋଧରେ ଦେଇଥିବା ଅପମାନଜନକ ଟିପ୍ପଣୀ ପାଇଁ ଟିଏମ୍ସି ସାଂସଦ ତାଙ୍କ ବିରୋଧରେ ଏଭଳି ନୋଟିସ୍ ଆଣିଛନ୍ତି। ଘୋଷ ଆଣିଥିବା ଏହି ନୋଟିସ୍ରେ ବିରୋଧୀ ଦଳର ୬୦ ଜଣ ନେତା ଦସ୍ତଖତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ଗୃହରେ ଟିପ୍ପଣୀ ରଖିବାବେଳେ ରିଜିଜୁ ବିରୋଧୀଙ୍କ ଉପରେ ତୀବ୍ର ବର୍ଷିଥିଲେ। ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ପାଇଁ ବିରୋଧୀଙ୍କୁ ସମାଲୋଚନା କରି ରିଜିଜୁ କହିଥିଲେ ଯେ ଯଦି ଆପଣମାନେ ଆସନକୁ ସମ୍ମାନ ଦେଇପାରୁ ନାହାନ୍ତି ତେବେ ଆପଣମାନଙ୍କର ଗୃହରେ ରହିବାର ଯୋଗ୍ୟତା ନାହିଁ। ଏହି ଟିପ୍ପଣୀ ପାଇଁ ରିଜିଜୁଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆସିଛି। ଲୋକସଭାରେ ଟିଏମ୍ସିର ଉପନେତା ଘୋଷ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଉଭୟ ଗୃହରେ ଏବଂ ଗୃହ ବାହାରେ ବିରୋଧୀ ସଦସ୍ୟଙ୍କୁ ଅପମାନିତ କରିଛନ୍ତି। ଆଜି ବିରୋଧୀ ଇଣ୍ଡି ମେଣ୍ଟର ୬୦ ଜଣ ନେତା ରାଜ୍ୟସଭାରେ ଏହି ନୋଟିସ୍ ଦାଖଲ କରିଛନ୍ତି।
ଅନ୍ୟପକ୍ଷେ ଆଜି ମଧ୍ୟ ରାଜ୍ୟସଭାରେ ଘୋର ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ନେଇ ଆଜି ରାଜ୍ୟସଭାରେ ଶାସକ ଏବଂ ବିରୋଧୀଦଳ ନେତା ପ୍ରବଳ ହୋହଲ୍ଲା କରିଛନ୍ତି। ଏଥିସହ ଜର୍ଜ୍ ସୋରୋସ ଏବଂ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ସମ୍ପୃକ୍ତି ନେଇ ମଧ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେଉହେଉ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ କେତେକ ବୟାନକୁ କଡ଼ା ସମାଲୋଚନା କରିଥିଲେ। । ଧନଖଡ଼ ଗୃହରେ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟିକାରୀ ବୋଲି ଗତକାଲି ଖଡ଼ଗେ ଟିପ୍ପଣୀ ଦେଇଥିବାରୁ ନଡ୍ଡା କହିଛନ୍ତି ଯେ ଖଡ଼ଗେଙ୍କ ଟିପ୍ପଣୀ ଅତ୍ୟନ୍ତ ଆପତ୍ତିଜନକ। ଅଧ୍ୟକ୍ଷଙ୍କ କାର୍ଯ୍ୟକୁ ସମାଲୋଚନା କରାଯାଇପାରିବ ନାହିଁ କି ଏହାକୁ ନେଇ ପ୍ରଶ୍ନ ଉଠାଯାଇ ପାରିବନି ।ଏହା କରିବା ଗୃହର ଅବମାନନା କରିବା ସଦୃଶ। ତେବେ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହ କାର୍ଯ୍ୟରେ ବାଧା ଉପୁଜିବାରୁ ଶୁକ୍ରବାର ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି। ଲୋକସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଅନ୍ୟପକ୍ଷେ କଂଗ୍ରେସ ଆଜି ମଧ୍ୟ ସଂସଦ ଭବନ ପରିସରରେ ଏହାର ଆନ୍ଦୋଳନ ଜାରି ରଖିଛି।