ଜଷ୍ଟିସ୍ ବର୍ମା ନ୍ୟାୟିକ ଦାୟିତ୍ବରୁ ମୁକ୍ତ: ବିଚାରପତିଙ୍କ ବଦଳିକୁ ସ୍ପଷ୍ଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଚାରପତି ଯଶବନ୍ତ ବର୍ମାଙ୍କଠାରୁ ସମସ୍ତ ନ୍ୟାୟିକ ଦାୟିତ୍ୱ ପ୍ରତ୍ୟାହାର କରାଯାଇଛି। ୨୦୨୫ ମାର୍ଚ୍ଚ ୧୪ ତାରିଖରେ ତାଙ୍କ ବାସଭବନରେ ଅଗ୍ନିକାଣ୍ଡ ଘଟିବା ଏବଂ ଅଗ୍ନିଶମ ବାହିନୀ ତାଙ୍କ ଘରୁ ବିପୁଳ ନଗଦ ଟଙ୍କା ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଅଭିଯୋଗର ତଦନ୍ତ ପାଇଁ ବରିଷ୍ଠ ବିଚାରପତିଙ୍କୁ ନେଇ ଏକ ତିନିଜଣିଆ କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର କଲେଜିୟମ୍ ମଧ୍ୟ ଜଷ୍ଟିସ୍ ବର୍ମାଙ୍କୁ ତାଙ୍କ ମୂଳ କୋର୍ଟକୁ ବଦଳି କରିଥିବା ଘଟଣାକୁ ସୋମବାର ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଜଷ୍ଟିସ୍ ବର୍ମାଙ୍କୁ ସୁପ୍ରିମକୋର୍ଟ ସୋମବାର ବଦଳି କରିବାର କିଛି ଘଣ୍ଟା ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ ଏହାକୁ ବିରୋଧ କରିଛି। ୨୫ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାର୍ ଆସୋସିଏସନ୍ ପକ୍ଷରୁ ଧର୍ମଘଟ ଘୋଷଣା କରାଯାଇଛି। ଏଥିପାଇଁ ଲକ୍ଷ୍ନୌସ୍ଥିତ ବାର୍ ଆସୋସିଏସନ୍କୁ ଆମେ ଅନୁରୋଧ ପଠାଇଛୁ ବୋଲି ବାର୍ ଆସୋସିଏସନ୍ ସଭାପତି ଅନୀଲ ତିୱାରୀ କହିଛନ୍ତି।
ବିଚାରପତିଙ୍କ ବଦଳିକୁ ସ୍ପଷ୍ଟ କଲେ ସୁପ୍ରିମକୋର୍ଟ
ଆହ୍ଲାବାଦ ହାଇକୋର୍ଟରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ
ତେବେ ଜଷ୍ଟିସ ବର୍ମା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ତାଙ୍କର କିମ୍ବା ତାଙ୍କ ପରିବାରର କୌଣସି ନଗଦ ଟଙ୍କା ନାହିଁ। ଏହି ଘଟଣା ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏକ ଷଡ୍ଯନ୍ତ୍ର ବୋଲି ସେ ଦାବି କରିଛନ୍ତି। ତାଙ୍କ ବୟାନ ଅନୁଯାୟୀ, ସେ ଓ ତାଙ୍କ ପରିବାର ରହୁଥିବା ମୁଖ୍ୟ କୋଠା ନୁହେଁ, ବରଂ ଏକ ଆଉଟ୍ ହାଉସ୍ରୁ ଏହି ଟଙ୍କା ମିଳିଛି। ସେ କିମ୍ବା ତାଙ୍କ ପରିବାର ସଦସ୍ୟମାନେ ଷ୍ଟୋର୍ରୁମ୍ରେ କୌଣସି ନଗଦ ଟଙ୍କା ରଖି ନ ଥିଲେ। ଶନିବାର ରାତିରେ ସୁପ୍ରିମ୍କୋର୍ଟ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ଘଟଣାର ବିଶେଷ ତଦନ୍ତ ହେବା ଆବଶ୍ୟକ ବୋଲି ରିପୋର୍ଟରେ ପ୍ରାଥମିକ ମତପ୍ରକାଶ ପାଇଛି।



