ତାମିଲନାଡ଼ୁର ପୂର୍ବତନ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ମିଳିଲା ଜାମିନ

ତାମିଲନାଡ଼ୁର ପୂର୍ବତନ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍। ମନି ଲଣ୍ଡରିଂ ମାମଲାରେ ଗଲା ବର୍ଷ ଜୁନ ୧୪ରେ ଇଡି ବାନ୍ଧିଥିଲା ସେନ୍ଥିଲଙ୍କୁ। କିନ୍ତୁ ଜାମିନ ଦେଲା ବେଳେ କଠୋର ସର୍ତ୍ତ ଲଗାଇଛନ୍ତି କୋର୍ଟ। ସେପଟେ ମାନହାନି ମାମଲାରେ ୧୫ ଦିନ ଜେଲ ଦଣ୍ଡ ପାଇଛନ୍ତି ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ। ଏହା ସହ ୨୫ହଜାର ଟଙ୍କାର ଜରିମାନା ବି ଲଗାଇଛନ୍ତି। ବହୁଚର୍ଚ୍ଚିତ ଯୌନ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ପ୍ରଜ୍ୱଳ ରେବନ୍ନାଙ୍କ ଆଗୁଆ ଜାମିନ ଆବେଦନର ରାୟକୁ ସଂରକ୍ଷିତ କରିଦେଇଛନ୍ତି ହାଇକୋର୍ଟ।
ତାମିଲନାଡ଼ୁର ପୂର୍ବତନ ମନ୍ତ୍ରୀ ସେନ୍ଥିଲ ବାଲାଜୀ ପାଇଲେ ଜାମିନ୍। ମନି ଲଣ୍ଡରିଂ ମାମଲାରେ ଗଲା ବର୍ଷ ଜୁନ୍ ୧୪ରେ ଇଡି ବାନ୍ଧିଥିଲା। ଶେଷରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଛନ୍ତି ସେନ୍ଥିଲ୍। ୨୦୧୪ରେ ଟଙ୍କା ବଦଳରେ ଚାକିରୀ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜାମିନ୍ ପାଇଛନ୍ତି। ଜଷ୍ଟିସ ଅଭୟ ଏସ ଓକା ଓ ଅଗଷ୍ଟିନ୍ ଜର୍ଜ ମସିହାଙ୍କ ଖଣ୍ଡପୀଠ କଠୋର ସର୍ତ୍ତ ସହ ଜାମିନ ମଞ୍ଜୁର୍ କରିଛନ୍ତି। ଏ ସବୁ ସର୍ତ୍ତ ହେଲା- ସପ୍ତାହରେ ଦୁଇ ଥର ଇଡି ଆଗରେ ହାଜର ହେବେ ସେନ୍ଥିଲ। ସାକ୍ଷୀଙ୍କୁ ପ୍ରଭାବିତ କରିବେନି। ନିଜର ପାସପୋର୍ଟ ଜମା କରିବେ। ଅଗଷ୍ଟ ୧୨ରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ପୂର୍ବରୁ ଏଭଳି ମାମଲାରେ ଜାମିନ୍ ଦେଲେ ଏହାର ଭୁଲ ସଙ୍କେତ ସମାଜକୁ ଯିବ ଓ ବ୍ୟାପକ ଜନହିତ ବିରୋଧୀ ବୋଲି ବିବେଚିତ ହେବ ବୋଲି କହି ହାଇକୋର୍ଟ ଅକ୍ଟୋବର ୧୯ରେ ଜାମିନ୍ ଖାରଜ କରିଦେଇଥିଲେ। ଯେହେତୁ ଆବେଦନକାରୀ ୮ ମାସରୁ ଅଧିକ ସମୟ ହେଲା ହାଜତରେ ଅଛନ୍ତି। ସେଥିଲାଗି ସ୍ୱତନ୍ତ୍ର ଅଦାଲତ ସମୟ ସୀମାରେ ତଦନ୍ତ ସାରିବାକୁ ନିର୍ଦେଶ ଦେଇଥିଲେ। ଗଲା ବର୍ଷ ଅଗଷ୍ଟ ୧୨ରେ ବାଲାଜୀଙ୍କ ବିରୁଦ୍ଧରେ ୩ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ଇଡି। ସ୍ଥାନୀୟ ଅଦାଲତ ବି ବାଲାଜୀଙ୍କର ୩ଥର ଜାମିନ୍ ଆବେଦନ ଖାରଜ କରିଦେଇଥିଲେ। ୧୫ ମାସ ଜେଲରେ ରହିବା ପରେ ଜାମିନ ପାଇବା ପରେ ଏବେ ଜେଲରୁ ବାହାରିବେ ସେନ୍ଥିଲ୍। ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍ କହିଛନ୍ତି, ୪୭୧ ଦିନ ପରେ ସେନ୍ଥିଲଙ୍କୁ ଜାମିନ ମିଳିଛି। ଇଡିର ଦୁରୁପଯୋଗ କରି ବିରୋଧୀ ଦଳକୁ ଯେଭଳି ଭୟଭୀତ ଓ ହଇରାଣ କରାଯାଉଛି। ଏ ପରିସ୍ଥିତିରେ ଶେଷ ରାହା ସାଜିଥିଲେ ସୁପ୍ରିମକୋର୍ଟ ବୋଲି କହିଛନ୍ତି ଷ୍ଟାଲିନ୍।
ବାଇଟ-
ସେପଟେ ମାନହାନି ମାମଲାରେ ଶିବସେନା ୟୁବିଟି ନେତା ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ ଦଣ୍ଡ ସହ ୨୫ହଜାର ଟଙ୍କାର ଜରିମାନା ଦଣ୍ଡ ଦେଇଛନ୍ତି ମୁମ୍ୱାଇର ମେଟ୍ରୋ ପଲିଟାନ ଅଦାଲତ। ବିଜେପିର ପୂର୍ବତନ ସାଂସଦ କିରିଟ ସୋମୈୟାଙ୍କ ପତ୍ନୀ ଡାକ୍ତର ମେଧା ସୋମୈୟା ସଞ୍ଜୟଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା କରିଥିଲେ। ମେଧାଙ୍କ ଏନଜିଓ ଯୁବା ପ୍ରତିଷ୍ଠାନ ଉପରେ ଶହେ କୋଟି ଟଙ୍କାର ଶୌଚାଳୟ ଘୋଟାଲାର ଆରୋପ ଲଦିଥିଲେ ସଞ୍ଜୟ। ଏପ୍ରିଲ ୧୫, ୨୦୨୨ରେ ସଞ୍ଜୟ ଗଣମାଧ୍ୟମରେ ଏଭଳି ଅନୁଚିତ, ନିରାଧାର ଓ ମାନହାନିସୂଚକ ବୟାନ ଦେଇଥିଲେ। କିରିଟ ସୋମୈୟା ନିଜର ପତ୍ନୀଙ୍କ ଜରିଆରେ ଶହେ କୋଟି ଟଙ୍କାର ଘୋଟାଲା କରିଥିଲେ। ସୋସିଆଲ ମିଡ଼ିଆରେ ବି ଏହାର ବ୍ୟାପକ ପ୍ରଚାରପ୍ରସାର ହୋଇଥିଲା। ଏଭଳି ଆରୋପ ଲଦି ମେଧା କହିଥିଲେ, ଯଦି ଏହାର ପ୍ରମାଣ ସଞ୍ଜୟ ଦେଇପାରିବେ, ତାହେଲେ ସେ ବି ଜବାବ ରଖିବେ। ମେଧା ମାଟୁଙ୍ଗାସ୍ଥିତ ରାମନାରାୟଣ କଲେଜରେ ୨୦ ବର୍ଷ ଧରି ଅର୍ଗାନିକ କେମିଷ୍ଟ୍ରିର ପ୍ରଫେସର ଥିଲେ। ୨୫ରୁ ଅଧିକ ଚାରିଟେବୁଲ୍ ଟ୍ରଷ୍ଟରେ କାମ କରିଛନ୍ତି ମେଧା। ଏଭଳି ଆରୋପ ସମାଜରେ ତାଙ୍କ ଛବିକୁ ମଳିନ କରିଥିଲା।
ଜେଡିଏସର ନିଲମ୍ୱିତ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ଏଥର ବି ଅଦାଲତରୁ କୌଣସି ଆଶ୍ୱସ୍ତି ମିଳିଲାନି। ସେକ୍ସ ସ୍କାଣ୍ଡାଲରେ ପ୍ରଜ୍ୱଳଙ୍କ ସଂପୃକ୍ତି ନେଇ ଥରହର ହୋଇଥିଲା କର୍ଣ୍ଣାଟକ ରାଜନୀତି। ପୁରା ଦେଶରେ ଚହଳ ପଡ଼ିଥିଲା। ଯୌନ ବ୍ୟଭିଚାରରେ ଲିପ୍ତ ସହ ଅଶ୍ଲୀଳ ଫଟୋ ଓ ଭିଡ଼ିଓ ରଖି ବ୍ଲାକମେଲିଂର ସଙ୍ଗୀନ ଆରୋପ ରହିଛି ରେବନ୍ନାଙ୍କ ବିରୁଦ୍ଧରେ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଳ। ପ୍ରଜ୍ୱଳଙ୍କ ଯୌନ କେଳେଙ୍କାରୀ ଭିଡ଼ିଓ ଅସଲି। ଭଏସ ସାମ୍ପୁଲ ବି ଫରେନସିକ ଲ୍ୟାବ ରିପୋର୍ଟ ସହ ତାଳ ଖାଉଛି ବୋଲି ଗୁରୁବାର କର୍ଣ୍ଣାଟକ ହାଇକୋର୍ଟକୁ ଅବଗତ କରାଇଛନ୍ତି ପୀଡ଼ିତା। ସବୁ ପକ୍ଷକୁ ଶୁଣିବା ପରେ ହାଇକୋର୍ଟ ପ୍ରଜ୍ୱଳଙ୍କ ଆଗୁଆ ଜାମିନ୍ ଆବେଦନର ରାୟକୁ ସଂରକ୍ଷିତ କରିଦେଇଛନ୍ତି। ସମସ୍ତ ଆଗୁଆ ଜାମିନ ଆବେଦନକୁ ଏକା ସାଙ୍ଗରେ ବିଚାର କରି ରାୟ ଶୁଣାଇବେ ବୋଲି କହିଛନ୍ତି ହାଇକୋର୍ଟ। ଗଲା ସପ୍ତାହରେ ହାଇକୋର୍ଟ ରେବନ୍ନାଙ୍କ ଜାମନ୍ ଆବେଦନର ରାୟକୁ ବି ସଂରକ୍ଷିତ ରଖିଥିଲେ। ପଲିଟିକାଲି ପାଓ୍ୱାରଫୁଲ୍ ପରିବାର ଓ ଧନୀ ହୋଇଥିବାରୁ ରେବନ୍ନାଙ୍କ ଜାମିନ୍ ଖାରଜ କରାଯାଉ ବୋଲି ଅଭିଯୋଗକାରିଣୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ।
ଗୁରୁବାର ତିନୋଟି ମାମଲାରେ ଚର୍ଚ୍ଚିତ ରାଜନୀତିକ ଚେହେରାଙ୍କ ଲାଗି କୋର୍ଟଙ୍କ ଆଭିମୁଖ୍ୟ ଭିନ୍ନ ଅନୁଭୂତି ଦେଇଥିଲା। ସେନ୍ଥିଲ ଜେଲରୁ ବାହାରିବା ପଥ ପରିଷ୍କାର ହୋଇଥିଲା ବେଳେ ଜେଲ୍ ଯିବେ ସଞ୍ଜୟ। ଆଉ ରେବନ୍ନାଙ୍କ ନିଷ୍ପତ୍ତି ଝୁଲିରହିଲା।