ଲୁଟେରା ସକ୍ରିୟ ଥିବା ବେଳେ ପୋଲିସ ନିଷ୍କ୍ରିୟ, ଧର୍ମଶାଳାରେ ଦିନକୁ ଦିନ ବଢୁଛି ଚୋରି

ଯାଜପୁର: ବଢ଼ି ଚାଲିଛି ଗୋଟିଏ ପରେ ଗୋଟିଏ ଚୋରି । ଲୁଟେରା ସକ୍ରିୟ ଥିବା ବେଳେ ପୋଲିସ ନିଷ୍କ୍ରିୟ । ଦିନ ଦ୍ବିପ୍ରହରରେ ହେଉ ଅବା ରାତି ସମୟରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରା ମାନେ ଲୁଟ କରିବାରେ ସଫଳ ହେଉଛନ୍ତି । ଘର ହେଉ ଅବା ସାଧାରଣ ରାସ୍ତାଘାଟ ଅବା ଜାତୀୟ ରାଜପଥ ସବୁଠି ଅସୁରକ୍ଷିତ ମଣୁଛନ୍ତି ଲୋକେ । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନିୟନ୍ତ୍ରଣ କରିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ବୋଲି ଅଭିଯୋଗ ହେଉଛି ।
କେତେବେଳେ ଘରେ ନଥିବାର ସୁଯୋଗ ନେଇ ଲୁଟେରା ମାନେ କଳା କନା ବୁଲାଉଥିବା ବେଳେ ଆଉ କେତେବେଳେ ବନ୍ଧୁକ ମୁନରେ ଲୁଟ କରି ଆତଙ୍କ ଖେଳାଉଛନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ଏବେ ବିଭିନ୍ନ ମହଲରୁ ଉଠିଛି ଦାବି । ନିକଟରେ ଜାରକା ଓ ଆଖପାଖ ଅଞ୍ଚଳରେ ଏକାଧିକ ଚୋରି ଘଟଣା ସାମନାକୁ ଆସିଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଦିନ ଦ୍ବିପ୍ରହରରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ ହୋଇଛି । ସେହିପରି କାଏମା ବଜାରର ଜଣେ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟି ନେବାରେ ସଫଳ ହୋଇଛନ୍ତି ।
ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଥିବା ବେଳେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି । ଏପଟେ ଅପରାଧ ନିୟନ୍ତ୍ରଣ କରିବା କିମ୍ବା ଅପରାଧୀଙ୍କୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବରିଷ୍ଠ ନାଗରିକମାନେ ଏନେଇ ପୋଲିସର କାର୍ଯ୍ୟଦକ୍ଷତା ଓ ପାରିବାପଣିଆକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଏପଟେ ଅପରାଧକୁ ନିୟନ୍ତ୍ରଣ କରିବା ସହ ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା କହିଛନ୍ତି ଅତିରିକ୍ତ ଏସପି ।