କ୍ରାଇମ

କମିସନରେଟ୍‌ ପୁଲିସ ପଞ୍ଝାରେ ମାଫିଆ ଗ୍ୟାଙ୍ଗ ଘଟଣା: ମାଓ, ଟିଟୋ ଲିଙ୍କ୍‌ ନେଇ ତନାଘନା – Utkal Mail


ଭୁବନେଶ୍ବର: କମିସନରେଟ୍‌ ପୁଲିସ ଦ୍ବାରା ଗିରଫ ହୋଇଥିବା କୁଖ୍ୟାତ ମାଫିଆ ସଂଜୟ ଗ୍ୟାଙ୍ଗର ଗୁମର ଖୋଲୁଛି। ଚମକାଇ ଦେବାଭଳି ଗୋଟିଏ ପରେ ଗୋଟିଏ ତଥ୍ୟ ଜଣା ପଡୁଛି। ସେମାନେ କେବଳ ବେଆଇନ ଖଣି କି ଗୋ’ଚାଲାଣରେ ସୀମିତ ନଥିଲେ, ମାଓବାଦୀଙ୍କ ସହିତ ସେମାନଙ୍କର ସଂପର୍କ ଥିବାର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ପୁଲିସ ପାଇଛି। କାରଣ ଗିରଫ ହୋଇଥିବା କୁଖ୍ୟାତ ସଂଜୟ ଖୁଣ୍ଟିଆର ନିଆଳି ଅଞ୍ଚଳର କୁଖ୍ୟାତ ଚଗଲା ମଲ୍ଲିକ ସହ ସମ୍ପର୍କ ଥିଲା। ଚଗଲା ବିଭିନ୍ନ ସମୟରେ ମାଓବାଦୀଙ୍କ ଅପରେସନ୍‌ରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ୨୦୦୪ରୁ ଜଗତସିଂହପୁର, ନିଆଳି ଆଦି ଅଞ୍ଚଳରେ ବେଆଇନ୍‌ ବାଲି ଘାଟ; ଖୋର୍ଦ୍ଧା ଅଞ୍ଚଳରେ ବେଆଇନ୍‌ ଖଣି ଖନନରେ ସାମିଲ୍‌ ହୋଇ ସେ ଏକାଧିକ ଅପରାଧିକ କାଣ୍ଡ ଘଟାଇଥିଲା। ତା’ପରେ ପୁଲିସର ଟାର୍ଗେଟ୍‌ ହେବାରୁ ସୁରକ୍ଷା ପାଇଁ ସେ ମାଓବାଦୀଙ୍କ ସହ ହାତ ମିଳାଇଥିଲା। ସେଥିପାଇଁ ନୟାଗଡ଼ ଅଞ୍ଚଳକୁ ଯାଇ ସେଠାରେ ନିଜ ପତିଆରା ଜାହିର କରିଥିଲା।

ଖୋର୍ଦ୍ଧାରେ ବେଆଇନ୍ ଖଣି ଖନନ ସମୟରେ ସଞ୍ଜୟ ସହ ତା’ର ସମ୍ପର୍କ ଗଢ଼ି ଉଠିଥିଲା। ଦୁହେଁ ହାତ ମିଳାଇ ଏକ ଅପରାଧ ସାମ୍ରାଜ୍ୟ ଠିଆ କରିଥିଲେ। ସମ୍ପର୍କ ଯୋଗୁଁ ସେ ସଞ୍ଜୟକୁ ସମସ୍ତ ପ୍ରକାର ମାରଣାସ୍ତ୍ର ଯୋଗାଉଥିଲା। ଯେହେତୁ ମାଓବାଦୀଙ୍କ ପାଖରେ କାର୍ବାଇନ୍‌ ଥାଏ, ଚଗଲା ମାଓ କ୍ୟାମ୍ପରୁ ଆଣି ସଞ୍ଜୟକୁ କାର୍ବାଇନ୍‌ ଦେଇଥିଲା। ତେବେ ୨୦୧୮ ମସିହାରେ ପୁଲିସ ଏନ୍‌କାଉଣ୍ଟରରେ ଚଗଲାର ମୃତ୍ୟୁ ଘଟିଥିଲା। ତା’ର ମୃତ୍ୟୁ ପରେ ସଂଜୟର ମାଓ ଲିଙ୍କ୍‌ ଶେଷ ହୋଇ ଯାଇଥିଲା ନା ମାଓ ନେତାଙ୍କ ସହ ତା’ର ଏଯାଏ ସିଧାସଳଖ ସମ୍ପର୍କ ରହିଛି, ପୁଲିସ ତଦନ୍ତ କରୁଛି। ସଂପର୍କ ଚାରି ରହିଥିବା ସନ୍ଦେହ ପଛରେ ଏକାଧିକ କାରଣ ମଧ୍ୟ ରହିଛି। କାର୍ବାଇନ୍‌ ବ୍ୟବହାରର ଅନୁମତି କେବଳ ପୁଲିସକୁ ଦିଆ ଯାଇଛି। ଏହାର ଗୁଳି ମଧ୍ୟ ବାହାରେ ମିଳିବା ସହଜ ନୁହେଁ। ଏ ଗୁଳି ଉତ୍ତରପ୍ରଦେଶରୁ ଚୋରାରେ ଆସେ ଏବଂ କେବଳ ମାଓବାଦୀଙ୍କ ପାଖରେ ଥାଏ। ସଂଜୟ ପାଖରୁ ପୁଳା ପୁଳା କାର୍ବାଇନ୍‌ ଗୁଳି ମିଳିବା ପରେ ତା’ର ମାଓ ଲିଙ୍କ୍‌ ସନ୍ଦେହକୁ ଦୃଢ଼ କରିଛି। ଯଦି ତା’ର ମାଓବାଦୀଙ୍କ ସହିତ ସଂପର୍କ ରହିଛି, ସେମାନେ କିଏ- ଏ ବିଷୟରେ ପୁଲିସ ଖୋତାଡ଼ କରୁଛି।

ଖାଲି ଏତିକି ନୁହେଁ, ସଂଜୟ ନିଜର ପତିଆରା ପାଇଁ ଏକ ବିଶାଳ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିଲା, ଯେଉଁଥିରେ ସେ ଗ୍ୟାଙ୍ଗଷ୍ଟର ଟିଟୋର ପ୍ରମୁଖ ସହଯୋଗୀ ବଟକୃଷ୍ଣ ପାଣି, କୁଖ୍ୟାତ ଶିବ ନାଲି, ପ୍ରକାଶ ରାଉତଙ୍କ ସମେତ ବହୁ ଅପରାଧୀଙ୍କୁ ସାମିଲ୍‌ କରିଥିଲା। ଯଦିଓ ଏ ୩ ଜଣଙ୍କୁ କମିସନରେଟ୍‌ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି, ହେଲେ ଏବେ ବି ଗ୍ୟାଙ୍ଗର ଅନେକ ସଦସ୍ୟ ବାହାରେ ଅଛନ୍ତି। ସେମାନଙ୍କ ପାଖରେ ବହୁ ବନ୍ଧୁକ ସହ କାର୍ବାଇନ୍‌ ମଧ୍ୟ ରହିଛି। ସଂଜୟର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଶିବ ନାଲି ବନ୍ଧୁକ କାରବାର କରୁଥିଲା। ସେ ଅନେକ ଅପରାଧୀଙ୍କୁ ବନ୍ଧୁକ ଯୋଗାଇବା ସହ ସଂଜୟଗ୍ୟାଙ୍ଗକୁ ମଧ୍ୟ ବନ୍ଧୁକ ଯୋଗାଉଥିଲା।

କମିସନରେଟ୍‌ ପୁଲିସ ଗ୍ୟାଙ୍ଗର ଅପରାଧିକ ଇତିହାସ ଜାଣିବା ପରେ ସଂଜୟର ଅପରାଧ ସାମ୍ରାଜ୍ୟକୁ ଧୂଳିସାତ କରିବାକୁ ଯୋଜନା କରିଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଗିରଫ ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି କଳିଙ୍ଗନଗର ସ୍ଥିତ ନିଜର ଯେଉଁ ହୋଟେଲରେ ସେ ଅପରାଧର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା ଏବଂ ତା’ର ୩ଟି ଖଣି ଖାଦାନକୁ ସିଲ୍‌ କରାଯାଇଛି। ବଟକୃଷ୍ଣର ଟିଟୋ ଲିଙ୍କ୍‌ ନେଇ ମଧ୍ୟ ପୁଲିସ ଯାଞ୍ଚ ଆରମ୍ଭ କରିଛି। ଯେହେତୁ ପୁଲିସ ପୂର୍ବରୁ ଜାଣିଛି ଯେ ଟିଟୋ ନିର୍ଦେଶରେ ବଟ ଗୋ’ଚାଲାଣ କରୁଥିଲା, ଏବେ ବଟର ସହଯୋଗୀମାନଙ୍କୁ ଗିରଫ ପାଇଁ ପୁଲିସ ତନଘନା ଆରମ୍ଭ କରିଛି। କମିସନରେଟ୍‌ ପୁଲିର ଏଭଳି କଠୋର ପଦକ୍ଷେପ ପରେ ଏବେ ସଂଜୟ ଗ୍ୟାଙ୍ଗ ସହ ବିରୋଧୀ ଗ୍ୟାଙ୍ଗରେ ବି ଛନକା ପଶି ଯାଇଛି।

ଖୋଲୁଛି ପୁରୁଣା ଫାଇଲ୍‌
ଗିରଫ ହୋଇଥିବା ୪ ଅଭିଯୁକ୍ତ ‌ଯେଭଳି ଜାମିନରେ ନଆସିପାରିବେ, ସେଥିପାଇଁ କମିସନରେଟ୍‌ ପୁଲିସ ଅଭିଯୁକ୍ତଙ୍କ ଅପରାଧ ଇତିହାସ ଫାଇଲ ଖୋଲି କସରତ ଚଳାଇଛି। ଧଉଳି ହତ୍ୟାକାଣ୍ଡ ମାମଲାରେ ସଂଜୟ ଯେଭଳି ଖସି ନପାରିବ, ସେଥିପାଇଁ ପୁଲିସ ଅଦାଲତରେ ସମସ୍ତ କାଗଜପତ୍ର ଓ ‌ବଳିଷ୍ଠ ପ୍ରମାଣ ପେସ୍‌ କରିବାଲାଗି ଲାଗି ପଡ଼ିଛି। ସେହିପରି ବଟ, ଶିବ ଓ ପ୍ରକାଶଙ୍କ ପୁରୁଣା ଫାଇଲ ମଧ୍ୟ ଖୋଲା ଯାଉଛି। ସେମାନଙ୍କ ବିରୋଧରେ ଆଉ କେଉଁ କେଉଁ ଥାନାରେ କେତେ ମାମଲା ରହିଛି, ତଥ୍ୟ ସଂଗ୍ରହ କରା ଯାଉଛି।

ବାଜ୍ୟାପ୍ତି ହେବ ଟଙ୍କା
ପ୍ରକାଶକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରା ଯାଇଛି। ଘଟଣାଦିନ ସନ୍ଧ୍ୟାରେ କମିସନରେଟ୍‌ ପୁଲିସ ପ୍ରକାଶ ଘରେ ଚଢ଼ଉ କରି ନଗଦ ୧୯ ଲକ୍ଷ ଟଙ୍କା ଜବତ କରିଥିଲା। ଜବତ ଟଙ୍କାକୁ ସରକାରୀ ଟ୍ରେଜେରିରେ ଜମା ପାଇଁ ଆଜି ତମାଣ୍ଡୋ ଥାନା ପୁଲିସ ଅଦାଲତରେ ଆବେଦନ କରିଛି। ତେବେ ସେ ଏତେ ଟଙ୍କା ଆଣିଲା କେଉଁଠୁ, ତାହା ପ୍ରକାଶର ଟଙ୍କା ନା ଅନ୍ୟ କାହାର- ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଟଙ୍କାର ହିସାବ ଦେଇନପାରିଲେ ଟଙ୍କା ବାଜ୍ୟାପ୍ତି କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button