ରାଜନୀତି

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଗର୍ଜିଲେ ମମତା: କାହାର ଚାକିରି ଯିବନି, ଜେଲ୍‌ ଯିବାକୁ ବି ପ୍ରସ୍ତୁତ

କୋଲକାତା: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତି ବାତିଲ ହୋଇଥିବା ‘ଯୋଗ୍ୟ’ ଶିକ୍ଷକଙ୍କ ଚାକିରିକୁ ସୁରକ୍ଷିତ ରଖିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ଆଜି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।  ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌ର ଉଦାହରଣ ଦେଇ ସେ କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟ ସେହି ମାମଲାରେ ସମ୍ପୂର୍ଣ୍ଣ ପରୀକ୍ଷା ବାତିଲ କରିନାହାନ୍ତି। ତେଣୁ ପଶ୍ଚିମବଙ୍ଗରେ ମଧ୍ୟ କେହି ଚାକିରି ହରାଇବେ ନାହିଁ, ଆମେ ରିଭ୍ୟୁ ପିଟିସନ ଦାଖଲ କରିବୁ ଏବଂ ଏହି ମାମଲାରେ ଦରକାର ହେଲେ ମୁଁ ଜେଲ୍‌ ଯିବାକୁ ପ୍ରସ୍ତୁତ ବୋଲି କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମ୍‌ରେ ବହିଷ୍କୃତ ଶିକ୍ଷକମାନଙ୍କ ସମାବେଶରେ ମମତା କହିଛନ୍ତ ।  ମମତା କହିଛନ୍ତି, କିଏ ଯୋଗ୍ୟ ଓ କିଏ ନୁହେଁ ତାହା ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରନ୍ତୁ। ଆମକୁ ତାଲିକା ଦିଅନ୍ତୁ। ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗିବା ଅଧିକାର କାହାର ନାହିଁ। ବିଜେପି ଶାସିତ ମଧ୍ୟପ୍ରଦେଶରେ ବ୍ୟାପମ୍  ଦୁର୍ନୀତି ସାମ୍ନାକୁ ଆସିଥିଲା। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ ମିଳିନାହିଁ। ନିଟ୍‌ରେ ଅନେକ ଅଭିଯୋଗ ସାମ୍ନାକୁ ଆସିଥିଲେ ମଧ୍ୟ ସୁପ୍ରିମ୍‌କୋର୍ଟ ପରୀକ୍ଷା ବାତିଲ କରି ନ ଥିଲେ। ପଶ୍ଚିମବଙ୍ଗକୁ କାହିଁକି ଟାର୍ଗେଟ କରାଯାଉଛି? ଦୁଇ ମାସ ଧୈର୍ଯ୍ୟ ଧରନ୍ତୁ, ମୁଁ ସେହି ଦୁଇ ମାସର କ୍ଷତିପୂରଣ ମଧ୍ୟ ଦେବି। ଆପଣଙ୍କୁ ଭିକ ମାଗିବାକୁ ପଡ଼ିବ ନାହିଁ ବୋଲି ମମତା କହିଛନ୍ତି।

୨୦୧୬ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ସୁପ୍ରିମ୍‌କୋର୍ଟ ଗତ ସପ୍ତାହରେ ୨୫ ହଜାରରୁ ଅଧିକ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ନିଯୁକ୍ତିକୁ ବାତିଲ କରିଥିଲେ। ଅଦାଲତ କହିଛନ୍ତି ଯେ ଏହା ଏକ ମାମଲା ଯେଉଁଥିରେ ସମଗ୍ର ଚୟନ ପ୍ରକ୍ରିୟା ଦୁର୍ନୀତିରେ ଜଡ଼ିତ ଥିଲା। ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ଚୟନର ବିଶ୍ୱସନୀୟତା ଓ ବୈଧତାକୁ କ୍ଷୁଣ୍ଣ କରାଯାଇଛି। ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, ବିଦ୍ୟାଳୟ ସେବା ଆୟୋଗ ସ୍ପଷ୍ଟ କରିଛନ୍ତି- (୧) ରୢାଙ୍କ ଜମ୍ପିଂ ହୋଇଥିଲା, ଅର୍ଥାତ୍ ଉଚ୍ଚ ରୢାଙ୍କ ଥିବା ପ୍ରାର୍ଥୀଙ୍କୁ ଅବହେଳା କରି ନିମ୍ନ ମାନ୍ୟତା ପ୍ରାପ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା, (୨) ପ୍ୟାନେଲ ନିଯୁକ୍ତିରୁ ବାଦ୍ ପଡ଼ିଥିବା ପ୍ରାର୍ଥୀଙ୍କୁ ସୁପାରିସ କରାଯାଇ ନିଯୁକ୍ତି ଦିଆଯାଇଛି, (୩) ଡବ୍ଲ୍ୟୁବିଏସ୍‌ଏସ୍‌ସି ଦ୍ୱାରା ସୁପାରିସ କରାଯାଇ ନ ଥିବା ପ୍ରାର୍ଥୀଙ୍କୁ ବୋର୍ଡ ଦ୍ୱାରା ନିଯୁକ୍ତ କରାଯାଇଥିଲା ଏବଂ (୪) ଓଏମ୍‌ଆର୍‌ ସ୍କୋର୍‌ରେ ହେରଫେର କରାଯାଇଥିଲା। ବିଦ୍ୟାଳୟ ସେବା ଆୟୋଗ ଓଏମ୍‌ଆର ସିଟ୍ ନଷ୍ଟ କରିଛନ୍ତି ଏବଂ ଏହି ପଦକ୍ଷେପର କୌଣସି ଯଥାର୍ଥତା ନାହିଁ ବୋଲି କୋର୍ଟ କହିଛନ୍ତି। ବାସ୍ତବ ପୃଷ୍ଠଭୂମି ଓ ଅନିୟମିତତା ସୂଚାଉଥିବା ବିଶ୍ୱସନୀୟ ପ୍ରମାଣ ସତ୍ତ୍ୱେ ଡବ୍ଲୁବିଏସ୍‌ଏସ୍‌ସି ପ୍ରଥମେ ତ୍ରୁଟି ଓ ବେଆଇନ କାମକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ବେଆଇନ କାର୍ଯ୍ୟ ଯୋଗୁଁ ସମଗ୍ର ଚୟନ ପ୍ରକ୍ରିୟା କଳୁଷିତ ହୋଇଛି ବୋଲି ଆମେ ନିଶ୍ଚିତ। ଅଦାଲତ କହିଛନ୍ତି ଯେ ନିର୍ଦ୍ଦୋଷ ପ୍ରାର୍ଥୀଙ୍କୁ ବର୍ଷ ବର୍ଷ ଧରି ପାଇଥିବା ଦରମା ଫେରସ୍ତ କରିବାକୁ ପଡ଼ିବ ନାହିଁ, କିନ୍ତୁ ସେମାନଙ୍କ ଚାକିରି ଉଚ୍ଛେଦ କରାଯିବ। ତିନି ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ପୁନରାବୃତ୍ତି କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି।

ଏହାର ଜବାବରେ ମମତା ବାନାର୍ଜୀ ବିରୋଧୀ ଦଳ ବିଜେପି ଓ ସିପିଏମ୍ ରାଜ୍ୟ ଶିକ୍ଷା ବ୍ୟବସ୍ଥାର ପତନ ଉଦ୍ଦେଶ୍ୟରେ ଷଡ୍‌ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ମୋତେ ଟାର୍ଗେଟ କରିବା ପାଇଁ ଶିକ୍ଷକଙ୍କଠାରୁ ଚାକିରି ଛଡ଼ାଇ ନିଅନ୍ତୁ ନାହିଁ। ମନେରଖନ୍ତୁ, ଆହତ ବାଘୁଣୀ ଅଧିକ ବିପଜ୍ଜନକ। ଅଦାଲତକୁ ସମାଲୋଚନା ପାଇଁ ଆବଶ୍ୟକ ହେଲେ ମୁଁ ଜେଲ୍‌ ଯିବା ପାଇଁ ପ୍ରସ୍ତୁତ ବୋଲି ମମତା କହିଛନ୍ତି। ଶିକ୍ଷକମାନଙ୍କୁ ଆଶ୍ବସ୍ତ କରି ମମତା କହିଛନ୍ତି, ଆପଣମାନଙ୍କୁ ଟର୍ମିନେସନ୍ ଚିଠି ମିଳିନାହିଁ, ତେଣୁ ଆପଣ କାମ ଜାରି ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button