ଓଡିଶା

ରାଜ୍ୟପାଳ ବିଲ୍ ଅଟକାଇବା ପ୍ରସଙ୍ଗ: ରାୟକୁ ସ୍ବାଗତ କଲେ ଷ୍ଟାଲିନ୍, କହିଲେ ରାଜ୍ୟ ପାଇଁ ‘ବଡ଼ ବିଜୟ’

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ସୁପ୍ରିମ୍‌କୋର୍ଟଙ୍କ ଆଜିର ଐତିହାସିକ ରାୟକୁ ସ୍ୱାଗତ କରିଛନ୍ତି। ଏହା ରାଜ୍ୟ ପାଇଁ ଏକ ବଡ଼ ବିଜୟ ବୋଲି ବିଧାନସଭାରେ ଶୂନ୍ୟକାଳରେ କହିଛନ୍ତି। ରାଜ୍ୟପାଳ ଆର୍‌ଏନ୍‌ ରବି ବିଧାନସଭାରେ ପାରିତ ବିଲ୍‌କୁ ଅନୁମୋଦନ ଦେବାରେ ବିଳମ୍ବକୁ ସର୍ବୋଚ୍ଚ ଅଦାଲତ ଅସାମ୍ବିଧାନିକ ବୋଲି ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ସ୍ବାଗତ କରି ଷ୍ଟାଲିନ୍ କହିଛନ୍ତି, ଏହି ରାୟ କେବଳ ତାମିଲନାଡୁ ପାଇଁ ନୁହେଁ ବରଂ ଭାରତର ସମସ୍ତ ରାଜ୍ୟ ପାଇଁ ଏକ ବଡ଼ ବିଜୟ। ତାମିଲନାଡୁ ରାଜ୍ୟ ସ୍ବାଧୀନତାର ବିଚାରଧାରା ଓ ସଂଘୀୟ ବ୍ୟବସ୍ଥା ପାଇଁ ଲଢ଼େଇ କରିଥିଲା। ତାମିଲନାଡୁ ଲଢ଼ିବ ଓ ତାମିଲନାଡୁ ଜିତିବ ବୋଲି ଷ୍ଟାଲିନ କହିଛନ୍ତି।

ତାମିଲନାଡୁ ବିଧାନସଭାରେ ପାରିତ ବିଲ୍ ଉପରେ ତୁରନ୍ତ ନିଷ୍ପତ୍ତି ନ ନେଇ ଦୀର୍ଘ ବିଳମ୍ବ ପରେ ଫେରାଇ ଦେଇଥିବାରୁ ସୋମବାର ସୁପ୍ରିମ୍‌କୋର୍ଟ ରାଜ୍ୟପାଳ ଆର୍‌ଏନ୍ ରବିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟପାଳଙ୍କ ଆଚରଣ କେବଳ ବେଆଇନ ନୁହେଁ ବରଂ ଏହା ସମ୍ବିଧାନର ଭାବନା ବିରୁଦ୍ଧରେ ବୋଲି କୋର୍ଟ କହିଛନ୍ତି। କୁଳପତି ନିଯୁକ୍ତି ଓ ବିଶ୍ୱବିଦ୍ୟାଳୟ ନିୟନ୍ତ୍ରଣ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପ୍ରସଙ୍ଗ ସମେତ ବିଧାନସଭାରେ ପାରିତ ହୋଇଥିବା ଅନେକ ବିଲ୍‌କୁ ରାଜ୍ୟପାଳ ଜାଣିଶୁଣି ଅନୁମୋଦନ ବନ୍ଦ କରୁଛନ୍ତି ବୋଲି ଅଭିଯୋଗ କରିବା ପରେ ଡିଏମ୍‌କେ ସରକାର ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ଅଦାଲତକୁ ନେଇଥିଲେ। ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ଅଦାଲତ ଏକ ସ୍ପଷ୍ଟ ସାମ୍ବିଧାନିକ ସମୟସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତି ଯେଉଁଥିରେ ରାଜ୍ୟପାଳମାନେ ରାଜ୍ୟ ବିଧାନସଭାରେ ପାରିତ ବିଲ୍ ଉପରେ କାର୍ଯ୍ୟ କରିବା ଆବଶ୍ୟକ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ରାଜ୍ୟପାଳ ତିନି ମାସ ମଧ୍ୟରେ କୌଣସି ବିଲ୍‌କୁ ଅନୁମୋଦନ ଦେବା, ଗୃହକୁ ଫେରାଇଦେବା ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପାଇଁ ନିଷ୍ପତ୍ତି ନେବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button