ମନୋରଞ୍ଜନ

ସାତ୍ ସୱାଲ୍: ଅଧୁରା ରହିଲେ ହିଁ ପ୍ରେମ ସଫଳ

୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ଧାରାବାହିକ ଦୁନିଆରେ ଗୋଟାଏ ପରେ ଗୋଟାଏ ପାହାଚ ଚଢ଼ି ଚାଲିଛନ୍ତି ସେ। ଉପସ୍ଥାପକ, କୋରିଓଗ୍ରାଫର୍, ନୃତ୍ୟଶିଳ୍ପୀ ଓ ଅଭିନେତା- ଏସବୁ ଭୂମିକାରେ ସେ ସଫଳ। ବିଧିବଦ୍ଧ ତାଲିମ ନନେଇ ମଧ୍ୟ ଜନ୍ମଗତ ପ୍ରତିଭା ବଳରେ ଦର୍ଶକଙ୍କ ମନ ଜିଣିଛନ୍ତି ‘ଡାନି’ ନାଁରେ ପରିଚିତ ଗିରିଜା ଶଙ୍କର। ନୃତ୍ୟ ଓ ଅଭିନୟକୁ ଜୀବନର ବ୍ରତ ବୋଲି ଭାବୁଥିବା ଡାନିଙ୍କ ସହ ଅଳ୍ପ ଆଳାପ।

ଚାରି ବର୍ଷ ତଳେ ଆପଣ ଧାରାବାହିକ ଜରିଆରେ ଅଭିନୟରେ ପ୍ରବେଶ କରିଥିଲେ। ସଂପ୍ରତି ପ୍ରସାରିତ ହେଉଥିବା ‘ଭାଗ୍ୟରେଖା’ ଆପଣଙ୍କର ସପ୍ତମ ସିରିୟଲ୍। କିଭଳି ଚରିତ୍ରକୁ ନେଇ ଆପଣ ବେଶି ସନ୍ତୁଷ୍ଟ?
ଜଣେ କଳାକାର ପାଇଁ ସବୁଠାରୁ ବଡ଼ କଥା ହେଉଛି ଯେକୌଣସି ଚରିତ୍ରରେ ନିଜକୁ ଖାପ ଖୁଆଇ ପାରିବା ଓ ତାହାକୁ ଉପଭୋଗ କରିବା। ମୁଁ ମୋ ଅଭିନୀତ ପ୍ରତ୍ୟେକ ଚରିତ୍ରକୁ ଉପଭୋଗ କରିଛି। ସେମିତି କହିପାରିବିନି ଯେ କେଉଁ ଚରିତ୍ର ମୋ ପାଇଁ ଭଲ ଥିଲା। ତେବେ ‘ତିତ୍ଲି’ ଧାରାବାହିକରେ ନକାରାତ୍ମକ ଚରିତ୍ର ନିଭାଇ ମୁଁ ପୁରସ୍କାର ପାଇଛି। ସେଥିପାଇଁ ମନେହୁଏ, ଦର୍ଶକ ବୋଧହୁଏ ସେଭଳି ଚରିତ୍ରରେ ମୋତେ ବେଶି ଆପଣେଇଥିଲେ।

ଆପଣ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଥିଲେ। ହଠାତ୍ କ’ଣ ହେଲା ଯେ ଶିକ୍ଷକତା ଛାଡ଼ି ଗ୍ଲାମର୍ ଆଡ଼େ ମୁହାଁଇଲେ?
ସାଧାରଣତଃ ପୁରୁଷମାନେ ନିଜର ଖୁସି ଓ ସ୍ବପ୍ନକୁ ଭୁଲିଯାଇ ଅଧିକାଂଶ ସମୟରେ ଦାୟିତ୍ବରେ ବାନ୍ଧି ହୋଇଯାଆନ୍ତି। କିନ୍ତୁ, ମୋ ମତରେ ନିଜ ଖୁସିକୁ ଆଗ ଦେଖିବା କଥା। ମୁଁ ମୋ ଖୁସିକୁ ବାଛିଛି। ଯଦିଓ ଏଥିପାଇଁ ମୋତେ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଚାକିରି ଛାଡ଼ିବାର ୩ ବର୍ଷ ପର୍ଯ୍ୟନ୍ତ ମୁଁ ବହୁ ସମସ୍ୟାର ମୁକାବିଲା କରିଛି। ସେହି ପରିସ୍ଥିତିରେ ମୋ ବାପାମାଆଙ୍କର ବହୁତ ସମର୍ଥନ ପାଇଛି। ଛୋଟବେଳେ ମୁଁ ନିଜକୁ ଟିଭି ପରଦାରେ ଦେଖିବାର ସ୍ବପ୍ନ ଦେଖିଥିଲି। ଯେତେବେଳେ ସାର୍ଥକରେ ଏକ ରିୟାଲିଟି ସୋ’ ଜିତିଲି ତ ମୁଁ ମୋ ଖୁସି ଓ ସ୍ବପ୍ନକୁ ଗୁରୁତ୍ବ ଦେଲି।

ଆପଣ ଏକାଧାରାରେ ଜଣେ ନୃତ୍ୟଶିଳ୍ପୀ, ଉପସ୍ଥାପକ, କୋରିଓଗ୍ରାଫର୍ ଓ ଅଭିନେତା। ଭବିଷ୍ୟତରେ କେଉଁଟିକୁ ବେଶି ଗୁରୁତ୍ବ ଦେବେ ବୋଲି ଚିନ୍ତା କରିଛନ୍ତି?
ଭବିଷ୍ୟତ ତ କେହି ଦେଖିନାହାନ୍ତି। ମାତ୍ର ମୋ ପାଇଁ ନୃତ୍ୟ ଓ ଅଭିନୟ ସବୁକିଛି। ଚାକିରି ଛାଡ଼ିବା ପରେ ସମୟ ସଂଘର୍ଷମୟ ଥିଲା, ତେଣୁ ଆଙ୍କରିଂ ଆରମ୍ଭ କରିଥିଲି। ତା’ପରେ ଅଭିନୟକୁ ଆସିଛି। ବର୍ତ୍ତମାନ ପରିସ୍ଥିତିରେ ମୋ ପାଇଁ ଅଭିନୟ ଓ ନୃତ୍ୟ ଦୁଇଟାଯାକ ସମାନ। ଏ ଦୁଇଟିରୁ ଗୋଟାଏକୁ ବାଛିବା କଷ୍ଟକର।

ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି? ସେମାନଙ୍କ ଭିତରୁ ଆପଣଙ୍କର ପ୍ରିୟ କିଏ?
ବାପା, ମାଆ ଓ ଶାଶୂଘରେ ରହୁଥିବା ବିବାହିତା ଭଉଣୀ। କିଏ ପ୍ରିୟ କହିପାରିବିନି। କାରଣ ସେମାନେ ହେଉଛନ୍ତି ମୋ ଶରୀରର ଗୋଟେ ଗୋଟେ ଅଙ୍ଗ। ଗୋଟାଏ ଅଙ୍ଗ ବିନା ଯେପରି ଶରୀର ଅସଂପୂର୍ଣ୍ଣ, ସେମିତି ସେମାନଙ୍କ ବିନା ମୁଁ ଅସମ୍ପୂର୍ଣ୍ଣ। ମୋ ବାପାମାଆଙ୍କ ପାଇଁ ତ ମୁଁ ମୋ ଜୀବନ ବି ଦେଇପାରିବି।

ବିବାହ ସଂପର୍କରେ କ’ଣ ଭାବିଛନ୍ତି? ବାହାଘର ପୂର୍ବରୁ ଜଣେ ଯୁବତୀ ଭିତରେ ଆପଣ କେଉଁ ଗୁଣ ଦେଖିବାକୁ ଚାହିଁବେ?
ମୋର ଏକ କଳା ଅତୀତ ଅଛି। ସେଥିପାଇଁ ମୁଁ କେବେ ବିବାହ କରିବା କଥା ଭାବିନାହିଁ। ତଥାପି ଗୋଟିଏ ବିବାହକୁ ନିଭାଇବା ପାଇଁ ବା ତାହାକୁ ନେଇ ଆଗକୁ ଯିବା ପାଇଁ ପାରସ୍ପରିକ ବୁଝାମଣା ବହୁତ ଜରୁରି।

ସେ କଳା ଅତୀତ ବିଷୟରେ ଟିକେ କହିବେ କି? କେବେ କାହାକୁ ପ୍ରେମ କରି ଧୋକା ପାଇଛନ୍ତି ବୋଧହୁଏ?
ଅତୀତ କଥା ଛାଡ଼ନ୍ତୁ। ଏବେ ମୁଁ ଯାହାଙ୍କ ସହ ସଂପର୍କରେ ଅଛି ତାଙ୍କ ସହ ମୋ ପ୍ରେମକୁ ମୁଁ ଅମର କରିବାକୁ ଚାହେଁ। ଆମେ ଦୁହେଁ ନିଜ ଭବିଷ୍ୟତ ଦେଖିନୁ, କିନ୍ତୁ ଏଥିରେ ସନ୍ଦେହ ନାହିଁ ଯେ ଦୁହେଁ ଦୁହିଁଙ୍କ ପାଇଁ କିଛି ବି କରିପାରିବୁ। ଦୁହିଁଙ୍କ ମନରେ ପରସ୍ପରଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି। ଆମେ ନିଷ୍ପତ୍ତି ନେଇଛୁ, ଯେତିକି ଦିନ ବି ଏକାଠି ରହିବୁ ଭବିଷ୍ୟତ ପାଇଁ କିଛି ଭଲ ସ୍ମୃତି ସଂଗ୍ରହ କରି ରଖିବୁ। କାରଣ ବଞ୍ଚିବା ପାଇଁ ସ୍ମୃତି ହିଁ ଯଥେଷ୍ଟ। ତାଙ୍କୁ ଜୀବନସାଥୀ କରିବାକୁ ଚାହିଁଲେ ବି ମୁଁ ନିଶ୍ଚିତ ନୁହେଁ ଯେ ସେ ମୋର ହୋଇପାରିବେ ବୋଲି। କଥାରେ ଅଛି ‘ଇସ୍କ ସଚ୍ଚା ୱହି ଜିସ୍କୋ ମିଲ୍ତି ନେହିଁ ମଞ୍ଜିଲେ’। ଅଧୁରା ରହିଲେ ହିଁ ପ୍ରେମ ସଫଳ।

ଯଦି ତାଙ୍କୁ ନ ପାଆନ୍ତି ତେବେ…
ଏତିକି କହିବି, ମୁଁ ମୋ ପ୍ରେମକୁ ନପାଇଲେ ବି ତାକୁ ଅମର କରିବାକୁ ଚାହେ। ତଥାପି ବଞ୍ଚିବା ପାଇଁ କାହାର ନା କାହାର ସାହାରା ଦରକାର। ସେଥିପାଇଁ ମୁଁ ଚିନ୍ତା କରିଛି, ଭବିଷ୍ୟତରେ ଆବଶ୍ୟକ ହେଲେ ଅନାଥ ଆଶ୍ରମରୁ ଶିଶୁଟିଏ ଆଣି ପୋଷ୍ୟ ଭାବେ ଗ୍ରହଣ କରିବି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button