ଓଡିଶା

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍‌, ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ରେଳ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରଥଯାତ୍ରା ଉପଲକ୍ଷେ ଆସନ୍ତା ଜୁଲାଇ ୬ରୁ ୧୯ତାରିଖ ପର୍ଯ୍ୟନ୍ତ ପୁରୀକୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍‌‌ ଗଡ଼ିବ। ତୀର୍ଥଯାତ୍ରୀମାନଙ୍କ ସୁବିଧା ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏପରି ଯୋଜନା କରାଯାଇଛି। ଚଳିତବର୍ଷ ଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ପାଳନ କରାଯିବ। ପୂର୍ବ ରଥଯାତ୍ରା ଉତ୍ସବର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଡ଼ୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍‌‌ ଚଳାଚଳ କରାଇବାକୁ ଯୋଜନା କରିଛି।

ଚଳିତ ବର୍ଷ ଜୁନାଗଡ଼ ରୋଡ୍‌, ସମ୍ୱଲପୁର, କେନ୍ଦୁଝରଗଡ଼, ପାରାଦୀପ, ଭଦ୍ରକ, ଅନୁଗୁଳ, ଗୁଣୁପୁର, ବାଙ୍ଗିରିପୋଷି ବ୍ୟତୀତ ନୂତନ ଭାବେ ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର ଏବଂ ଦଶପଲ୍ଲାଠାରୁ ସ୍ୱତନ୍ତ୍ର ଟ୍ରେନ୍‌‌ ପୁରୀକୁ ଚଳାଚଳ କରିବ। ଏହାବ୍ୟତୀତ ସାନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ପାଇଁ ଯୋଜନା କରାଯାଇଛି। ଚଳିତବର୍ଷ ରଥଯାତ୍ରାର ଅଧରପଣା ଉତ୍ସବ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ପୂର୍ବତଟ ରେଳପଥ ଯୋଜନା କରିଛି। ଏତଦବ୍ୟତୀତ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳପଥ ପକ୍ଷରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍‌‌ ଚଳାଇବାକୁ ମଧ୍ୟ ବ୍ୟବସ୍ଥା କରାଯିବ।

ରଥଯାତ୍ରା ସମୟରେ ଯାତ୍ରୀଙ୍କ ଯାତାୟାତ ସୁବିଧା ବ୍ୟତୀତ ଯାତ୍ରୀ ପରିସେବା ସୁଦୃଢ଼ କରିବା ଉପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିବା ବେଳେ ତୀର୍ଥଯାତ୍ରୀ ତଥା ଭକ୍ତଙ୍କ ପାଇଁ ଉତ୍ତମ ସୁବିଧା ଯୋଗାଇଦେବାକୁ ପୂର୍ବତଟ ରେଳପଥକୁ ପରାମର୍ଶ ଦେଇଛନ୍ତି। ଭକ୍ତମାନଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ ରେଳମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଯାତ୍ରୀ ଭିଡ଼ ପରିଚାଳନା, ଟ୍ରେନ୍‌‌ ସୂଚନା ପ୍ରଣାଳୀ/ ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍‌‌ ପ୍ରଦର୍ଶନ, ଅତିରିକ୍ତ ଟିକେଟ୍‌‌ ବୁକିଂ କାଉଣ୍ଟର ଏବଂ ମୋବାଇଲ୍‌‌ ଟିକେଟ୍‌‌ କାଉଣ୍ଟର, ୧୫ହଜାର ତୀର୍ଥଯାତ୍ରୀ ବିଶ୍ରାମ ନେବା ଭଳି ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର/ଶେଡ୍‌‌ ପାଇଁ ମଧ୍ୟ ପୂର୍ବତଟ ରେଳପଥ ପଦକ୍ଷେପ ନେଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ପୁରୀ ରେଳ ଷ୍ଟେସନ୍‌ରେ ରଥଯାତ୍ରା ବ୍ୟବସ୍ଥା ଯାଞ୍ଚ କରି ତୀର୍ଥଯାତ୍ରୀଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକ ସମ୍ବନ୍ଧରେ ଅବଗତ ହେବା ସହ ରଥଯାତ୍ରାର କାର୍ଯ୍ୟସୂଚୀର ବହୁ ପୂର୍ବରୁ ଯାତ୍ରୀ ସୁବିଧା ଉପଲବ୍ଧ କରାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button