ଜନ୍ମଦିନରେ ଅମିତାଭ ବଚ୍ଚନଙ୍କ ଉପରେ ପ୍ରଶଂସକଙ୍କ ଫୁଲ ବର୍ଷା – Utkal Mail
ମୁମ୍ବାଇ: ବର୍ଷୀୟାନ୍ ଅଭିନେତା ଅମିତାଭ ବଚ୍ଚନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଦେବତାଠାରୁ କମ୍ ନୁହନ୍ତି। ଏହାକୁ ପ୍ରମାଣ କରିବା ପାଇଁ ତାଙ୍କର ୮୧ତମ ଜନ୍ମଦିନରେ ବୁଧବାର ତାଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଜଲସା’ର ଫାଟକ ପାଖରେ ପହଞ୍ଚିଥିଲେ ବହୁ ପ୍ରଶଂସକ। ସେମାନେ ସେଠାରେ ରାତିରୁ ଅପେକ୍ଷା କରି ରହିଥିଲେ। ଯେତେବେଳେ ତାଙ୍କର ପ୍ରିୟ ଅଭିନେତା ଗୋଡ଼ କାଢ଼ି ଘରୁ ବାହାରକୁ ବାହାରନ୍ତି, ପ୍ରଶଂସକମାନେ ତାଙ୍କୁ ଫୁଲମାଳ ପିନ୍ଧାଇବା ସହ ତାଙ୍କ ଉପରେ ଫୁଲ ବର୍ଷା କରିଥିଲେ।
ଏକ ପାପାରାଜି ଭିଡ଼ିଓରେ ଦେଖିବାକୁ ମିଳୁଛି, ଅମିତାଭ ଏକ ପାରମ୍ପରିକ ପୋଷାକ ପିନ୍ଧି ଏକ ମଞ୍ଚ ଉପରେ ଠିଆ ହୋଇଛନ୍ତି। ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ପାଇଁ ଠୁଳ ହୋଇଥିବା ପ୍ରଶଂସକମାନଙ୍କୁ ସେ ହାତ ଯୋଡ଼ି ଓ ହାତ ହଲାଇ ସ୍ବାଗତ କରିଥିଲେ। ଶୁଭେଚ୍ଛା ମନାସିଥିବା ପ୍ରତ୍ୟେକ ପ୍ରଶଂସକଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ। ଅନେକ ବ୍ୟକ୍ତି ଏହି ମୁହୂର୍ତ୍ତକୁ ତାଙ୍କ ମୋବାଇଲ ଫୋନରେ ରେକର୍ଡ କରିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। ସ୍ବତନ୍ତ୍ର ଦିବସଟିକୁ ପାଳନ କରିବା ଅବସରରେ ଅଭିନେତାଙ୍କ ପ୍ରିୟ ସଂଗୀତ (ମେଁ ହୁଁ ଡନ୍) ମଧ୍ୟ ବଜାଯାଇଥିଲା। ଭିଡ଼ିଓଟି ଅନଲାଇନ ସେୟାର କରାଯିବା ପରେ ଆହୁରି ଅନେକ ପ୍ରଶଂସକ ଅମିତାଭଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଅଜାଡ଼ି ଦେଇଥିବା ଦେଖିବାକୁ ମିଳିଛି।
ଭିଡ଼ିଓରେ ଦେଖିବାକୁ ମିଳିଛି, ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ଏବଂ ଆରାଧନା ବଚ୍ଚନ ପ୍ରଶଂସକମାନଙ୍କ ସହିତ ଫାଟକ ପାଖରେ ଅପେକ୍ଷାରତ ଥିଲେ। ବୋହୂ ଐଶ୍ବର୍ଯ୍ୟା ରାୟ ମଧ୍ୟ ସେମାନଙ୍କ ସହ ଯୋଗ ଦେଇଥିଲେ। ସେ କାହା ସହ ଭିଡ଼ିଓ କଲ୍ରେ କଥା ହେଉଥିବା ଦେଖିବାକୁ ମିଳିଥିଲା। ସମ୍ଭବତଃ ସେ ତାଙ୍କ ଅଭିନେତା-ସ୍ବାମୀ ଅଭିଷେକ ବଚ୍ଚନଙ୍କୁ ଘର ବାହାରେ ତାଙ୍କ ବାପାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ପାଇଁ କେତେ ଭିଡ଼ ହୋଇଛି ତାହା ଦେଖାଇବାକୁ ଚାହୁଥିଲେ। ପରେ ନବ୍ୟା ଇନଷ୍ଟାଗ୍ରାମରେ ଅମିତାଭ, ଜୟା ବଚ୍ଚନ, ଆରାଧ୍ୟା ଓ ଅଗସ୍ତ୍ୟ ନନ୍ଦାଙ୍କ ଫଟୋ ଛାଡ଼ି ତଳେ କ୍ୟାପ୍ସନରେ ଲେଖିଥିଲେ ‘ହାପି ବାର୍ଥଡେ ନନା’। ଶ୍ବେତା ବଚ୍ଚନ ମଧ୍ୟ ବାପାଙ୍କୁ ଶୁଭେଚ୍ଛ ଜଣାଇ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥି ସହ ବଲିଉଡ ସେଲିବ୍ରିଟିମାନେ ଅମିତାଭଙ୍କୁ ଜନ୍ମଦିନରେ ଅଭିନନ୍ଦନ ବର୍ଷା କରୁଥିବା ଦେଖିବାକୁ ମିଳିଛି।