ପିପିଲିରେ ବୋମାମାଡ଼: ଜଣେ ଗୁରୁତର, ୨ ଆହତ

ପିପିଲି: ପିପିଲିରେ ବୋମାମାଡ଼ । ପୁରୀ ଜ଼ିଲ୍ଲା ପିପିଲି ଜମାଲପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଏଥିରେ ରାଜକିଶୋର ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ଶିଶୁ ସମେତ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ରାଜକିଶୋର ଙ୍କ ହାତ ପାପୁଲି ରେ ବୋମା ବିସ୍ଫୋରଣ ଘଟି ପାପୁଲି ଛିଣ୍ଡି ଯାଇଥିବା ସୂଚନା ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଗୁରୁବାର ରାତିରେ ଜମାଲପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ପଡୋଶୀ ଗ୍ରାମର ଅନ୍ୟ ଜଣଙ୍କର ପୂର୍ବ ବିବାଦକୁ ନେଇ ରାତି ପ୍ରାୟ ସାଢେ ଗୋଟାଏରେ ଗଣ୍ଡଗୋଳ ଘଟିଥିଲା । ପରେ ଏହା ଉଗ୍ରରୂପ ଧାରଣା କରିଥିଲା । ଏହାକୁ ନେଇ ଦୁଇଟି ବୋମାମାଡ ହୋଇଥିବା ସୂଚନା ମିଳିଛି । ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ସଦଳେବଳେ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଓ ସାଇଣ୍ଟିଫିକ ଟିମ ପହଂଚି ଜୀବନ୍ତ ବୋମା ଓ ଫୁଟା ବୋମାର ସୁତୁଲି ଓ ଗୋଡି ଜବତ କରିଥିବା ସୂଚନା ମିଳିଛି ।