ଥୁଆମୂଳ ରାମପୁରରେ ପୁଣି ଫଳିବ କଫି
ଭବାନୀପାଟଣା- କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷ୍ ରେଡ୍ଡୀ ଶନିବାର ଥୁ.ରାମପୁର ବ୍ଲକ ଗସ୍ତରେ ଆସି ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ କାଣିଗୁମାରେ କଫି ମିଶନର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୯.୩୩ ଏକର ଜାଗାରେ କଫି ବଗିଚା ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପର୍ଯ୍ୟାୟ କ୍ରମେ ଆଗାମୀ କିଛି ବର୍ଷ ମଧ୍ୟରେ ବ୍ଲକର ବିଭିନ୍ନ ଅଂଚଳରେ ପ୍ରାୟ ୫ ହଜାରରୁ ଅଧିକ ହେକ୍ଟର ଜମିରେ କଫିଚାଷ କରାଯିବାକୁ ଲକ୍ଷ୍ୟ ରହିଥିବା କୁହାଯାଇଛି । ଏଥିପାଇଁ ଜାଗା ଚିହ୍ନଟ କରିବାକୁ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବନବିଭାଗ ଏଥିରେ ସହ ଯୋଗ କରିବାକୁ ସେ କହିଛନ୍ତି । ଏହାପୂର୍ବରୁ ଜିଲ୍ଲାପାଳ ରେଡ୍ଡୀ ଜଳଛାୟା ପ୍ରକଳ୍ପ ମାଧ୍ୟମରେ ଗୁଣପୁର କାଠଘରାର ଦୁଇ ହିତାଧିକାରୀଙ୍କ ଆମ୍ବ ବଗିଚା ପରିଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅଡ୍ରୀଠାରେ ନିର୍ମାଣ ହେବାକୁ ଥିବା ନୂତନ ହାଇସ୍କୁଲ ଏବଂ ହଷ୍ଟେଲ ପାଇଁ ଜାଗା ଚିହ୍ନଟ କରାଯାଇଛି । ଜିଲ୍ଲା ଖଣିଜ ପାଣ୍ଠିରୁ ବ୍ଲକରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ । ଏଥିସହ ବଡବୋଫଲା ଠାରେ ମଧ୍ୟ ଜଳଛାୟା ପ୍ରକଳ୍ପ ଦ୍ୱାରା ହୋଇଥିବା ଚାରାରୋପଣ ସ୍ଥାନ ପରିଦର୍ଶନ କରିଥିଲେ । ସେଠାରେ ଫେରି ପଂଚାୟତ ସମିତି କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ଓଏଲଏମ ଅଧିକାରୀ, ଥୁ.ରାମପୁର ତହସିଲଦାର ଏବଂ ଥୁ.ରାମପୁର ଭାରପ୍ରାପ୍ତ ବିଡିଓଙ୍କ ସମେତ ବିଭିନ୍ନ ବିଭାଗରେ ପଦାଧିକାରୀ ଉପସ୍ଥିତ ଥିଲେ ।