ଘାରିଛି ପରିବେଶ ସୁରକ୍ଷା ଚିନ୍ତା, ଏଭଳି ବାର୍ତ୍ତା ନେଇ ସାଇକେଲରେ କରୁଛନ୍ତି ବିଶ୍ବ ଭ୍ରମଣ

ପରିବେଶ ସୁରକ୍ଷାକୁ ନେଇ ଘାରିଛି ଚିନ୍ତା । ପରିବେଶ ପାଇଁ ନିଜକୁ ସମର୍ପି ଦେଇଛନ୍ତି ସେ । ଏ କେଉଁ ମନଗଢା କାହାଣୀ କି ସିନେମାର ଦୃଶ୍ୟ ନୁହେଁ ଆଜ୍ଞା ଜଣେ ଯୁବକଙ୍କ ଜୀବନର ବାସ୍ତବିକ ଘଟଣା । ଯାହାଙ୍କ କଥା ଜାଣିଲେ ଆପଣ ବି ତାଜୁବ ହେବେ । ଏ ସମାଜରେ ସଭିଏଁ ନିଜ ନିଜ କାମରେ ବ୍ୟସ୍ତ । କାହାକୁ କାହା କଥା ଭାବିବାକୁ ବି ସମୟ ନାହିଁ । ଏହାରି ଭିତରେ ଜଣେ ଯୁବକ କିଛି ଭିନ୍ନ କରି ଆଜି ଚର୍ଚ୍ଚାର କେନ୍ଦବିନ୍ଦୁ ପାଲଟିଛନ୍ତି ।
ପରିବେଶ ସଚେତନତା ଓ ରକ୍ତଦାନର ବାର୍ତ୍ତା ନେଇ ଅସନ୍ତୁଳନ ପରିବେଶକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସାଇକେଲ ଧରି ବାହାରିଛନ୍ତି ବିଶ୍ବ ଭ୍ରମଣ ପାଇଁ । ପରିବେଶ ସୁରକ୍ଷା, ରକ୍ତଦାନ ତଥା ସାଇକେଲ ଚଳାଇ ସୁସ୍ଥ ରହିବା ଭଳି ମହତ ବାର୍ତ୍ତା ନେଇ ସାଇକେଲରେ ୱାର୍ଲ୍ଡ ଟୁର୍ କରିବାକୁ ବାହାରିଛନ୍ତି ଜଣେ ଯୁବକ । ସାଇକେଲରେ ବିଶ୍ବ ଭ୍ରମଣ କରିବା ଲାଗି ବାହାରିଥିବା ଯୁବକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ପ୍ରଶନ୍ନଜିତ୍ ଦାସ ଓରଫ ଜୋଜୋ ଦାଦା । ସେ ଜାନୁଆରୀ ୪ ତାରିଖରେ ନିଜ ଯାତ୍ରା ଆରମ୍ଭ କରିଥିବା ବେଳେ ବ୍ରହ୍ମପୁରରେ ପହଞ୍ଚିଥିଲେ । ବ୍ରହ୍ମପୁରରେ ପହଞ୍ଚିବା ପରେ ତାଙ୍କୁ ବ୍ରହ୍ମପୁର ସହରର ସବୁଜ ବାହୀନୀ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାରି ଭିତରେ ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ପରିଦର୍ଶନ କରିବା ସହ ସେଠାରେ ପରିବେଶ ସୁରକ୍ଷା ଓ ରକ୍ତ ଦାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ ପ୍ରଶନ୍ନଜିତ୍ । ପ୍ରଶନ୍ନଜିତ୍ ସାଇକେଲରେ ବିଶ୍ୱର ୧୯୫ ଟି ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ୧୨ଟି ଦେଶ ଭ୍ରମଣ କରିବେ ବୋଲି ସେ କହିଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କା ପର୍ଯ୍ୟନ୍ତ ଏହି ସାଇକେଲ ଯାତ୍ରାରେ ସେ ବାହାରିଛନ୍ତି । ବ୍ରହ୍ମପୁରରୁ ବାହାରି ପ୍ରଥମେ ଆନ୍ଧପ୍ରଦେଶ ପରେ ତାମିଲନାଡୁ ଏବଂ ଶେଷରେ ଶ୍ରୀଲଙ୍କା ଯାତ୍ରା କରିବେ । ଏହି ଯାତ୍ରାକୁ ଜାରି ରଖିବେ ବୋଲି କହିଛନ୍ତି ପ୍ରଶନ୍ନଜିତ୍ ।
ସତ କହିବାକୁ ଗଲେ ଏଦୁନିଆରେ ଏମିତି କିଛି କାମ ନାହିଁ ଯାହା ଅସମ୍ଭବ । ସବୁ ଅସମ୍ଭବକୁ ସମ୍ଭବ କରିବାର ଦକ୍ଷତା କେବଳ ଏଇ ମଣିଷ ପାଖରେ ହିଁ ଅଛି । ତେବେ ଯେଉଁ ଲକ୍ଷ ନେଇ ପ୍ରଶନ୍ନଜିତ୍ ଏହି ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ତାହା କେତେଦୂର ସଫଳ ହେବ ତାହା ସମୟ ହିଁ କହିବ ।