ଦେଶ ବିଦେଶ

୨୫ ବର୍ଷ ପରେ ମାନିଲା ପାକିସ୍ତାନ, କାର୍ଗିଲ ଯୁଦ୍ଧରେ ସାମିଲ ଥିଲା ସେନା

ରାୱଲପିଣ୍ଡି: କାର୍ଗିଲ ଯୁଦ୍ଧର ଦୀର୍ଘ ୨୫ ବର୍ଷ ପରେ ସତ ମାନିଛି ପାକିସ୍ତାନ ସେନା। ଯୁଦ୍ଧରେ ଏହାର ଭୂମିକାକୁ ପ୍ରଥମ ଥର ପାଇଁ ପାକିସ୍ତାନ ସେନା ସ୍ବୀକାର କରିଛି। ସେନାଧ୍ୟକ୍ଷ ଜେନେରାଲ ଅସିମ ମୁନିର କହିଛନ୍ତି ଯେ ଭାରତ ସହିତ ଏକାଧିକ ଯୁଦ୍ଧରେ ପାକିସ୍ତାନର ବହୁ ସୈନ୍ୟ ପ୍ରାଣ ହରାଇଛନ୍ତି। ଏଥିରେ ୧୯୪୮, ୧୯୬୫ ଓ ୧୯୭୧ ଭଳି ୧୯୯୯ର କାର୍ଗିଲ ଯୁଦ୍ଧ ମଧ୍ୟ ସାମିଲ ବୋଲି ସେ କହିଛନ୍ତି।

ରାୱଲପିଣ୍ଡିଠାରେ ପ୍ରତିରକ୍ଷା ଦିବସ ଉତ୍ସବ ପାଳନବେଳେ ମୁନିର କହିଛନ୍ତି ଯେ ସବୁ ଯୁଦ୍ଧରେ ପାକିସ୍ତାନର ହଜାର ହଜାର ସୈନ୍ୟ ଦେଶ ଓ ଇସ୍‌ଲାମ ପାଇଁ ପ୍ରାଣବଳି ଦେଇଛନ୍ତି। ଏମିତିକି ସିଆଚେନ୍‌ରେ ମଧ୍ୟ ଅନେକ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିବା ସେ କହିଛନ୍ତି। ସରକାରୀ ଭାବେ କିମ୍ବା ସର୍ବସାଧାରଣରେ ପାକିସ୍ତାନ ସେନା କେବେ ଏଭଳି ସତ୍ୟ ପ୍ରକାଶ କରିନଥିଲା। ପାକିସ୍ତାନ ସରକାର ଓ ସେନା ସବୁବେଳେ କାର୍ଗିଲ ଯୁଦ୍ଧ ମୁଜାହିଦ୍ଦିନ ଓ କାଶ୍ମୀରୀ ସ୍ବାଧୀନତା ସଂଗ୍ରାମୀମାନଙ୍କ କାମ ବୋଲି ଦର୍ଶାଇ ଯୁଦ୍ଧରେ ନିହତ ନିଜ ସୈନ୍ୟ ଓ ସେନାଧିକାରୀଙ୍କ ମୃତଦେହ ମଧ୍ୟ ଗ୍ରହଣ କରିନଥିଲା।
ଉଲ୍ଲେଖଯୋଗ୍ୟ ଯେ ୧୯୯୯ରେ ଲଦାଖ ଅନ୍ତର୍ଗତ କାର୍ଗିଲର ଟାଇଗର ହିଲ୍‌ ଅଞ୍ଚଳରେ ମେ’ରୁ ତିନି ମାସ ଧରି ଯୁଦ୍ଧ ଚାଲିଥିଲା। ପାକିସ୍ତାନୀ ସେନା ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରି ଯୁଦ୍ଧ ଚଳାଇଥିଲେ। ଏଥିରେ ୫୪୫ ସୈନ୍ୟଙ୍କ ପ୍ରାଣବଳି ବିନିମୟରେ ଭାରତ ବିଜୟୀ ହୋଇଥିଲା। ଏହି ଯୁଦ୍ଧରେ ପାକିସ୍ତାନ ସେନାର ସମ୍ପୃକ୍ତି ସମ୍ପର୍କରେ ଭାରତ ବହୁ ପ୍ରମାଣ ଦାଖଲ କରିଥିଲେ ମଧ୍ୟ ଆକ୍ରମଣକାରୀ ରାଷ୍ଟ୍ର ଏହାକୁ ଅସ୍ବୀକାର କରିଆସୁଥିଲା। ଯୁଦ୍ଧବନ୍ଦୀ ଥିବା ପାକିସ୍ତାନୀ ସେନା, ପେ’ ବୁକ୍‌, ସେନା ପୋଷାକ, ଅସ୍ତ୍ରଶସ୍ତ୍ର ଆଦି ପ୍ରମାଣ ସ୍ବରୂପ ଭାରତ ପାଖରେ ରହିଛି। ଆମେରିକା ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ତୁରନ୍ତ ସେନା ପ୍ରତ୍ୟାହାର ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ। ସରିଫ ପରବର୍ତ୍ତୀ ସମୟରେ ଖୋଲାଖୋଲି ପାକିସ୍ତାନୀ ସେନାର ଭୂମିକାକୁ ସମାଲୋଚନା କରିଥିଲେ। ଜେନେରାଲ ପରଭେଜ ମୁଶରଫ, ଲେଫ୍ଟନାଣ୍ଟ ଜେନେରାଲ ସାହିଦ ଅଜିଜଙ୍କ ଭଳି ୪ଜଣ ସେନାଧିକାରୀ ଏହି ଯୁଦ୍ଧ ପରିଚାଳନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button