ଏନ୍ଆଇଏ ତଦନ୍ତ ଆରମ୍ଭ: ପହଲଗାମରେ ସୁରକ୍ଷା ସ୍ଥିତି ସମୀକ୍ଷା କଲେ ଶାହ

ପହଲଗାମ: ମଙ୍ଗଳବାର କାଶ୍ମୀରର ପହଲଗାମରେ ଘଟିଥିବା ଲୋମହର୍ଷକ ଆତଙ୍କବାଦୀ ଆକ୍ରମଣରେ ଅନେକ ନିରୀହ ଲୋକଙ୍କ ମୃତ୍ୟୁ ଘଟିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଆକ୍ରମଣ ସ୍ଥଳର ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ଏହା ସହିତ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ)ର ଏକ ଟିମ୍ ଘଟଣାସ୍ଥଳରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି। ଫରେନ୍ସିକ ଟିମ୍ ମଧ୍ୟ ବିଭିନ୍ନ ନମୁନା ସଂଗ୍ରହ କରିଛି । ଜମ୍ମୁ-କାଶ୍ମୀର ପୁଲିସକୁ ମଧ୍ୟ ଏହି ମାମଲାରେ ଏନ୍ଆଇଏର ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ସହାୟତା କରୁଛି। ଜଣେ ଡେପୁଟି ଇନ୍ସପେକ୍ଟର ଜେନେରାଲ ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏନ୍ଆଇଏ ଟିମ୍ ବୈସାରଣ ଗସ୍ତ କରିଥିଲେ। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ପ୍ରକ୍ସି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ୍) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବାରୁ ଜମ୍ମୁ-କାଶ୍ମୀର ପୁଲିସକୁ ଏନ୍ଆଇଏର ସହାୟତା ସାମଗ୍ରିକ ତଦନ୍ତରେ ଏକ ପ୍ରମୁଖ ଭୂମିକାକୁ ସୂଚାଉଛି।
ଆଜି ଗୃହମନ୍ତ୍ରୀ ଶାହ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପ୍ରଥମେ ଆକାଶମାର୍ଗରୁ ଏହି ଅଞ୍ଚଳର ସମୀକ୍ଷା କରିଥିଲେ ଏବଂ ପରେ ହିଂସାକାଣ୍ଡ ଘଟିଥିବା ପଡ଼ିଆରେ ଓହ୍ଲାଇଥିଲେ। ଅମିତ ଶାହ କଡ଼ା ସୁରକ୍ଷା ମଧ୍ୟରେ ଅଞ୍ଚଳ ପରିକ୍ରମା କରିଥିଲେ ଏବଂ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସାମ୍ପ୍ରତିକ ପରିସ୍ଥିତି ଓ ଅଞ୍ଚଳରେ ଚାଲିଥିବା ଅପରେସନ୍ ବିଷୟରେ ଅବଗତ କରାଇଥିଲେ। ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ମଙ୍ଗଳବାରର ଏହି ଘଟଣା ସବୁଠାରୁ ଗମ୍ଭୀର ଆକ୍ରମଣ ବୋଲି ବିବେଚନା କରାଯାଉଛି। ମୃତକଙ୍କ ସରକାରୀ ହିସାବ ଏପର୍ଯ୍ୟନ୍ତ ସରକାର ପ୍ରକାଶ କରିନାହାନ୍ତି। ପହଲଗାମ ଯିବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀନଗରରେ ଏକ ସମାରୋହରେ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀନଗରର ପୁଲିସ କଣ୍ଟ୍ରୋଲ ରୁମ୍ ବାହାରେ ପୀଡ଼ିତଙ୍କ ପରିବାରକୁ ଭେଟିଥିଲେ। ଆତଙ୍କବାଦର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦୃଢ଼ ସଂକଳ୍ପ ପ୍ରକାଶ କରି ଅମିତ ଶାହ କହିଛନ୍ତି ଯେ ଭାରତ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଏହି ନୃଶଂସ ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ଶାହ କହିଛନ୍ତି।