ଦେଶ ବିଦେଶ

ଦୁଇ ଗୁଣ ହେଲା ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ସଂଘ

ଭୁବନେଶ୍ୱର : ରାଜ୍ୟ ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ କନଷ୍ଟେବଳ ଠାରୁ ଇନ୍‌ସପେକ୍ଟର ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ ହୋଇଛି ।  ଇନ୍ସପେକ୍ଟର ମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୩୦୦ ରୁ ୮୬୦୦ ଟଙ୍କା, ସବ୍‌ଇନ୍ସପେକ୍ଟର ଓ ଏ.ଏସ୍‌.ଆଇ ମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୨୦୦ ଟଙ୍କାରୁ ୮୪୦୦ ଟଙ୍କା, ହାବିଲଦାର, କନେଷ୍ଟବଳ ଓ ସିପାହୀ ମାନଙ୍କ ପାଇଁ ୫୦୦୦ ରୁ ୧୦,୦୦୦ ଟଙ୍କା ଏବଂ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍‌ସ ଆର୍ମି କର୍ମଚାରୀ ମାନଙ୍କ ପାଇଁ ପୋଷାକ ଭତ୍ତାର ପରିମାଣ ବାର୍ଷିକ ୫୯୦୦ ଟଙ୍କାରୁ ୧୧,୮୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହି ପଦବୀର ସମାନ ର‍୍ୟାଙ୍କର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ମଧ୍ୟ ଏହି ପରିମାଣରେ ଭତ୍ତା ମିଳିବ।
ସେହିପରି କନେଷ୍ଟବଳ, ସିପାହୀ ଓ ସମାନ ର‍୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ୍‌ଷ୍ଟ୍ରା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ (Extra Duty Incentive) ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାସହିତ ହାବିଲଦାର ଓ ସମାନ ର‍୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ୍‌ଷ୍ଟ୍ରା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଭତ୍ତା ଓ ପ୍ରୋତ୍ସାହନ ରାଶିରେ ବୃଦ୍ଧି ଯୋଗୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛି ସଂଘ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଘର କର୍ମକର୍ତ୍ତାମାନଙ୍କୁ ଦକ୍ଷତାର ସହ ଆଗାମୀ ଦିନରେ କାର୍ଯ୍ୟ କରିବାକୁ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଏକ ବୈଠକରେ ଉପସ୍ଥିତ ସମସ୍ତ ପୋଲିସ ସେବା କର୍ମଚାରୀ ମାନଙ୍କୁ ରାଜ୍ୟବାସୀଙ୍କ ଆଶା ଓ ଭରସାର ମାନ ରଖି ଓଡିଶାକୁ ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢି ତୋଳିବାରେ ନିଜର ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟ ପୋଲିସ ବାହିନୀରେ ପ୍ରାୟ ୧୬ ହଜାର ପଦବୀ ଖାଲି ଥିବାବେଳେ, ଆହୁରି ୧୬, ୦୫୯ଟି ନୂଆ ପଦବୀ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବୈଠକ ଆରମ୍ଭରେ ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ସ୍ୱାଗତଭାଷଣ ଦେବା ସହିତ ନିକଟରେ ପୋଲିସ ବାହିନୀର ବିଭିନ୍ନ ବିଭାଗକୁ ସଶକ୍ତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । କନେଷ୍ଟବଳ, ହାବିଲଦାର ଓ ସିପାହୀ ମହାସଂଘର ସଭାପତି ଅନିଲ କୁମାର ଷଣ୍ଢ , ସଂପାଦକ କିଶୋର କୁମାର ମହାନ୍ତି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button