ପୂର୍ବତନ ସ୍ତ୍ରୀ ଓ ଆଉ ୨ଜଣଙ୍କୁ ହତ୍ୟା କରି ଜୀବନ ହାରିଲେ ‘ବଡିବିଲଡର୍’ – Utkal Mail
ସାରେୟୋଭ୍: ଶୁକ୍ରବାର ଦିନ ‘ଇନ୍ଷ୍ଟାଗ୍ରାମ୍’ରେ ଷ୍ଟ୍ରିମିଙ୍ଗ୍ କରି ପୂର୍ବତନ ସ୍ତ୍ରୀ’ଙ୍କୁ ଗୁଳି ମାରି ହତ୍ୟା କରିବା ପରେ ବୋଜ୍ନିଆ ଦେଶର ଜଣେ ‘ବଡିବିଲଡର୍’ ଖସି ପଳାଉଥିବା ବେଳେ ବାଟରେ ଆଉ ୨ଜଣଙ୍କୁ ହତ୍ୟା କରି ଶେଷରେ ନିଜେ ଜୀବନ ହାରିଥିବା କଥା ପୁଲିସ ଓ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ବୋଜ୍ନିଆର ଉତ୍ତରପୂର୍ବାଞ୍ଚଳରେ ଥିବା ସହର ଗ୍ରାଡାକାକ୍ରେ ଏହି ଆକ୍ରମଣ ଘଟଣା ଘଟିଥିଲା। ଠାବ କରାଯାଇ ଗିରଫ ହେବା ପୂର୍ବରୁ ଆକ୍ରମଣକାରୀ ଆଉ ୩ଜଣଙ୍କୁ ଆହତ କରି ଜୀବନ ହରାଇଥିଲେ ବୋଲି ଜାରି କରିଥିବା ବିବୃତିରେ ତୁଲ୍ଜା ନଗରୀର ପୁଲିସ କହିଛି।
ପ୍ରୋସିକ୍ୟୁଟର୍ କହିଛନ୍ତି ଯେ, ପୂର୍ବତନ ସ୍ତ୍ରୀ’ଙ୍କୁ ହତ୍ୟା କରିବା ପରେ ପିସ୍ତଲ ଧରିଥିବା ଆତତାୟୀଜଣକ ଗ୍ରାଡାକାକ୍ ସହରର ରାସ୍ତାକୁ ବାହାରି ଯାଇଥିଲେ। ସେଠାରେ ସେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅକୁ ଗୁଳିମାରି ହତ୍ୟା କରିଥିଲେ। ସହରର ବିଭିନ୍ନ ପ୍ରାନ୍ତରେ ସେ ଜଣେ ପୁଲିସ ଅଧିକାରୀ, ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ବି ଆହତ କରିଛନ୍ତ।

ଏହି ହତ୍ୟାକାଣ୍ଡର ସମ୍ଭାବ୍ୟ କାରଣ ସଂକ୍ରାନ୍ତରେ ପୁଲିସ ଓ ସରକାରୀ ଅଧିକାରୀମାନେ ତୁରନ୍ତ କିଛି କହିନାହାନ୍ତି। କିନ୍ତୁ, ସରକାରୀ ଅଧିକାରୀ ଓ ବୋଜ୍ନିଆର ଗଣମାଧ୍ୟମ କହିଛନ୍ତି ଯେ, ପୂର୍ବତନ ସ୍ବାମୀ ତାଙ୍କୁ ହତ୍ୟା ଧମକ ଦେଉଛନ୍ତି ବୋଲି ପୂର୍ବତନ ସ୍ତ୍ରୀ ଆଗରୁ ରିପୋର୍ଟ କରିଥିଲେ। ଆତତାୟୀ ‘ବଡିବିଲ୍ଡର୍’ ଗ୍ରାଡାକାକ୍ ସହର ନିବାସୀ ନେର୍ମିନ୍ ସୁଲେଜମାନୋଭିକ୍ ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି। ପୁଲିସରେ ତାଙ୍କର ରେକର୍ଡ ରହିଛି।
ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ସୁଲେଜମାନୋଭିକ୍ ‘ଇନ୍ଷ୍ଟାଗ୍ରାମ୍’ରେ ଭିଡିଓ ପୋଷ୍ଟ୍ କରି କହିଥିଲେ ଯେ, ସେମାନେ ଗୋଟାଏ ‘ମର୍ଡର୍ ଲାଇଭ୍’ ଦେଖିବେ। ତା’ପରେ ଉକ୍ତ ଭିଡିଓରେ ଦେଖାଯାଉଛି ସେ ବନ୍ଧୁକଟିଏ ଧରି ଜଣେ ମହିଳାଙ୍କ କପାଳରେ ଗୁଳି ମାରୁଛନ୍ତି। ଆଖପାଖରୁ କେଉଁଠୁ ଗୋଟାଏ ପିଲାର କାନ୍ଦ ବି ଶୁଭୁଛି। ପରେ ‘ଇନ୍ଷ୍ଟାଗ୍ରାମ୍’ରୁ ସେ ଭିଡିଓ ହଟାଇ ଦିଆଯାଇଥିଲା।
ପୁଲିସ ଖୋଜୁଥିବା ବେଳେ ସୁଲେଜମାନୋଭିକ୍ ଆଉ ୨ଜଣ ବ୍ୟକ୍ତିଙ୍କୁ ହତ୍ୟା କରୁଥିବାର ଭିଡିଓ ମଧ୍ୟ ‘ଇନ୍ଷ୍ଟାଗ୍ରାମ୍’ରେ ପୋଷ୍ଟ୍ କରିଥିଲେ। ଏହି ଲାଇଭ୍ଷ୍ଟ୍ରିମ୍କୁ ୧୨,୦୦୦ ଲୋକ ଦେଖିଥିଲେ ଓ ଏହା ୧୨୬ଟି ‘ଲାଇକ୍’ ପାଇଥିବା କଥା ପରେ ସରକାରୀ ଅଧିକାରୀମାନେ କହିଥିଲେ।