ଓଡିଶା

୩୧ରେ ଜୟଭାରତ ଫାଉଣ୍ଡେସନର ୨୩ତମ ଭାରତ ପ୍ରତିଭା ସମ୍ମାନ

କଟକ, ୨୫/୮ ଜୟଭାରତ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ଭାରତ ପ୍ରତିଭା ସମ୍ମାନ ପବିତ୍ର ଗଣେଶ ଚତୁର୍ଥୀରେ ଅନୁଷ୍ଠିତ ହେବାକୁ ଯାଉଛି । ଦେଶରେ ଓଡିଶାର ଗାରିମାକୁ ବଢାଇଥିବା ଅନନ୍ୟ ପ୍ରତିଭାଙ୍କୁ ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ । ଚଳିତ ବର୍ଷ ଦେଶ ପାଇଁ ବ୍ୟାଡମିଣ୍ଟନ ଖେଳି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପାରା ଅଲିମ୍ପିଆନ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ଭାରତ ଗୈାରବ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ସାହିତ୍ୟ କ୍ଷେତ୍ରରେ କଥାକାର ପ୍ରଫେସର ଡ. ଦାଶରଥି ଦାସଙ୍କୁ ‘କଥା ଭାରତ’, ପ୍ରଶାସନିକ ସେବା କ୍ଷେତ୍ରରେ ଓଡିଆ ପୁଅ ଆଇଆରଏସ ମନୋରଂଜନ ପାଣିଗ୍ରାହୀଙ୍କୁ ‘ସେବା ଭାରତ’, ମହିଳା କ୍ରିକେଟ ଖେଳରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବା ଓଡିଆ ଝିଅ ମଧୁସ୍ମିତା ବେହେରାଙ୍କୁ ‘କ୍ରୀଡା ଭାରତ’, ଓଡିଶା ସିନେ ଜଗତର ବରିଷ୍ଠ କଳାକାର ତଥା ପ୍ରଯୋଜକ, ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ‘ସଂସ୍କୃତି ଭାରତ ସମ୍ମାନ’ ପ୍ରଦାନ କରାଯିବ । ବିଶେଷକରି ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା +୨ ବାଣିଜ୍ୟରେ ଶୁଭଶ୍ରୀ ପଟ୍ଟନାୟକ, କଳାରେ ପ୍ରିୟଙ୍କା ସାହୁ ଓ ବିଜ୍ଞାନରେ ଜିତେନ ମହାଳିକଙ୍କୁ ‘ବିଦ୍ୟା ଭାରତ ସମ୍ମାନ’ରେ ସମ୍ମାନିତ ସହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଆସନ୍ତା ୩୧ ତାରିଖ ଗଣେଶ ପୂଜା ଅବସରରେ ଏକ ଭବ୍ୟ ସମାରୋହରେ ଏମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜୟଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଭାରତ ମସଲା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ କହିଥିଲେ, ପୂଜ୍ୟ ପୂଜାର ପରମ୍ପରା ଓ ସଂସ୍କୃତିକୁ ଜୟଭାରତ ଫାଉଣ୍ଡେସନ ଦୀର୍ଘ ୨୩ ବର୍ଷ ଧରି ମହା ସମାରୋହରେ ପାଳନ କରିଆସୁଛି । ରାମଦାସପୁର ଭାରତ ମସଲା କମ୍ପାନୀ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉଦଘାଟକ ଓ ଗ୍ରାମ୍ୟ ଦକ୍ଷତା, ବୈଷୟିକ ଶିକ୍ଷା ବିକାଶ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ ମୁଖ୍ୟ ଅତିଥି, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ନିର୍ଦ୍ଦେଶିକା ନନ୍ଦିତା ପଣ୍ଡା, ନମିତା ପଣ୍ଡା, ଅପରେସନ ଜିଏମ ଅରୁଣ କୁମାର ନାୟକ ଏବଂ ପ୍ରଡକ୍ସନ ଜିଏମ ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶରଣାବିନ୍ଦ ଓଝା ସଂଯୋଜନା କରିଥିଲା ବେଳେ ସାଧାରଣ ପରିଚାଳକ ଅଶ୍ୱିନୀ କୁମାର ଦାସ ଧନ୍ୟବାଦ ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button