ଦେଶ ବିଦେଶ

ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକ୍‌କୁ ଘାରିଛି ଔଷଧ ଚିନ୍ତା

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ସହ ସମସ୍ତ ବ୍ୟାପାର ସମ୍ୱନ୍ଧୀୟ ସମ୍ପର୍କ ତୁଟାଇବା ପରେ ଏବେ ନିଜେ ଚିନ୍ତାରେ ପାକ୍। ପାକିସ୍ତାନ ଏବେ ଜରୁରୀକାଳୀନ ଭାବେ ଔଷଧ ମହଜୁଦ କରିବାରେ ଲାଗିପଡିଛି । ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ପରେ ପାକିସ୍ତାନ ବି ଏହାର ଜବାବ ଦେଇ କିଛି ଆକ୍ସନ ନେଇଛି । ଆଉ ନୂଆଦିଲ୍ଲୀ ସହ ସମସ୍ତ ବ୍ୟାପାରକୁ ନିଲମ୍ୱନ କରିଛି । ସୂଚନା ଅନୁସାରେ ବ୍ୟାପାର ନିଲମ୍ୱିତ ହେବା ପରେ ପାକିସ୍ତାନ ଔଷଧର ଆବଶ୍ୟକତାକୁ ପୂରା କରିବା ପାଇଁ ତତ୍କାଳ ଉପାୟ ଖୋଜିବାରେ ଲାଗିପଡ଼ିଛି । କାରଣ ଔଷଧ ଆଉ ସ୍ୱାସ୍ଥ୍ୟକ୍ଷେତ୍ରରେ ପାକିସ୍ତାନ ଭାରତ ଉପରେ ହିଁ ନିର୍ଭର କରିଥାଏ ।

ତେବେ ପାକିସ୍ତାନ ମେଡିସିନ୍ ଆବଶ୍ୟକତା ପୂରଣ ନେଇ ଔଷଧ ବିନିୟାମକ ପ୍ରାଧିକରଣ ପୃଷ୍ଟି କରିଛି । ହେଲେ ଔଷଧ କ୍ଷେତ୍ରରେ ପ୍ରତିବନ୍ଧକ ପ୍ରଭାବ ନେଇ କୌଣସି ଔପଚାରିକ ଅଧିସୂଚନା ଦିଆଯାଇନାହିଁ । ହେଲେ ପାକିସ୍ତାନ ଆକସ୍ମିକ ଭାବେ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି । ପାକିସ୍ତାନ ଔଷଧ ପାଇଁ ୩୦ରୁ ୪୦ ପ୍ରତିଶତ କଞ୍ଚାମାଲ ଭାରତ ଉପରେ ନିର୍ଭର କରିଥାଏ । ଯେଉଁଥିରେ ସକ୍ରିୟ ଔଷଧ ସାମଗ୍ରୀ ଓ ବିଭିନ୍ନ ଉନ୍ନତ ଚିକିତ୍ସା ଉତ୍ପାଦ ସାମଗ୍ରୀ ସାମିଲ ଅଛି । ତେଣୁ ଭାରତ ସହ ସମ୍ପର୍କ ଛିନ୍ନ କରି ପାକ୍ ଏବେ ଚୀନ ଋଷ ଓ ଅନ୍ୟ ୟୁରୋପୀୟ ଦେଶଠାରୁ ସାହାଯ୍ୟ ଆଶାରେ ରହିଛି ।

ପାକିସ୍ତାନ ସରକାରର ସ୍ୱାସ୍ଥ୍ୟ ବିଭାଗ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି କହୁଛି । ହେଲେ ସେଠାକାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ପାକିସ୍ତାନ ଭାରତ ସହ ବ୍ୟାପାର ନିଲମ୍ୱନର ପରିଣାମରୁ ବର୍ତ୍ତିବା ପାଇଁ ତତ୍କାଳ କାର୍ୟ୍ୟାନୁଷ୍ଠାନ ନନିଏ ତେବେ ବଡ ବିପଦ ଛିଡା ହୋଇପାରେ । ସେହିପରି ଡିଆରଏପିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୧୯ର ସଙ୍କଟ ପରେ ଆମେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲୁ । ଏବେ ଆମେ ନିଜ ଔଷଧ ଆବଶ୍ୟକତାକୁ ପୂରା କରିବାକୁ ଅନ୍ୟ ବିକଳ୍ପ ଖୋଜୁଛୁ ।

ଏପ୍ରିଲ ୨୨ ତାରିଖରେ ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୮ ଜଣ ପର୍ୟ୍ୟଟକଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ଦୋହଲିଯାଇଥିଲା ପୂରା ଦେଶ । ସାରା ବିଶ୍ୱରେ ଏହି ଖବର ହେଡଲାଇନ ପାଲଟିଯାଇଥିଲା । ଆତଙ୍କୀମାନେ ଯେଉଁଭଳି ଭାବେ ନରସଂହାର କରିଥିଲେ ସେଥିରେ ବଦଲା ନେବାକୁ ରକ୍ତଚାଉଳ ଚୋବାଉଛି ଭାରତ ।

ଏହି ଖବର ପାଇବା ପରେ ସାଉଦିଆରବ ଗସ୍ତକୁ କାଣ୍ଟଛାଣ୍ଟ କରି ତୁରନ୍ତ ଭାରତ ଫେରିଆସିଥିଲେ ପ୍ରଧାନମନ୍ତ୍ରୀ । ଆଉ କହିଥିଲେ ଆତଙ୍କବାଦୀଙ୍କୁ ଶାସ୍ତି ମିଳିବ, ଆଉ ଏମିତି ଶାସ୍ତି ମିଳିବ ଯାହା ସେମାନେ କେବେ କଳ୍ପନା କରିନଥିବେ । ଏହାପରେ ଭାରତ ପକ୍ଷରୁ ପାକିସ୍ତାନ ସହ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିଦିଆଯାଇଥିଲା । ସିନ୍ଧୁ ଚୁକ୍ତି ରଦ୍ଦ କରିବା ସହ, ଓ୍ୱାଘା ବର୍ଡରକୁ ବନ୍ଦ କରିଦେଇଥିଲା ଭାରତ । ଆଉ ପାକିସ୍ତାନୀଙ୍କ ଭିସା ରଦ୍ଦ କରିବା ସହ ଭାରତରେ ଥିବା ସମସ୍ତ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ କୁହାଯାଇଥିଲା । ଆଉ ଭାରତର ଏହି ସବୁ ଆକ୍ସନ ଦେଖି ଛାନିଆ ହେଲାଣି ପାକିସ୍ତାନ ।

Related Articles

Leave a Reply

Your email address will not be published. Required fields are marked *

Back to top button