ଘରୁ ଡାକି ନେଇ ଜିଆର୍ଏସ୍ଙ୍କୁ ହତ୍ୟା: ରାତିରୁ ନିଖୋଜ, ସକାଳେ ରାସ୍ତାକଡ଼େ କ୍ଷତାକ୍ତ ଶବ – Utkal Mail
ମହିଳାଙ୍କ ସମେତ ୩ ଅଟକ
ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ସାନଉସ୍ତାପଡ଼ା ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ସୁଶୀଲ କୁମାର ମହାନ୍ତି (୨୯)ଙ୍କୁ ହତ୍ୟା କରାଯାଇଛି। ବୁରୁଝରି ପଞ୍ଚାୟତ କନିଆରିବାଡ଼ି ରାସ୍ତାକଡ଼ରୁ ଆଜି ସକାଳେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଜବତ କରାଯାଇଛି। କୌଣସି ମାରଣାସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରାଯାଇଥିବା ପୁଲିସ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି କହୁଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ଏନେଇ ବେଗୁନିଆପଡ଼ା ଥାନାରେ କେସ୍ ନମ୍ବର ୩୯୪ ଅନୁସାରେ ଏକ ମାମଲା ରୁଜୁ କରି ପୁଲିସ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ରାଜୁ ମହାନ୍ତିଙ୍କ ସାନପୁଅ ସୁଶୀଲଙ୍କ ଘର କନିଆରିବାଡ଼ି ଗ୍ରାମରେ।
ସେ କିଛିମାସ ତଳେ ବେଗୁନିଆପଡ଼ା ବ୍ଲକ୍ ଦିଗାପଡ଼ା ପଞ୍ଚାୟତରୁ ସାନଉସ୍ତାପଡ଼ା ପଞ୍ଚାୟତକୁ ବଦଳି ହୋଇଥିଲେ। ଗତକାଲି ରାତିରେ ଫୋନ୍ କଲ୍ ପାଇ ସୁଶୀଲ ଘରୁ ବାହାରି ଗଲେ, ଆଉ ଫେରି ନଥିଲେ। କନିଆରିବାଡ଼ି ଗାଁ ନିକଟ ତିନିଛକିଆ ରାସ୍ତାକଡ଼ ବୁଦା ପାଖରେ ସୁଶୀଲଙ୍କ କ୍ଷତାକ୍ତ ଶବ ପଡ଼ିଥିବା ବେଳେ ବାଇକ୍ଟି କିଛି ଦୂରରେ ଥିଲା। ମୃତ ଦେହ ନିକଟରେ ଏକ ପ୍ଲାଷ୍ଟିକ୍ ଗ୍ଲାସ୍ ପଡ଼ିଥିଲା। ହାତ ଓ ମୁହଁରେ ଗୁରୁତର ଆଘାତ ଲାଗିଥିଲା। ଖବର ପାଇ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି।