ପୁରୁଣା ରାଗ ରଖି ଶିକ୍ଷକଙ୍କୁ ଛୁରୀ ମାରିଲା ଛାତ୍ର; ସିସିଟିଭିରେ କଏଦ ହେଲା ଦୃଶ୍ୟ – Utkal Mail
ମୁମ୍ବାଇ: ମୁମ୍ବାଇର ମୀରା ଭାୟନ୍ଦର ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଶିକ୍ଷକ ଜଣେ ଛାତ୍ରକୁ ପାଠ ପଢ଼ାରେ ଧ୍ୟାନ୍ ଦେବା ସହ ଛାତ୍ରୀମାନଙ୍କ ସହ ବେଶି ଗପସପ ନକରିବାକୁ କହିଥିବାରୁ ରାଗରେ ଆସି ଛାତ୍ର ଜଣକ ନିଜର ପୂର୍ବ ଟ୍ୟୁଟର୍ ସାର୍ଙ୍କୁ ଛୁରୀ ଭୁସି ଦେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଥରେ ଛାତ୍ରକୁ ଶିକ୍ଷକ ଏପରି ବୁଝାଇ ଥିବାରୁ ରାଗରେ ଅାସି ଛାତ୍ର ଜଣକ ଏପରି କରିଥିବା ସୂଚନା ରହିଛି। ଶିକ୍ଷକ ଜଣକ ଚଳାଉଥିବା ଏକ କୋଚିଂ ସେଣ୍ଟର୍ରେ ଛାତ୍ର ପାଠ ପଢୁଥିଲେ। ଏପରି ଜଘନ୍ୟ କାଣ୍ଡ ଘଟାଇବା ପରେ ଛାତ୍ରକୁ ପୁଲିସ୍ ହେପାଜତରେ ନିଆଯାଇଛି।
ସୂଚନାରୁ ପ୍ରକାଶ ଯେ, ପୀଡ଼ିତ ଜଣକ ହେଉଛନ୍ତି ୨୬ ବର୍ଷୀୟ ରାଜୁ ଠାକୁର୍ (୨୬)। ସେ ଏକ ବେସରକାରୀ କୋଚିଂ କ୍ଲାସ୍ ଚଳାନ୍ତି। ସେ ତାଙ୍କର କିଛି ଛାତ୍ରଙ୍କ ଅଭିଭାବକଙ୍କ ସହ କଥା ହେବା ବେଳେ ଅଭିଯୁକ୍ତ ତାଙ୍କୁ ଛୁରୀ ଭୁସି ହତ୍ୟା ଆକ୍ରମଣ କରିଥିଲେ।
କାଶିମୀରାର ପେନ୍କାରପାଡ଼ାରେ ହୋଇଥିବା ଏହି ସଂପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି। ଶିକ୍ଷକ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଘଟିବାର କିଛି ଦିନ ପୂର୍ବରୁ ହିଁ ଅଭିଯୁକ୍ତଙ୍କର ପୀଡ଼ିତଙ୍କ ସହ ବିବାଦ ହୋଇଥିଲା। ସେହି ରାଗ ରଖି ଅଭିଯୁକ୍ତ ଛାତ୍ର ଏପରି ଆକ୍ରମଣ କରିଛି। ଭାଇରାଲ୍ ସିସିଟିଭି ଫୁଟେଜ୍ରୁ ଦେଖିବାକୁ ମିଳିଛି ଯେ ଛାତ୍ର ଜଣକ ଶିକ୍ଷକଙ୍କୁ ବାରମ୍ବାର ଛୁରୀ ମାରିଚାଲିଛି। ସେ ଲଗାତାର ଶିକ୍ଷକଙ୍କ ପିଠି ଓ ପେଟରେ ଛୁରୀ ମାରିବା ପରେ ଶିକ୍ଷକ ଜଣକ ଗୁରୁତର ହୋଇ ପଡ଼ିଥିଲେ।



