ଦେଶ ବିଦେଶ

ଅପରେସନ୍‌ ସିନ୍ଦୂର: ୮ ଘଣ୍ଟାରେ ଆଣ୍ଠେଇଲା ପାକିସ୍ତାନ, ସିଡିଏସ୍‌

ନୂଆଦିଲ୍ଲୀ: ଅପରେସନ୍‌ ସିନ୍ଦୂର ଏବଂ ପାକିସ୍ତାନର ଆକ୍ରମଣ ସମ୍ପର୍କରେ ଆଜି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ଅନେକ ତଥ୍ୟ ସାର୍ବଜନୀନ କରିଛନ୍ତି। ପାକିସ୍ତାନ ଭାରତ ଉପରେ ଆକ୍ରମଣ ପାଇଁ ୪୮ ଘଣ୍ଟିଆ ଯୋଜନା କରିଥିବା ବେଳେ ଭାରତର କଡ଼ା ଜବାବରେ ମାତ୍ର ୮ଘଣ୍ଟା ମଧ୍ୟରେ ପାକିସ୍ତାନ ଆଣ୍ଠେଇବାକୁ ବାଧ୍ୟ ହୋଇଥିଲା ଏବଂ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ଏତେ କ୍ଷୀପ୍ର ଓ ପ୍ରଭାବୀ ହେବ ବୋଲି ପାକିସ୍ତାନ କଳ୍ପନା କରିନଥିଲା ବୋଲି ସିଡିଏସ୍‌ କହିଛନ୍ତି।

ଜେନେରାଲ ଚୌହାନ କହିଛନ୍ତି, ମେ ୧୦ ତାରିଖ ରାତି ୧ଟାରେ ପାକିସ୍ତାନର ଯୋଜନା ଥିଲା  ଯେ ଭାରତରେ ଆକ୍ରମଣ କରି ଏକ ବିଶାଳ ଲକ୍ଷ୍ୟ ହାସଲ କରିବ। ୪୮ ଘଣ୍ଟା ପର୍ଯ୍ୟନ୍ତ ଏହାର ଅପରେସନ୍ ଜାରି ରହିବ ବୋଲି ପାକିସ୍ତାନ ଅନୁଭବ କରିଥିଲା ଏବଂ ସେହି ଆଧାରରେ ନିଜର ସମ୍ବଳ ପ୍ରସ୍ତୁତ କରିଥିଲା। କିନ୍ତୁ ଯେତେବେଳେ ଭାରତ ଜବାବ ଦେବା ଆରମ୍ଭ କଲା, ମାତ୍ର ୮ ଘଣ୍ଟା ମଧ୍ୟରେ ପାକିସ୍ତାନ ତା’ର ରଣନୀତି ଛାଡ଼ିବାକୁ ବାଧ୍ୟ ହୋଇଥିଲା ବୋଲି ସେ କହିଛନ୍ତି। ପାକିସ୍ତାନ ଆକ୍ରମଣ ଆରମ୍ଭ କରିବା ମାତ୍ରେ ଭାରତ ପ୍ରଥମ ପର୍ଯ୍ୟାୟରେ ନୁର ଖାନ୍‌, ମୁରିଦକେ ଏବଂ ରଫିକି ଭଳି ଏହାର ଗୁରୁତ୍ବପୂର୍ଣ୍ଣ ଏୟାରବେସ୍‌କୁ କ୍ଷେପଣାସ୍ତ୍ର ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ପରିସ୍ଥିତି ଖରାପ ହେବାପରେ ପାକିସ୍ତାନର ଡିଜିଏମଓ ଭାରତର ଡିଜିଏମଓଙ୍କୁ ଫୋନ୍‌ କରି କହିଥିଲେ ଯେ ଇସଲାମାବାଦ ଆଲୋଚନା ଚାହୁଛି । ପାକିସ୍ତାନ ଆକଳନ କରିନେଇଥିଲା ଯେ ଯଦି ଦୀର୍ଘ ସମୟ ଧରି ଅପରେସନ୍ ଜାରି ରହେ, ତା’ହେଲେ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିବ। ଏଥିସହିତ ଯେତେବେଳେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ପାଇଁ ଅନୁରୋଧ କରାଯାଇଥିଲା, ସେତେବେଳେ ଆମେ ମଧ୍ୟ ରାଜି ହୋଇଥିଲୁ।

୪୮ ଘଣ୍ଟିଆ ଆକ୍ରମଣ ପାଇଁ ଯୋଜନା କରିଥିଲା
ଯୁଦ୍ଧରେ କ୍ଷୟକ୍ଷତି ନୁହେଁ, ଫଳାଫଳ ଗୁରୁତ୍ବପୂର୍ଣ୍ଣ
ଅପରେସନ୍ ସମାପ୍ତିର ୫ ମିନିଟ୍‌ ପରେ ପାକ୍‌କୁ ଜଣାଇଥିଲୁ

‘ଅପରେସନ ସିନ୍ଦୂର’ର ପ୍ରଥମ ରାତିରେ ଭାରତର ଆକ୍ରମଣ ଆରମ୍ଭ ହେବାର ୫ ମିନିଟ୍‌ ପରେ ପାକିସ୍ତାନକୁ ଆନୁଷ୍ଠାନିକ ଭାବେ ଖବର ଦିଆଯାଇଥିଲା। ଏହାର ତିନି ଦିନ ପରେ ମେ ୧୦ରେ ପାକିସ୍ତାନ  ଆମ ସୀମାର ୨୬ଟି ଅଞ୍ଚଳରେ ଆକ୍ରମଣ କରିଥିଲା।  ଉଧମପୁର, ପଠାନକୋଟ, ଆଦମପୁର ଓ ଭୁଜ ଏୟାରଫୋର୍ସ ଷ୍ଟେସନକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। ଏହାବ୍ୟତୀତ ବାୟୁସେନା ଷ୍ଟେସନର ସ୍କୁଲ ଓ ମେଡିକାଲ ସେଣ୍ଟରକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ୧୦ ତାରିଖ ରାତି ପ୍ରାୟ ୧ଟା ବେଳେ ପାକିସ୍ତାନ ହାଇସ୍ପିଡ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଭାରତ ଆକାଶମାର୍ଗରେ ସମସ୍ତ କ୍ଷେପଣାସ୍ତ୍ର ଖସାଇ ଦେଇଥିଲା।

ପାକିସ୍ତାନର ୭ଟି ଏୟାରବେସକୁ ଧ୍ୱଂସ କରିବାରେ ଆମେ ସକ୍ଷମ ହୋଇଥିଲୁ ବୋଲି ପୁଣେ ବିଶ୍ୱବିଦ୍ୟାଳୟରେ ‘ଯୁଦ୍ଧ ଓ ଯୁଦ୍ଧର ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ରରେ ସିଡିଏସ୍‌ କହିଛନ୍ତି। ଆମେ ପେସାଦାର ଶକ୍ତି ଭାବେ ଶତ୍ରୁର ମୁକାବିଲା କରୁଛୁ। ଯୁଦ୍ଧରେ କ୍ଷତି ଗୁରୁତ୍ବପୂର୍ଣ୍ଣ ନୁହେଁ, ଫଳାଫଳ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସିଡିଏସ୍‌ କହିଛନ୍ତି । ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ଏକ ଯୁଦ୍ଧ ରଣନୀତିର ସପଳ ଉଦାହରଣ ଯେଉଁଥିରେ ସେନ୍ସର ଟେକ୍ନୋଲୋଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଦ୍ବିତୀୟତଃ, ବ୍ରହ୍ମୋସ୍ ଏବଂ ଷ୍ଟିଲ୍ଥ ଟେକ୍ନୋଲୋଜି ଭଳି ହାଇପରସୋନିକ୍ କ୍ଷେପଣାସ୍ତ୍ର ଏହି ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି।  ଯୁଦ୍ଧ କେବଳ ବଳ ପ୍ରୟୋଗ ନୁହେଁ, ବରଂ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବାର ଏକ ମାଧ୍ୟମ ବୋଲି ସିଡିଏସ୍‌ କହିଛନ୍ତି। ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ କରିବା ଦରକାର ଏବଂ ଆତଙ୍କବାଦକୁ ନେଇ ଭାରତର ଶୂନ୍ୟ ସହନଶୀଳତା ନୀତିରେ କୌଣସି ସାଲିସ ହେବନାହିଁ। ଆଜିର ଯୁଦ୍ଧ କେବଳ ପାରମ୍ପରିକ ବଳ ପ୍ରୟୋଗରେ ସୀମିତ ନୁହେଁ, ବରଂ ଏହା ବିଭିନ୍ନ କୂଟନୈତିକ, ସୂଚନାମୂଳକ, ସାମରିକ ଏବଂ ଅର୍ଥନୈତିକ ଉପକରଣ ମାଧ୍ୟମରେ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବାର ଏକ ପ୍ରକ୍ରିୟା ବୋଲି ସିଡିଏସ୍‌ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button