ଧରାପଡ଼ିଲା ମନ୍ଦିର ନିକଟରେ ୬ ବର୍ଷୀୟ ବାଳିକାକୁ ମାରିଥିବା କଲରାପତ୍ରିଆ – Utkal Mail
ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତି ଅନ୍ତର୍ଗତ ପ୍ରସିଦ୍ଧ ତିରୁମାଲା ମନ୍ଦିର ନିକଟରେ ଜଣେ ୬ ବର୍ଷୀୟ ବାଳିକାକୁ ଆକ୍ରମଣ କରି ମାରି ପକାଇଥିବା କଲରାପତ୍ରିଆଟି ଧରାପଡ଼ିଥିବା କଥା ପୁଲିସ କହିଛି।
ସେ ଅଞ୍ଚଳରେ ଲଗାଯାଇଥିବା ଡଜନାଧିକ କ୍ୟାମେରାରୁ ୫ଟି ସ୍ଥାନରେ ଲାଗିଥିବା କ୍ୟାମେରାରେ ଶନିବାର ରାତିରେ ଉକ୍ତ କଲରାପତ୍ରିଆ ଚଳାଚଳ ରେକର୍ଡ କରାଯାଇଥିଲା। ତାହାକୁ ଆଧାର କରି ବନ ଅଧିକାରୀମାନେ ସେ କଲରାପତ୍ରିଆକୁ ଧରିବା ପାଇଁ ଯନ୍ତା ବସାଇଥିଲେ।
ସୂଚନାଯୋଗ୍ୟ, ଲକ୍ଷିତା ନାମ୍ନୀ ସେ ୬ ବର୍ଷୀୟ ବାଳିକା ଗତ ସପ୍ତାହରେ ବାପାମାଆଙ୍କ ସହିତ ପାହାଡ଼ ଚଢୁଥିବା ବେଳେ ବଣକୁ ଚାଲିଯାଇଥିଲା ବୋଲି ସନ୍ଦେହ କରାଯାଉଛି।
ତିରୁପତିସ୍ଥିତ ପାହାଡ଼ ଉପରେ ଥିବା ମନ୍ଦିରକୁ ପଡ଼ିଥିବା ପାଦଚଲା ରାସ୍ତା ପାର୍ଶ୍ବରେ ଥିବା ଅନ୍ୟ ଗୋଟାଏ ମନ୍ଦିର ପାଖ ଅରମାରୁ ଲକ୍ଷିତାର ଶବ ମିଳିଥିଲା।
ପିଲାମାନଙ୍କୁ ସାଥିରେ ନେଇ ପାହାଡ଼ ଚଢୁଥିବା ବେଳେ ଅଧିକ ସାବଧାନତା ଅବଲମ୍ବନ କରିବା ଲାଗି ‘ତିରୁମାଲା ତିରୁପତି ଦେବସ୍ଥାନମ୍’ (ଟିଟିଡି) ଅଭିଭାବକମାନଙ୍କୁ ଅନୁରୋଧ କରିଛି। ‘ଟିଟିଡି’ ପ୍ରଶାସନ କହିଛି, ୧୫ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ସାଥିରେ ନେଇ ଆସୁଥିବା ତୀର୍ଥଯାତ୍ରୀମାନେ କେବଳ ଭୋର୍ ୫ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପାହାଡ଼ ଚଢ଼ି ପାରିବେ।
ସେହିପରି, ସନ୍ଧ୍ୟା ୬ଟାରୁ ସକାଳ ୬ଟ ପର୍ଯ୍ୟନ୍ତ ମଧ୍ୟ ସେ ଅଞ୍ଚଳରେ ୨ ଚକିଆ ଯାନରେ ଗମନା ଗମନ ନିଷେଧ କରାଯାଇଛି।
ଉଭୟ ପାଦଚଲା ପଥ ଓ ଘାଟ ରାସ୍ତାରେ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁରକ୍ଷା ସଂକ୍ରାନ୍ତରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ବିଷୟରେ ଆଲୋଚନା ଲାଗି ‘ଟିଟିଡି’ ଅଧ୍ୟକ୍ଷ ବି. କରୁଣାକର ରେଡ୍ଡୀ ଆଜି ସନ୍ଧ୍ୟାରେ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ମାସରେ ମଧ୍ୟ ସେ ଅଞ୍ଚଳରେ ଜଣେ ୩ ବର୍ଷର ବାଳକକୁ କଲରାପତ୍ରିଆ ଆକ୍ରମଣ କରିଥିଲା। କିନ୍ତୁ, ଠିକଣା ବେଳେ ତାକୁ କଲରାପତ୍ରିଆ କବଳରୁ ଉଦ୍ଧାର କରାଯିବାରୁ ସେ ବଞ୍ଚିଯାଇଥିଲା। ସେ କଲରାପତ୍ରିଆକୁ ଚିହ୍ନଟ କରିବା ଲାଗି ପ୍ରାୟ ୧୫୦ଟି କ୍ୟାମେରା ଲଗାଯାଇଥିଲା। ପରେ ସେ ଯନ୍ତାରେ ପଡ଼ିବାରୁ ତାକୁ ନେଇ ଅନ୍ୟ ଏକ ଅରଣ୍ୟରେ ଛାଡ଼ିଦିଆଯାଇଥିଲା।