ମାଟ୍ରିକ୍ ବୃତ୍ତି, ମେଧାବୃତ୍ତି ତ୍ରୁଟି ଧରିଲେ ସିଏଜି: ଯୋଗ୍ୟ ପାଉନଥିଲେ, ଅଯୋଗ୍ୟଙ୍କୁ ମିଳୁଥିଲା – Utkal Mail
ଭୁବନେଶ୍ବର: ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ଲାଗି ରାଜ୍ୟ ସରକାରଙ୍କର ଦୁଇଟି ବିଭାଗ ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ଓ ମେଧାବୃତ୍ତି ପ୍ରଦାନ କରିଥାନ୍ତି। ଉଭୟ ବୃତ୍ତି ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଛି। ହିତାଧିକାରୀ ଚିହ୍ନଟରେ ତ୍ରୁଟିଠାରୁ ଆରମ୍ଭ କରି ଯୋଗ୍ୟ ଛାତ୍ରଛାତ୍ରୀ ଚିହ୍ନଟ, ଅଯୋଗ୍ୟଙ୍କୁ ବାଦ୍ ଦେବା, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍ ହୋଇନଥିବା, ଅସ୍ତିତ୍ବ ନଥିବା ସ୍କୁଲର ପିଲାମାନଙ୍କୁ ବୃତ୍ତି ଦେବା ଭଳି ସବୁ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଜଣାପଡ଼ିଛି।
ଏସବୁ ତ୍ରୁଟିକୁ ଧରି ରିପୋର୍ଟ ଲେଖିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାପରୀକ୍ଷକ (ସିଏଜି)। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି। ସିଏଜି କହିଛନ୍ତି, ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ଓ ଉଚ୍ଚ ଶିକ୍ଷା ବିଭାଗର ମେଧାବୃତ୍ତି ଯୋଜନାକୁ ସିଏଜି ସମୀକ୍ଷା କରିଥିଲେ। ସେହି ସମୀକ୍ଷାରୁ ଜଣାପଡ଼ିଛି ଯେ ୨୦୧୮-୧୯ ପରଠାରୁ କ୍ରମାଗତ ଭାବେ ହିତାଧିକାରୀଙ୍କ ସଂଖ୍ୟା କମୁଛି। ଛାତ୍ରଛାତ୍ରୀଙ୍କ ସମ୍ପର୍କିତ ତଥ୍ୟର ଅଭାବରୁ କେତେ ଜଣ ଯୋଗ୍ୟ ଛାତ୍ରଛାତ୍ରୀ ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ପାଉଥିଲେ ତାହାର ପ୍ରକୃତ ସ୍ଥିତି ଜଣାପଡ଼ିନାହିଁ। ୨୦୧୭-୧୮ରେ ୫.୫୧ ଲକ୍ଷ ଛାତ୍ରଛାତ୍ରୀ ବୃତ୍ତି ପାଇଥିବା ବେଳେ ୨୦୨୦-୨୧ ବେଳକୁ ସେଭଳି ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୯ ପ୍ରତିଶତ ହ୍ରାସ ପାଇ ୪.୪୭ ଲକ୍ଷକୁ ଖସିଆସିଛି।
୨୦୧୬-୧୭ରୁ ୨୦୧୮-୧୯ ପର୍ଯ୍ୟନ୍ତ ମେଧାବୃତ୍ତି ଯୋଜନାରେ ଜୁନିଅର ମେରିଟ୍, ପିଜି ମେରିଟ୍ ଓ ଟିଓପି ମେରିଟ୍ରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିବା ହାର କମ୍ ରହିଥିଲା। ଏହାର କାରଣ କ’ଣ ତାହା ଜାଣିବାକୁ ବିଭାଗ ତରଫରୁ ପ୍ରୟାସ କରାଯାଇନଥିଲା। ବିଭାଗ ଓ କ୍ଷେତ୍ରୀୟ ଅଧିକାରୀଙ୍କ ଅବହେଳା କାରଣରୁ ଅସ୍ତିତ୍ବ ନଥିବା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ବୃତ୍ତି ମିଳିଥିଲା। ବାଲେଶ୍ବର ଓ ମୟୂରଭଞ୍ଜରେ ଅନୁଷ୍ଠାନଗୁଡ଼ିକର ଅସ୍ତିତ୍ବ ନଥିବା ବେଳେ କେତେକ କ୍ଷେତ୍ରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ସତ୍ତ୍ବେ ୧୫.୫୭ କୋଟି ଟଙ୍କାର ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ଦିଆଯାଇଥିଲା। ୨୦୧୬-୧୭ରୁ ୨୦୧୯-୨୦ ମଧ୍ୟରେ ୧୫ଟି ଅଯୋଗ୍ୟ ଶିକ୍ଷାନୁଷ୍ଠାନର ୫୧୮୫ ହିତାଧିକାରୀଙ୍କୁ ୧୫.୭୯ କୋଟି ଟଙ୍କାର ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ଦିଆଯାଇଥିଲା। ୨୦୧୭-୧୮ରୁ ୨୦୨୦-୨୧ ମଧ୍ୟରେ ଛଅଟି ଜିଲ୍ଲାରେ ୨୨ଟି ଅନୁଷ୍ଠାନର ୨,୯୯୬ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ବନ୍ଦ କରିଥିଲେ ମଧ୍ୟ ସେମାନଙ୍କୁ ୭.୩୬ କୋଟି ଟଙ୍କାର ବୃତ୍ତି ଦିଆଯାଇଥିଲା। କିଛି ଅନୁଷ୍ଠାନ ଚଞ୍ଚକତା କରି ପାଠପଢ଼ା ଛାଡ଼ିଥିବା ପିଲାଙ୍କ ନାମରେ ବୃତ୍ତି ଆବେଦନ କରି ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାରେ ୨.୩୬ କୋଟି ଟଙ୍କା ପାଇଥିଲେ।
ବୃତ୍ତି ପ୍ରଦାନରେ ଅହେତୁକ ବିଳମ୍ବ ହେଉଥିବା ମଧ୍ୟ ସିଏଜି କହିଛନ୍ତି। ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି କ୍ଷେତ୍ରରେ ବିଜ୍ଞାପନ ପ୍ରକାଶ ପାଇବା ତାରିଖଠାରୁ ବୃତ୍ତି ପ୍ରଦାନ ପର୍ଯ୍ୟନ୍ତ ୨୫୨ ଦିନ ଭଳି ଲମ୍ବା ସମୟ ଲାଗୁଛି। ମେଧାବୃତ୍ତି ପ୍ରକ୍ରିୟାକରଣରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ଦ୍ବାରା ୧୧ରୁ ୩୮୭ ଦିନ ବିଳମ୍ବ ହୋଇଥିଲା। ଆବେଦନଗୁଡ଼ିକୁ ଖାରଜ କରିବା ଲାଗି କୌଣସି ସ୍ପଷ୍ଟ ମାନଦଣ୍ଡ ଧାର୍ଯ୍ୟ କରାଯାଇନଥିଲା। ସେଥିପାଇଁ ସଫ୍ଟୱେରରେ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା କରାଯାଇନଥିଲା। ଫଳରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ବୃତ୍ତି ପାଇବାରୁ ବଞ୍ଚିତ ହୋଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ୨୨୪ଟି ଆବେଦନର ବର୍ଗୀକରଣ ହୋଇନପାରିବାରୁ ସେଗୁଡ଼ିକୁ ଖାରଜ କରାଯାଇଥିଲା।
ଅସ୍ତିତ୍ବ ନଥିବା ଅନୁଷ୍ଠାନର ପିଲାଙ୍କୁ ବୃତ୍ତି
ବୃତ୍ତି ଦେବାରେ ଅହେତୁକ ବିଳମ୍ବ
ବ୍ୟାଙ୍କ ଖାତା-ଆଧାର ଲିଙ୍କ୍ ହୋଇନଥିଲା
ବୃତ୍ତି ପ୍ରଦାନ ଲାଗି ବିକାଶ କରାଯାଇଥିବା ଦୁଇ ସଫ୍ଟୱେର ପ୍ରେରଣା ଓ ଇମେଧାବୃତ୍ତି ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଜଣେ ଛାତ୍ର କିମ୍ବା ଛାତ୍ରୀ ଏକାଧିକ ବୃତ୍ତି ପାଇଁ କରୁଥିବା ଆବେଦନ ବିଷୟରେ ଜଣାପଡ଼ୁନଥିଲା। ସେଥିପାଇଁ ୨୦୧୭-୧୮ରୁ ୨୦୨୦-୨୧ ମଧ୍ୟରେ ୧୧,୮୮୦ ଜଣ ଛାତ୍ରଛାତ୍ରୀଙ୍କୁ ୬.୯୧ କୋଟି ଟଙ୍କାର ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ଓ ୬.୮୦ କୋଟି ଟଙ୍କାର ମେଧାବୃତ୍ତି ପ୍ରଦାନ କରାଯାଇଥିଲା। ୨୦୧୮-୧୯ରୁ ୨୦୨୦-୨୧ ମଧ୍ୟରେ ଝାରସୁଗୁଡ଼ା, କଳାହାଣ୍ଡି ଓ ମୟୂରଭଞ୍ଜର ୫୬ ଜଣ ନର୍ସିଂ ଛାତ୍ରଛାତ୍ରୀଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିସନ ଅଧୀନରେ ୩୨.୯୭ ଲକ୍ଷ ଟଙ୍କାର ବୃତ୍ତି ମିଳିବା ବେଳେ ସେହି ସମାନ ସମୟରେ ସେମାନଙ୍କୁ ୩୮.୧୮ ଲକ୍ଷ ଟଙ୍କାର ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ପ୍ରଦାନ କରାଯାଇଥିଲା। ୯୭୩ ଜଣ ଛାତ୍ରଛାତ୍ରୀ ଏକାଧିକ ପାଠ୍ୟକ୍ରମରେ ବୃତ୍ତି ପାଇଁ ଆବେଦନ କରିଥିଲେ ଓ ସେମାନଙ୍କୁ ୨.୪୩ କୋଟି ଟଙ୍କାର ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ଦିଆଯାଇଥିଲା।
ସିଏଜିଙ୍କ ରିପୋର୍ଟରୁ ଜଣାପଡ଼ିଛି ଯେ ଅଯୋଗ୍ୟ ଆବେଦନଗୁଡ଼ିକୁ ବାଦ ଦେବା ଲାଗି ବ୍ୟବସ୍ଥା କରାଯାଇନଥିବାରୁ ୨୦୧୭-୧୮ରୁ ୨୦୨୦-୨୧ ମଧ୍ୟରେ ଅଯୋଗ୍ୟ ଓବିସି ଆବେଦନଗୁଡ଼ିକୁ ୫୨.୫୭ ଲକ୍ଷ ଟଙ୍କାର ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ଦିଆଯାଇଥିଲା। ପିତାମାତାଙ୍କ ଆୟ ମାନଦଣ୍ଡକୁ ମଧ୍ୟ ଠିକ୍ ଭାବେ ପାଳନ କରାଯାଇନଥିଲା। ଫଳସ୍ବରୂପ ଅଧିକ ଆୟ କରୁଥିବା ଲୋକମାନଙ୍କ ପିଲାମାନଙ୍କୁ ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ଦିଆଯାଇଥିଲା। ରାଜ୍ୟର ୩୦ଟି ଜିଲ୍ଲାର ୨୭୯ଟି ଅନୁଷ୍ଠାନର ୮୩୨ ଜଣ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଶେଷ ପରେ ମଧ୍ୟ ୨.୪୬ କୋଟି ଟଙ୍କାର ବୃତ୍ତି ଦିଆଯାଇଥିଲା। ଅନେକ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍ ହୋଇନଥିବା ସିଏଜି ସମୀକ୍ଷା ବେଳେ ଜାଣିବାକୁ ପାଇଥିଲେ। ୯୨୮୮ଟି ମାମଲାରେ ବ୍ୟାଙ୍କ ଖାତା ନମ୍ବର ଓ ଆଇଏଫ୍ଏସ୍ସି କୋଡ୍ ସମାନ ଥିବା ବେଳେ ହିତାଧିକାରୀମାନଙ୍କ ନାମ ଅଲଗା ରହିଥିଲା। ୧୧୧୫ଟି ମାମଲାରେ ବ୍ୟାଙ୍କ ଖାତା ଜଣଙ୍କ ନାମରେ ଥିବା ବେଳେ ବୃତ୍ତି ଅନ୍ୟ କାହାକୁ ଦିଆଯାଇଥିଲା। ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ କରିବା ନେଇ କୌଣସି ନିର୍ଦ୍ଦେଶ ଜାରି କରାଯାଇନଥିଲା। ଡିଡିଓମାନଙ୍କ ବିଫଳତାରୁ ବହୁ କାରବାର ବିଫଳ ହେଉଥିଲା। ଏହି କାରଣ ପାଇଁ ୧,୦୨,୮୧୨ ଜଣ ହିତାଧିକାରୀ ମାଟ୍ରିକ ପରବର୍ତ୍ତୀ ବୃତ୍ତି ଓ ୫୫୭ ଜଣ ମେଧାବୃତ୍ତି ପାଇବାରୁ ବଞ୍ଚିତ ହୋଇଥିଲେ ବୋଲି ସିଏଜି କହିଛନ୍ତି।



