ଓଡିଶା

ମ‌ା’ ହିଙ୍ଗୁଳାଙ୍କ ମହିମାରୁ ସ୍ବାଦିଷ୍ଟ ହୋଇଥାଏ, ଶ୍ରୀମନ୍ଦିର ପାକଶାଳା ପ୍ରସାଦ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଅଗ୍ନିସ୍ବରୂପା ମା’ ହିଙ୍ଗୁଳା। ମା’ ହିଙ୍ଗୁଳା ପୀଠ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ତାଳଚେର ବ୍ଲକ୍ ଗୋପାଳଗଡ଼ରେ ରହିଛି ମା’ଙ୍କ ପୀଠ। ବର୍ଷକୁ ଥରେ ମା’ ଅଗ୍ନିରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଅଗ୍ନିରୂପୀ ମା’ପରମ ବୈଷ୍ଣବୀ ନାରାୟଣୀ ଶୁମ୍ଭ ନିଶୁମ୍ଭକୁ ବଧ କରି ସୁବଳ ଓ ଦୁଦୃମ୍ୱିକୁ ମାରିବାକୁ ଗଲା ବେଳେ ତାଙ୍କ ସହ ଅଷ୍ଟ ମହାବିଦ୍ୟା ଯାଇଥିଲେ।

ସେହି ଅଷ୍ଟ ମହାବିଦ୍ୟାଙ୍କ ମଧ୍ୟରୁ ମା’ ହିଙ୍ଗୁଳା ଅନ୍ୟତମ।

କିମ୍ବଦନ୍ତି ଅନୁଯାୟୀ ଏଠାରେ ପ୍ରବାହିତ ସିଙ୍ଗିଡ଼ା ନଦୀରେ ଅକସ୍ମାତ ଜ୍ୱାଳାମୁଖୀ ଅଗ୍ନିଙ୍କର ଆବିର୍ଭାବ ହୋଇଥିଲା। ଏହାକୁ ମା’ଙ୍କ ଅଧିଷ୍ଠାନ ବୋଲି କୁହାଯାଉଥିଲା। କାଳକ୍ରମେ ଚୈତ୍ରମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ଅଗ୍ନିଜ୍ୱାଳା ରୂପରେ ବିଜେ ମା’ ହିଙ୍ଗୁଳାଙ୍କ ଯାତ୍ରା ଆରମ୍ଭ ହୁଏ। ପରେ ଏହା ହିଙ୍ଗୁଳା ପୀଠକୁ ରୂପାନ୍ତରିତ ହୋଇଥିଲା। ରାଜ୍ୟର ଇଷ୍ଟଦେବୀ ରୂପରେ ମା’ ହିଙ୍ଗୁଳା ନଳରାଜାଙ୍କ ବିଦର୍ଭରେ ପୂଜା ପାଉଥିଲେ। ହିଙ୍ଗୁଳାଙ୍କ ମହିମାରେ ଖାଦ୍ୟ ସାମଗ୍ରୀ ଅତ୍ୟନ୍ତ ସୁସ୍ୱାଦୁ ହେଉଥିଲା। ସେହି ସମୟରେ ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ କିପରି ଅତ୍ୟନ୍ତ ସୁସ୍ୱାଦୁ ହେବ ସେଥିପାଇଁ ଗଜପତି ମହାରାଜା ବାଟ ଖୋଜୁଥିଲେ। ସ୍ବପ୍ନାଦେଶ ପାଇ ସେ ମା’ ହିଙ୍ଗୁଳାଙ୍କ ଶରଣାପନ୍ନ ହୋଇଥିଲେ। ମହାରାଜାଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ହୋଇ ମା’ହିଙ୍ଗୁଳା ଶ୍ରୀମନ୍ଦିର ପାକଶାଳକୁ ବିଜେ କରିଥିଲେ। ତାଙ୍କ ମହିମାରୁ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀ ସ୍ୱାଦିଷ୍ଟ ହୋଇଥାଏ। ଗୋପାଳଗଡ଼ସ୍ଥିତ ଦେବୀ ହିଙ୍ଗୁଳାଙ୍କ ପୀଠ ସହ ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ସମ୍ପର୍କ ପୁରାଣ ବର୍ଣ୍ଣିତ। ହିଙ୍ଗୁଳାଙ୍କ ଉଭାସ୍ଥଳୀରେ କୋଇଲାର ବେଦି ଉପରେ ଦେବୀଙ୍କର ଅଗ୍ନିସ୍ୱରୂପ ଅବତୀର୍ଣ୍ଣ ଅଗ୍ନି ପୂଜାର ଏକ ଆଦିମ ସ୍ୱରୂପ। ଦେବୀ ହିଙ୍ଗୁଳା ବା ହିଙ୍ଗୁଳାଇ ହିଙ୍ଗୁଳ ଶବ୍ଦରୁ ଆସିଛି। ଯାହା କି ବିଷନାଶକ ଏକ ଆୟୁର୍ବେଦ ଔଷଧ, ହିଙ୍ଗୁଳ ବା ଲୋହିତ ବର୍ଣ୍ଣ। ତାଳଚେର ଗୋପାଳପ୍ରସାଦରେ ପ୍ରାକୃତିକ ଭାବେ କୋଇଲାରେ ଅଗ୍ନି ସଂଯୋଗ ଓ ଦେବୀ ହିଙ୍ଗୁଳାଙ୍କ ଧରାପୃଷ୍ଠରେ ଅବତୀର୍ଣ୍ଣ ଏକ ଧାର୍ମିକ ପରମ୍ପରା ମଧ୍ୟରେ ରହିଛି।

ମା’ ହିଙ୍ଗୁଳାଙ୍କ ପୀଠରେ ବାର ମାସରେ ତେର ପର୍ବ ଲାଗିରହିଥାଏ। ଚୈତ୍ର ମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ହିଙ୍ଗୁଳା ଯାତ୍ରା ମୁଖ୍ୟ ପର୍ବ ଅଟେ। ବୈଶାଖ ମାସ କୃଷ୍ଣ ପକ୍ଷ ସପ୍ତମୀରେ ଶିତୁଳା ଯାତ୍ରା, ଚୈତ୍ର-ବୈଶାଖ ମାସରେ ପଣା ସଂକ୍ରାନ୍ତି, ବୈଶାଖ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀରେ ଅଷ୍ଟବରଣ ପୂଜା, ବୈଶାଖ ଶୁକ୍ଳ ପକ୍ଷ ପଞ୍ଚମୀରେ କରଡ଼େଇ ମହାପାଟ ପୂଜା, ଜ୍ୟେଷ୍ଠରେ ରଜ ସଂକ୍ରାନ୍ତି, ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣମୀରେ ଦେବସ୍ନାନ ପୂର୍ଣ୍ଣିମା ପୂଜା, ଭାଦ୍ରବ ଶୁକ୍ଳ ପକ୍ଷରେ ଠାକୁରାଣୀଙ୍କ ନବାନ୍ନ ବା ନୂଆଖାଇ ପର୍ବ, ଆଶ୍ବିନ ଶୁକ୍ଳ ଦଶମୀରେ ଦଶହରା ପୂଜା ଆଦି ଅନ୍ୟତମ। ଦଶହରା ଷୋଳପୂଜା ଅବସରରେ ଭୋର ସାଢ଼େ ୪ଟାରେ ମା’ଙ୍କର ପହୁଡ଼ ଖୋଲା ଯାଇ ମଙ୍ଗଳ ଆଳତି, ପଞ୍ଚ ଅବକାଶ ନୀତି ଅନୁଷ୍ଠିତ ହୋଇଥାଏ। ପରେ ସ୍ବତନ୍ତ୍ର ପୂଜା ବିଧି ଅନୁଯାୟୀ ମା’ଙ୍କର ମାଜଣା, ସୂର୍ଯ୍ୟପୂଜା ସହିତ ଅନ୍ୟାନ୍ୟ ନୀତି ସଂପନ୍ନ କରାଯାଏ।

Related Articles

Leave a Reply

Your email address will not be published. Required fields are marked *

Back to top button