ଦେଶ ବିଦେଶ

ନୀରଜ ଚୋପ୍ରାଙ୍କୁ କଲ୍‌ କରି ଶୁଭେଚ୍ଛା ଜଣାଇଲେ ମୋଦୀ

ନୂ୍ଆଦିଲ୍ଲୀ: ଡବଲ୍ ଅଲିମ୍ପିକ୍ ପଦକ ବିଜେତା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଶୁକ୍ରବାର ତାଙ୍କ ଖେଳ ଜୀବନର ସବୁଠାରୁ ଶ୍ରେଷ୍ଠ ଥ୍ରୋ ‌ଗୌରବ ଅର୍ଜନ କରିଥିବା ବେଳେ ‌ତାଙ୍କ ସହ ଫୋନ୍‌ ଯୋଗ‌େ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନୀରଜଙ୍କ ପ୍ରଶଂସା କରି ଏହା ତାଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଶୃଙ୍ଖଳତାର ଫଳ ବୋଲି କହିଛନ୍ତି। ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ମଧ୍ୟ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଥମ ଥର ପାଇଁ ୯୦+ ମିଟର୍‌ ଅତିକ୍ରମ କରି ଦୀର୍ଘଦିନର ସ୍ବପ୍ନକୁ ସାକାର କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ଦୋହା ଡାଏମଣ୍ଡ୍ ଲିଗ୍‌ରେ ୨୭ ବର୍ଷୀୟ ନୀରଜ ୯୦.୨୩ ମିଟର୍ ଦୂରତାକୁ ଜାଭଲିନ୍‌ ଫିଙ୍ଗି ଏହି ଐତିହାସିକ କୃତିତ୍ବ ଅର୍ଜନ କରିଛନ୍ତି। କିନ୍ତୁ ଏହି ନାଟକୀୟ ପ୍ରତିଯୋଗିତାରେ ନୀରଜଙ୍କୁ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଜର୍ମାନିର ଜୁଲିଏନ୍ ୱେବର୍‌ ଶେଷ ମିନିଟ୍‌ ‌ଥ୍ରୋରେ ୯୧.୦୬ ମିଟର୍‌ ଫିଙ୍ଗି ବିଜୟ ଛଡ଼ାଇ ନେଇଛନ୍ତି। ତଥାପି ନୀରଜଙ୍କ ଏହି ସଫଳତା ତାଙ୍କୁ ଅପୂର୍ବ ସଫଳତା ଦେଇଥିବାରୁ ସେ ବଡ଼ ଉପଲବ୍‌ଧି ପାଇଛନ୍ତି।

ଇତିହାସରେ ସେ ୨୫ତମ ଖେଳାଳି ଭାବେ ୯୦+ ମିଟର୍‌ ସଫଳତା ଅର୍ଜନ କରିଛନ୍ତି। ଏସିଆରେ କିନ୍ତୁ ପାକିସ୍ତାନର ଅର୍ସଦ ନଦୀମ (୯୨.୯୭ ମିଟର୍) ଏବଂ ଚାଇନିଜ୍ ତାଇପେର ଚାଓ ଟାଇସୁନ୍‌ ଚେଙ୍ଗ୍ (୯୧.୩୬)ଙ୍କ ପରେ ତୃତୀୟ ହୋଇଛନ୍ତି। ଶୁକ୍ରବାର ନୀରଜ ପ୍ରଥମ ଥ୍ରୋରେ ୮୮.୩୪ ମିଟର୍ ଫିଙ୍ଗିବା ପରେ ଦ୍ବିତୀୟଟିରେ ବିଫଳ ହୋଇଥିଲେ। ତୃତୀୟରେ କିନ୍ତୁ ୯୦.୨୩ ମିଟର୍ ଫିଙ୍ଗି ଇତିହାସ ରଚିଥିଲେ। ଚତୁର୍ଥରେ ୮୦.୫୬, ପଞ୍ଚମରେ ବିଫଳ, ଷଷ୍ଠରେ ୮୮.୨ ମିଟର୍ ଫିଙ୍ଗିଥିଲେ। ଦୋହା ଡାଏମଣ୍ଡ୍ ଲିଗ୍ ପୂର୍ବରୁ ନୀରଜ ୬ ଥର ୮୯+ ମିଟର୍ ଏବଂ ୧୭ ଥର ୮୮+ ମିଟର୍ ସୀମା ଟପି ମଧ୍ୟ କେବେ ୯୦ ମିଟର୍ ଛୁଇଁନଥିଲେ। ଅନ୍ୟପକ୍ଷରେ ଦୋହା ଡାଏମଣ୍ଡ୍ ଲିଗ୍‌ରେ ସାମିଲ ଥିବା ଓଡ଼ିଆ ପୁଅ କିଶୋର ଜେନା ଖରାପ ଫର୍ମକୁ ଜାରି ରଖି ନିଜ ଚତୁର୍ଥ ଥ୍ରୋରେ ୭୪.୮୦ ମିଟର୍ ସହ ଶୀର୍ଷ ୮ ବାହାରେ ରହିଥିଲେ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button