ନୀତି

ଜାତୀୟ ପତାକାର ଯାତ୍ରା : ଚାରି ଦଶନ୍ଧିର ପ୍ରୟାସରୁ ଜନ୍ମ ନେଇଥିଲା ତ୍ରିରଙ୍ଗା – Utkal Mail


୧୯୪୭ରେ ଭାରତ ସ୍ବାଧୀନ ହେବା ପରଠାରୁ ମଝିରେ ଘନ ନୀଳ ରଙ୍ଗର ଅଶୋକ ଚିହ୍ନ ଥାଇ ସବା ଉପରେ ନାରଙ୍ଗୀ, ମଝିରେ ଧଳା ଓ ତଳକୁ ସବୁଜ ରଙ୍ଗ ଥିବା ତ୍ରିରଙ୍ଗା ପତାକାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଉଛି। ଏହା ପୂର୍ବରୁ ବ୍ରିଟିସ୍‌ ରାଜୁତି କାଳରେ ତଥା ରାଜାରାଜୁଡ଼ା ସମୟରେ ଭିନ୍ନ ଭିନ୍ନ ପତାକା ବ୍ୟବହାର କରାଯାଉଥିଲା। 

ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି ଜବାହରଲାଲ ନେହରୁ

ଏବେ ଯେଉଁ ପତାକାଟିକୁ ସମଗ୍ର ଦେଶରେ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଛି ତାହା ୧୯୪୭ରେ ସ୍ବୀକୃତି ଲାଭ କରିଥିଲା। ଏହି ତ୍ରିରଙ୍ଗା ପତାକାର ଅନେକ ବୈଶିଷ୍ଟ୍ୟ ରହିଛି। ପତାକା ବ୍ୟବହାର ପାଇଁ ସ୍ବତନ୍ତ୍ର କୋଡ୍‌ ବା ନିୟମ ପ୍ରସ୍ତୁତ ହୋଇଛି। ତେବେ ପତାକା ବ୍ୟବହାର କରିବାର ପରମ୍ପରା ଖୁବ୍ ପୁରୁଣା। ରାଜା ରାଜୁଡ଼ା ଅମଳରେ ବିଭିନ୍ନ ସାମ୍ରାଜ୍ୟ ଅନୁସାରେ ଭିନ୍ନ ଭିନ୍ନ ପତାକା ବ୍ୟବହାର କରାଯାଉଥିଲା। ଯୁଦ୍ଧ ସମୟରେ ପତାକା ଦେଖି ଜାଣିହେଉଥିଲା ଯେ କିଏ କେଉଁ ପକ୍ଷର।

ତ୍ରିରଙ୍ଗା ପତାକା
ଭାରତର ଜାତୀୟ ପତାକାର ସ୍ବରୂପ ପ୍ରସ୍ତୁତ କରିଥିଲେ ପିଙ୍ଗଲି ଭେଙ୍କୟା। ସେ ଏକାଧାରରେ ଜଣେ ଭାଷାବିତ୍, ଲେଖକ, ଭୂତତ୍ତ୍ବବିତ୍‌, ଶିକ୍ଷାବିତ୍ ତଥା ସ୍ବାଧୀନତା ସଂଗ୍ରାମୀ ଥିଲେ। ୧୮୭୬ ମସିହା ଅଗଷ୍ଟ ୨ ତାରିଖରେ ଆନ୍ଧ୍ର ପ୍ରଦେଶର ମଛଲିପାଟନମ୍‍ରେ ତାଙ୍କର ଜନ୍ମ। ମାତ୍ର ୧୯ ବର୍ଷ ବୟସରେ ବ୍ରିଟିସ୍ ସେନାରେ ନିଯୁକ୍ତ ହୋଇ ଆଫ୍ରିକାରେ ସଂଘଟିତ ଆଙ୍ଗଲୋ-ବୋଅର୍ ଯୁଦ୍ଧରେ ଲଢ଼େଇ କରିଥିଲେ। ଆଫ୍ରିକା ରହଣି କାଳରେ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ସାକ୍ଷାତ୍ ହୋଇଥିଲା। ଏହା ପରେ ସେ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ ଗାନ୍ଧୀଙ୍କର ପଦାଙ୍କ ଅନୁସରଣ କରିଥିଲେ। ୧୯୧୬ ମସିହାରେ ସେ ୩୦ଟି ସମ୍ଭାବ୍ୟ ଜାତୀୟ ପତାକା ଡିଜାଇନ୍ ସମ୍ବଳିତ ଏକ ପୁସ୍ତକ ପ୍ରକାଶ କରିଥିଲେ। ୧୯୧୮ରୁ ୧୯୨୧ ପର୍ଯ୍ୟନ୍ତ ସେ କଂଗ୍ରେସର ପ୍ରତ୍ୟେକ ଅଧିବେଶନରେ ଯୋଗ ଦେଇ ଭାରତର ଏକ ନିଜସ୍ବ ପତାକା ରହିବା ନେଇ ଦାବି ଉପସ୍ଥାପନ ଜାରି ରଖିଥିଲେ। ବିଜୟୱାଡ଼ାରେ ଗାନ୍ଧୀଙ୍କୁ ଭେଟି ସେ ବିଭିନ୍ନ ପତାକାର ସ୍ବରୂପ ସମ୍ବଳିତ ପୁସ୍ତକ ଦେଖାଇଥିଲେ। ଗାନ୍ଧୀ ଜାତୀୟ ପତାକାର ଆବଶ୍ୟକତାକୁ ହୃଦୟଙ୍ଗମ କରି ପିଙ୍ଗଲିଙ୍କୁ ଏକ ନୂଆ ରୂପରେ ପତାକା ନିର୍ମାଣ କରି ୧୯୨୧ ଜାତୀୟ କଂଗ୍ରେସ ସମ୍ମିଳନୀରେ ଉପସ୍ଥାପନ କରିବାକୁ କହିଥିଲେ। ପିଙ୍ଗଲି ପ୍ରଥମେ ଲାଲ ଓ ସବୁଜ ରଙ୍ଗର ଏକ ପତାକା ଗାନ୍ଧୀଜୀଙ୍କୁ ଦେଖାଇଥିଲେ। ତେବେ ଏଥିରେ ଧଳା ରଙ୍ଗ ଓ ଅରଟ ଚିହ୍ନ ଯୋଡ଼ିବାକୁ ଗାନ୍ଧୀ ତାଙ୍କୁ ପରାମର୍ଶ ଦେଇଥିଲେ। ଗାନ୍ଧୀଙ୍କ ଅନୁଯାୟୀ ଏହି ଜାତୀୟ ପତାକା ଅହିଂସାର ପ୍ରତୀକ ଏବଂ ଏହା ଦେଶର ପ୍ରତ୍ୟେକ ଧର୍ମ ମଧ୍ୟରେ ଶାନ୍ତି ଓ ସମନ୍ବୟକୁ ଦର୍ଶାଇଥିଲା। ୧୯୩୧ରେ କଂଗ୍ରେସ ସମ୍ମିଳନୀରେ ଏହାକୁ ସ୍ବରାଜ ପତାକା ରୂପେ ସ୍ବୀକୃତି ପ୍ରଦାନ କରାଯାଇଥିଲା। କ୍ରମେ ପତାକାରେ କେତେକ ପରିବର୍ତ୍ତନ ହୋଇଥିଲା। ପତାକାର ଶୀର୍ଷରେ ନାରଙ୍ଗୀ, ମଝିରେ ଧଳା ଓ ନିମ୍ନରେ ଘନ ସବୁଜ ବର୍ଣ୍ଣ ରଖାଯିବା ସହ ଅରଟ ସ୍ଥାନରେ ୨୪ ଅର ବିଶିଷ୍ଟ ନୀଳ ରଙ୍ଗର ଅଶୋକ ଚକ୍ର ସ୍ଥାନିତ କରାଯାଇଥିଲା।

ପିଙ୍ଗଲି ଭେଙ୍କୟାଙ୍କ ସମ୍ମାନାର୍ଥେ ଡାକଟିକଟ

ଶେଷରେ ୧୯୪୭ ଜୁଲାଇ ୨୪ରେ ଏହାକୁ ‘ତ୍ରିରଙ୍ଗା’ ନାମରେ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଥିଲା। ପିଙ୍ଗଲି ଭେଙ୍କୟା ଚାହୁଥିଲେ ଏହି ପତାକା ବଳିଦାନ, ଶାନ୍ତି ଓ ଏକତାର ପ୍ରତୀକ ହେଉ ଏବଂ ପ୍ରତ୍ୟେକ ଦେଶବାସୀ ଏହି ପତାକାକୁ ସମ୍ମାନ ଦିଅନ୍ତୁ। ଜାତୀୟ ପତାକା ନିର୍ମାଣରେ ଭୂମିକା ପାଇଁ ଲୋକେ ତାଙ୍କୁ ଶ୍ରଦ୍ଧାରେ ‘ଝଣ୍ଡା ଭେଙ୍କୟା’ ଡାକୁଥିଲେ। ୪ ଜୁଲାଇ ୧୯୬୩ରେ ପିଙ୍ଗଲି ଭେଙ୍କୟାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ଜୀବନର ଶେଷଭାଗ ବହୁ କଷ୍ଟ ଏବଂ ଦାରିଦ୍ର୍ୟ ଭିତରେ ଅତିବାହିତ ହୋଇଥିଲା। ବିଶେଷ ସମ୍ମାନ ଓ ସ୍ବୀକୃତି ମିଳି ନ ଥିବା ବେଳେ ବହୁ ବିଳମ୍ବରେ ୨୦୦୯ରେ ତାଙ୍କର ଏକ ଡାକଟିକଟ ପ୍ରଚଳିତ ହୋଇଥିଲା। ୨୦୧୨ରେ ପିଙ୍ଗଲି ଭେଙ୍କୟାଙ୍କୁ ‘ଭାରତରତ୍ନ’ ପ୍ରଦାନ ପାଇଁ ଦାବି ହୋଇଥିଲା।

ଚୋଳ ସାମ୍ରାଜ୍ୟର ପତାକା

ରାଜାରାଜୁଡ଼ା କାଳର ପତାକା
ମଗଧ, ଚୋଳ, ପାଣ୍ଡ୍ୟା, ନନ୍ଦ, କଳିଙ୍ଗ, ମୌର୍ଯ୍ୟ, ସାତବାହନ, ଗୁପ୍ତ, ପଲ୍ଲବ, ଯାଦବ, ପରମାର, କାକତୀୟ, ରାଜପୁତ ଆଦି ବଂଶର ରାଜୁତି କାଳରେ ରାଜାମାନେ ବିଭିନ୍ନ ପ୍ରକାର ପତାକାକୁ ନିଜ ବଂଶର ଅସ୍ମିତା ସ୍ବରୂପ ବ୍ୟବହାର କରୁଥିଲେ। ଦକ୍ଷିଣ ଭାରତରେ ବହୁ ପୂର୍ବେ ରାଜୁତି କରୁଥିବା ପାଣ୍ଡ୍ୟା ସାମ୍ରାଜ୍ୟର ପତାକାର ରଙ୍ଗ ଥିଲା ହଳଦିଆ ଏବଂ ସେଥିରେ ଦୁଇଟି ମାଛ ଚିହ୍ନ ରହୁଥିଲା। କିଂବଦନ୍ତି ଅନୁସାରେ ଏହି ବଂଶର ଜଣେ ରାଜାଙ୍କ ଘରେ ଦେବୀ ମୀନାକ୍ଷୀ ଜନ୍ମ ନେଇଥିଲେ। ତାଙ୍କର ଆଖି ମାଛର ଆକୃତି ଭଳି ହୋଇଥିଲା ଯାହାର ସାଦୃଶ୍ୟ ଥିଲା ପାଣ୍ଡ୍ୟା ବଂଶର ପ୍ରତୀକ ସହ। ଚେର ସାମ୍ରାଜ୍ୟର ପତାକା ପାଣ୍ଡ୍ୟା ବଂଶର ପତାକାର ଆକୃତି ଓ ରଙ୍ଗ ସହିତ ସମ୍ପୂର୍ଣ୍ଣ ସମାନ, କିନ୍ତୁ ସେଥିରେ ମାଛ ବଦଳରେ ଧନୁ ତୀର ଚିହ୍ନ ରହିଥିଲା। ଖ୍ରୀଷ୍ଟପୂର୍ବ ୩୦୦ରୁ ଖ୍ରୀଷ୍ଟାବ୍ଦ ୧୨୭୯ ପର୍ଯ୍ୟନ୍ତ ଦୀର୍ଘ କାଳ ଧରି ଶାସନ କରିଥିବା ଦକ୍ଷିଣ ଭାରତର ଚୋଳ ସାମ୍ରାଜ୍ୟର ପତାକାର ରଙ୍ଗ ଥିଲା ଲାଲ୍‌। ସେଥି‌ରେ କୁଦା ମାରୁଥିବା ଗୋଟିଏ ବାଘର ଚିତ୍ର ଥିଲା। ଚୋଳ ବଂଶ ଭଳି ପଲ୍ଲବ ବଂଶ (୨୭୫-୮୯୭)ର ପତାକାର ରଙ୍ଗ ଲାଲ ଥିଲା। ପତାକା ଭିତରେ ବାଘ ବଦଳରେ ସିଂହର ଚିତ୍ର ରହୁଥିଲା। ପାଲା ସାମ୍ରାଜ୍ୟର (୮୦୦-୧୧୬୧) ପତାକା ଆୟତାକାର, ସବୁଜ ଓ ହଳଦିଆ ରଙ୍ଗର ଏବଂ ଏଥିରେ ବାମ ପାର୍ଶ୍ବରେ ହଳଦିଆ ରଙ୍ଗର ଚକ୍ର ରହୁଥିଲା। ପୋରବନ୍ଦର ସାମ୍ରାଜ୍ୟ (୧୧୯୩-୧୮୦୮)ର ପତାକା ଭିନ୍ନ ଆକୃତିର। ଆୟତାକାର ବଦଳରେ ତାହା ତ୍ରିଭୁଜାକାର ଏବଂ ବାଇଗଣୀ ଓ ହଳଦିଆ ରଙ୍ଗର। ଦିଲ୍ଲୀ ସୁଲତାନେଟ୍‌ (୧୨୦୬-୧୫୨୬)ର ପତାକା ଗାଢ଼ ସବୁଜ ରଙ୍ଗର ଏବଂ ତହିଁରେ କଳା ରଙ୍ଗର ଗୋଟିଏ ପଟି ରହୁଥିଲା। ବିଜୟନଗର ସାମ୍ରାଜ୍ୟ (୧୩୩୬-୧୬୪୬)ର ପତାକା ହଳଦିଆ ରଙ୍ଗର ଏବଂ ତହିଁରେ କଳା ରଙ୍ଗର ବରାହ ଓ ଗୋଟେ କଟୁରୀ, ଲାଲ ରଙ୍ଗର ସୂର୍ଯ୍ୟ ଏବଂ ଧଳା ରଙ୍ଗର ଚନ୍ଦ୍ର ଚିହ୍ନ ଥିଲା।

ବିଜୟନଗର ସାମ୍ରାଜ୍ୟର ପତାକା

ମହୀଶୂର ସାମ୍ରାଜ୍ୟ (୧୩୯୯-୧୯୫୦)ର ପତାକା‌ ଆୟତାକାର ଏବଂ ଏଥିରେ ଲାଲ ଏବଂ ଧୂସର ରଙ୍ଗ ବ୍ୟବହୃତ। ଗୁଜରାଟ ସୁଲତାନେଟ (୧୪୦୭-୧୫୭୩)ର ପତାକାରେ ଧଳା ଏବଂ ଲାଲ୍‌ ରଙ୍ଗର ଦୁଇଟି ଲେଖାଏଁ ପଟି ଥିଲା। ଅହମଦନଗର ସୁଲତାନେଟ୍‌ (୧୪୯୦-୧୬୩୬)ର ପତାକାରେ କଳା ରଙ୍ଗର ଦୁଇଟି ତ୍ରିଭୁଜାକାର ପତାକା ଲଗାଲଗି ହେଲା ଭଳି ଦେଖାଯାଉଥିଲା। ଗୋଲକୋଣ୍ଡା ସାମ୍ରାଜ୍ୟ (୧୫୧୮-୧୬୮୭)ର ପତାକା ‌ଥିଲା ଆୟତାକାର ଏବଂ ରଙ୍ଗ ଥିଲା ନୀଳ-ସବୁଜ ମିଶ୍ରିତ ଏକ ଫିକା ରଙ୍ଗ। ମୋଗଲ ସାମ୍ରାଜ୍ୟ (୧୫୨୬-୧୮୫୭) କାଳରେ ସମକୋଣୀ ତ୍ରିଭୁଜାକାର ପତାକା ବ୍ୟବହୃତ ହେଉଥିଲା ଯେଉଁଥିରେ ହଳଦିଆ ରଙ୍ଗର ସୂର୍ଯ୍ୟ ମଝିରେ ଅବସ୍ଥିତ। ମରାଠା ବଂଶ (୧୬୭୪-୧୮୧୮)ର ପତାକାର ଗୋଟିଏ ପାର୍ଶ୍ବ ଇଂରାଜୀ ଅକ୍ଷର ‘V’ ଭଳି ଏବଂ ଏହାର ରଙ୍ଗ ଗେରୁଆ। ଏହି ପତାକାକୁ ଭଗୱା ଧ୍ବଜ ବୋଲି କୁହାଯାଉଥିଲା। ଜୟପୁର ସାମ୍ରାଜ୍ୟ (୧୬୯୯-୧୮୧୮)ର ପତାକା ରଙ୍ଗିନ ଦେଖାଯାଉଥିଲା। ଦୁଇଟି ତ୍ରିଭୁଜାକାର ଆକୃତି ଥିଲାବେଳେ ଉପର ଆକୃତି ସାନ ଏବଂ ଆରଟି ବଡ଼ ଥିଲା। ଉଭୟ ତ୍ରିଭୁଜରେ ଲାଲ, ହଳଦିଆ, ଧଳା, ସବୁଜ ଓ ନୀଳ ରଙ୍ଗର ପଟି ଥାଏ। ନେପାଳର ଜାତୀୟ ପତାକା ସହିତ ଏହାର ସାମଞ୍ଜସ୍ୟ ରହିଛି। ଆରାକ୍କଲ ସାମ୍ରାଜ୍ୟ (୧୭୦୦-୧୮୧୯)ର ଧଳା ଆୟତାକାର ପତାକା ଧଡ଼ିରେ ୨୨ଟି ଲାଲ ରଙ୍ଗର ଛୋଟ ତ୍ରିଭୁଜ ରହୁଥିଲା। ହାଇଦ୍ରାବାଦ ଷ୍ଟେଟ୍‌ (୧୭୦୦-୧୯୦୦)ର ପତାକାରେ ନାରଙ୍ଗୀ ତ୍ରିଭୁଜାକାର ଭିତରେ ସବୁଜ ରଙ୍ଗର ବର୍ଦ୍ଧମାନ ଚନ୍ଦ୍ରର ଆକୃତି (କ୍ରିସେଣ୍ଟ୍‌) ଥିଲା। ଟ୍ରାଭାଙ୍କୋର ସାମ୍ରାଜ୍ୟ (୧୭୨୯-୧୯୪୯)ର ଲାଲ୍‌ ରଙ୍ଗର ଆୟତାକାର ପତାକା ଭିତରେ ଶଙ୍ଖ ଚିହ୍ନ ଥିଲା। ସିକ୍କିମ୍ ସାମ୍ରାଜ୍ୟ (୧୮୭୭-୧୯୧୪, ୧୯୬୨-୧୯୬୭)ର ପତାକା ଆୟତାକାର ଥିଲେ ସୁଦ୍ଧା ଭିନ୍ନ ଦେଖାଯାଉଥିଲା। ରଙ୍ଗବେରଙ୍ଗ ଧଡ଼ି ଥିବା ପତାକା ଭିତରେ ବୌଦ୍ଧମାନଙ୍କ ପ୍ରାର୍ଥନାର ପ୍ରତୀକ ଏବଂ ତାହାର ଚାରିପାଖେ ଧାର୍ମିକ ଚିତ୍ରଗୁଡ଼ିକ ରହିଥିଲା। ହାଇଦ୍ରାବାଦ ଷ୍ଟେଟ୍‌ (୧୯୦୦-୧୯୪୭)ର ପତାକାରେ ସବୁଜ ଏବଂ ଲାଲ ରଙ୍ଗର ଦୁଇଟି ପଟି ସହିତ ଧଳା କ୍ରିସେଣ୍ଟ ଏବଂ ତାରା ଚିହ୍ନ ଥିଲା।

ଜାତୀୟ ପତାକାର କ୍ରମବିକାଶ

କମ୍ପାନି ଶାସନ ସମୟର ପତାକା
୧୬୦୦ରୁ ୧୮୫୮ ପର୍ଯ୍ୟନ୍ତ ଇଷ୍ଟ ଇଣ୍ଡିଆ କମ୍ପାନି କାଳରେ ପ୍ରାୟ ତିନି ପ୍ରକାର ପତାକା ପ୍ରଚଳିତ ହୋଇଥିଲା। ୧୬୦୦ରୁ ୧୭୦୭ ପର୍ଯ୍ୟନ୍ତ ପତାକାରେ ପଟି ଏବଂ ସେଣ୍ଟ ଜର୍ଜଙ୍କ କ୍ରସ୍ ରହୁଥିଲା। ୧୭୦୭ରୁ ୧୮୦୧ ଏବଂ ୧୮୦୧ରୁ ୧୮୫୮ ପର୍ଯ୍ୟନ୍ତ ପତାକାରେ ପଟି ସହିତ ଗ୍ରେଟ୍‌ ବ୍ରିଟେନ୍‌ର ୟୁନିଅନ୍‌ ଫ୍ଲାଗ୍ ସ୍ଥାନ ପାଇଲା। ୧୮୦୧ରୁ ୧୮୫୮ ପର୍ଯ୍ୟନ୍ତ ସେହି ପତାକା ପ୍ରଚଳିତ ହୋଇଥିଲେ ସୁଦ୍ଧା ୟୁନିଅନ୍ ଫ୍ଲାଗ୍‌ରେ ପରିବର୍ତ୍ତନ ହୋଇଥିବାରୁ ଏହି ପତାକା ମଧ୍ୟ ସାମାନ୍ୟ ପରିବର୍ତ୍ତିତ ହୋଇଥିଲା।

ବ୍ରିଟିସ୍ ଇଣ୍ଡିଆର ପତାକା
୧୮୫୮ରୁ ୧୯୪୭ ପର୍ଯ୍ୟନ୍ତ ବ୍ରିଟିସ୍ ସରକାର ଭାରତରେ ସଂଯୁକ୍ତ ରାଷ୍ଟ୍ରର ପତାକା ବ୍ୟବହାର କରିଥିଲେ। ୧୮୮୫ରୁ ଭାଇସରୟ ଏବଂ ଗଭର୍ଣ୍ଣର ଜେନେରାଲ୍‌ଙ୍କ ପାଇଁ ଅଲଗା ପତାକା ପ୍ରସ୍ତୁତ ହୋଇଥିଲା। ବ୍ରିଟିସ୍ ପତାକାରେ ବ୍ରିଟେନ୍‌ର ରାଜକୀୟ ମୁକୁଟ ଏବଂ ଆଲୁଅ ଦେଉଥିବା ତାରକାର ଚିହ୍ନ ଥିଲା। ତାରକା ଚାରିପାଖରେ ଇଂରାଜୀ ଅକ୍ଷରରେ ଲେଖା ହୋଇଥିଲା ହେଭେନ୍ସ ଲାଇଟ୍‌ ଆୱାର ଗାଇଡ୍‌, ଅର୍ଥାତ୍ ସ୍ବର୍ଗର ଆଲୁଅ ଆମର ପଥପ୍ରଦର୍ଶକ।

ଦେଶ ପରାଧୀନ ଥିବା କାଳରେ ବ୍ରିଟିସ୍-ଭାରତୀୟ ସେନା ନିଜର ପତାକା ପ୍ରଚଳନ ଆରମ୍ଭ କରିଦେଇଥିଲା ୧୯୪୨ରୁ। ୧୯୪୨ରୁ ୧୯୪୭ ପର୍ଯ୍ୟନ୍ତ ଷ୍ଟାର ଅଫ୍‌ ଇଣ୍ଡିଆ, ମୁକୁଟ ଏବଂ ଦୁଇଟି ଖଣ୍ଡାର ଚିହ୍ନ ଥାଇ ଲାଲ ରଙ୍ଗର ପତାକା ବ୍ୟବହାର କରାଯାଇଥିଲା। ଇଣ୍ଡିଆନ ଆର୍ମି ସର୍ଭିସ୍ କର୍ପସ ଦ୍ବାରା ଏହି ପତାକାର ରଙ୍ଗକୁ ଗାଢ଼ ନୀଳ କରିଦେଇ ସେଥିରେ ୟୁନିଅନ୍ ଫ୍ଲାଗ୍‌ ଯୋଡ଼ି ଦିଆଯାଇଥିଲା। ‌ସେହି ସମାନ ଶୈଳୀର ହାଲୁକା ନୀଳ ରଙ୍ଗର ପତାକା ରୟାଲ୍‌ ଇଣ୍ଡିଆନ ଏୟାର ‌ଫୋର୍ସ ଏବଂ ନେଭି ଦ୍ବାରା ବ୍ୟବହୃତ ହୋଇଥିଲା।

ମହାତ୍ମା ଗାନ୍ଧୀଙ୍କ ସହ ପିଙ୍ଗଲି ଭେଙ୍କୟା (ବାମ ପଟୁ ପ୍ରଥମ)

ସ୍ବାଧୀନ ଭାରତର ପତାକା
ଭାରତର ପ୍ରଥମ ଜାତୀୟ ପତାକା ୭ ଅଗଷ୍ଟ ୧୯୦୬ରେ ଉତ୍ତୋଳନ କରାଯାଇଥିଲା ବୋଲି କୁହାଯାଏ। କୋଲ୍‌କାତାର ଗ୍ରୀନ୍ ପାର୍କରେ ଏହା ଉତ୍ତୋଳନ କରାଯାଇଥିଲା। ସେହି ପତାକାରେ ସବୁଜ, ହଳଦିଆ ଏବଂ ଲାଲ ରଙ୍ଗର ତିନିଟି ପଟି ଥିଲା। ସବୁଜ ପଟି‌ରେ ୮ଟି ପଦ୍ମ ଫୁଲ, ହଳଦିଆ ପଟି‌ରେ ‘ବନ୍ଦେମାତରମ୍‌’ ଏବଂ ଲାଲ୍‌ ଷ୍ଟ୍ରିପର ଗୋଟିଏ ପଟେ ସୂର୍ଯ୍ୟ ଏବଂ ଆରପଟେ ଚନ୍ଦ୍ରାଂଶ ଚିହ୍ନ ଥିଲା। ଏହା ପୂର୍ବରୁ ୧୯୦୪ରେ ଜାତୀୟ ପତାକା ସମ୍ପର୍କିତ ପ୍ରଥମ ପ୍ରସ୍ତାବ ଆସିଥିଲା। ୧୯୦୫ରେ ବଙ୍ଗଳାରେ ବନ୍ଦେମାତରମ୍‌ ଲେଖା ହୋଇଥିବା ଏକ ପତାକା ଭଗିନୀ ନିବେଦିତା ପ୍ରସ୍ତୁତ କରିଥିଲେ। ୧୮୫୭ରେ ମୁକ୍ତି ସଂଗ୍ରାମ ଉପଲକ୍ଷେ ଏକ ପତାକା ପ୍ରସ୍ତୁତ ‌ହୋଇଥିବାର ଜଣାପଡ଼େ। ୧୯୦୭ରେ ବର୍ଲିନ୍ କମିଟି ଫ୍ଲାଗ୍‌ ପ୍ରଥମ ଥର ପାଇଁ ଭିକାଜି କାମାଙ୍କ ଦ୍ବାରା ଲହରା ଯାଇଥିଲା। ଏହି ପତାକା ମଧ୍ୟ ୧୯୦୬ର ପତାକା ଭଳି, କିନ୍ତୁ ଏଥିରେ ସବୁଜ ପଟି‌ରେ ପଦ୍ମ ଫୁଲ ବଦଳରେ ସପ୍ତର୍ଷିଙ୍କୁ ସୂଚାଉଥିବା ସାତଟି ତାରା ଚିହ୍ନ ରଖାଯାଇଥିଲା। ବର୍ଲିନର ଏକ ସୋସାଲିଷ୍ଟ କନଫରେନ୍ସରେ ଏହା ପ୍ରଦର୍ଶିତ ହୋଇଥିଲା। ହୋମ୍‌ ରୁଲ୍‌ ଆନ୍ଦୋଳନ କାଳରେ ୧୯୧୭ରେ ଅନ୍ୟ ପ୍ରକାର ପତାକାଟିଏ ବ୍ୟବହାର କରାଯାଇଥିଲା। ଏହାକୁ ଡକ୍ଟର ଆନି ବେସାନ୍ତ ଏବଂ ଲୋକମାନ୍ୟ ତିଲକ ପ୍ରଥମେ ଉତ୍ତୋଳନ କରିଥିଲେ। ଏଥିରେ ପାଞ୍ଚଟି ଲାଲ ଏବଂ ଚାରିଟି ସବୁଜ ସମାନ୍ତରାଳ ପଟି ଥିଲା। ୟୁନିଅନ ଜ୍ୟାକ୍, ସପ୍ତର୍ଷି ଏବଂ କ୍ରିସେଣ୍ଟ ଚିହ୍ନ ଏଥିରେ ରହିଥିଲା।

ହର ଘର ତ୍ରିରଙ୍ଗା
ସ୍ବାଧୀନତାର ଛଅସ୍ତରି ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ହେଉଛି। ଏହି ମହୋତ୍ସବର ଅଂଶବି‌େଶଷ ଭାବେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ା‌ଇବାର କାର୍ଯ୍ୟକ୍ରମ ରହିଛି। ଦେଶପ୍ରେମର ନିଦର୍ଶନ ସ୍ବରୂପ ଲୋକେ ବିଭିନ୍ନ ମାଧ୍ୟମରେ ଜାତୀୟ ପତାକାକୁ ସମ୍ମାନ ଜଣାଉଛନ୍ତି। ବି‌ଶେଷତଃ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି।

୧୯୨୧ରେ ସବୁଜ ଓ ନାରଙ୍ଗୀ ରଙ୍ଗ ଭିତରେ ଅରଟ ଚିହ୍ନ ଥିବା ପତାକା ବେଜୱାଡା (ବିଜୟୱାଡ଼ା)ରେ ଗାନ୍ଧୀଙ୍କୁ ଦେଖାଯାଇଥିଲା। ଏହି ଦୁଇ ରଙ୍ଗ ଭାରତର ପ୍ରମୁଖ ଦୁଇ ସମ୍ପ୍ରଦାୟ ହିନ୍ଦୁ ଏବଂ ମୁସଲମାନଙ୍କ ସଙ୍କେତ ଭାବେ ବ୍ୟବହୃତ ହୋଇଥିଲା। ସେତେବେଳେ ଗାନ୍ଧୀଜୀ ଆଉ ଏକ ରଙ୍ଗ ଧଳା ମିଶେଇବା ପାଇଁ ପରାମର୍ଶ ଦେଇଥିଲେ। ସେହି ରଙ୍ଗ ଦେଶର ଅନ୍ୟ ସମସ୍ତ ସମ୍ପ୍ରଦାୟକୁ ଏବଂ ଅରଟର ଚକ ଦେଶର ପ୍ରଗତିକୁ ସୂଚାଇବ ବୋଲି କହିଥିଲେ। ୧୯୩୧ ମସିହାକୁ ଭାରତୀୟ ପତାକା ଇତିହାସର ଅବିସ୍ମରଣୀୟ ବର୍ଷ ବୋଲି କୁହାଯାଏ। ଏହି ବର୍ଷ ହିଁ ନିଷ୍ପତ୍ତି ହୋଇଥିଲା ଯେ ତ୍ରିରଙ୍ଗା ପତାକା ହେଉଛି ଦେଶର ଜାତୀୟ ପତାକା। ସେହି ତିନି ରଙ୍ଗ ହେଉଛି ନାରଙ୍ଗୀ, ଧଳା ଏବଂ ସବୁଜ। କିନ୍ତୁ ଏହି ତିନି ରଙ୍ଗ କୌଣସି ସମ୍ପ୍ରଦାୟର ପ୍ରତୀକ ଭାବରେ ବ୍ୟବହାର କରାଯାଇ ନ ଥିଲା। ମଝିରେ ଗାନ୍ଧୀଙ୍କ ଅରଟ ରହିଥିଲା। ଜାତୀୟ ପତାକାର ମୂଳରୂପର ସଂରଚନା କରିଥିଲେ ପିଙ୍ଗଲି ଭେଙ୍କୟା। ୧୯୪୭ ମସିହା ଜୁଲାଇ ୨୧ ତାରିଖରେ ସଂଯୁକ୍ତ ଆସେମ୍ବଲି ମଝିରେ ଅଶୋକ ଚକ୍ର ଚିହ୍ନ ଥିବା ତ୍ରିରଙ୍ଗା ପତାକାକୁ ସ୍ବାଧୀନ ଭାରତର ପତାକା ଭାବେ ଗ୍ରହଣ କରିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button