ସିବିଟିର ୨୩୬ତମ ବୈଠକ: ୩.୮୩ କୋଟି ଦାବି ସମାଧାନ କଲାଣି ଇପିଏଫ୍ଓ

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ୨୩୬ତମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏଥିରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଇପିଏଫ୍ ସ୍କିମର ଅନୁଚ୍ଛେଦ ୬୦(୨)(ଖ)ରେ ସଂଶୋଧନକୁ ମଞ୍ଜୁରି ଦିଆଯାଇଛି। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, ମାସର ୨୪ ତାରିଖ ପର୍ଯ୍ୟନ୍ତ ସେଟେଲ୍ ହେଉଥିବା ଦାବିଗୁଡ଼ିକ ଉପରେ ସୁଧ ହାର ତା ପୂର୍ବମାସ ଶେଷ ପର୍ଯ୍ୟନ୍ତ ଦିଆଯାଉଛି। କିନ୍ତୁ ନୂଆ ନିଷ୍ପତ୍ତି ଅନୁଯାୟୀ ସେଟେଲମେଣ୍ଟ୍ ହେଉଥିବା ତାରିଖ ପର୍ଯ୍ୟନ୍ତ ସଦସ୍ୟମାନଙ୍କୁ ସୁଧ ଦିଆଯିବ। ଏହାଦ୍ବାରା ସଦସ୍ୟମାନେ ଉପକୃତ ହେବେ ଏବଂ ଅଭିଯୋଗ ସଂଖ୍ୟା ହ୍ରାସ ପାଇବ। ବର୍ତ୍ତମାନ ସୁଦ୍ଧା ସୁଧ ଦେବାକୁ ଥିବା ଦାବିଗୁଡ଼ିକ ପ୍ରତି ମାସର ୨୫ ତାରିଖରୁ ମାସ ଶେଷ ପର୍ଯ୍ୟନ୍ତ ପ୍ରୋସେସ ହେଉ ନଥିଲା। ସଦସ୍ୟମାନଙ୍କୁ ସୁଧରେ ହେବାକୁ ଥିବା କ୍ଷତିକୁ ଦୃଷ୍ଟିରେ ରଖି ଏହା କରାଯାଉ ନଥିଲା। ଆଜିର ନିଷ୍ପତ୍ତି ଫଳରେ ଏସବୁ ଦାବି ଉପରେ ମାସସାରା କାର୍ଯ୍ୟ ହେବ। ଏଥିସହିତ ଇଡିଏଲଆଇ ସୁବିଧା ସଂପ୍ରସାରଣକୁ ବୈଠକରେ ସ୍ବୀକୃତି ଦିଆଯାଇଛି। ୨୦୨୪ ଏପ୍ରିଲ ୨୮ରୁ ପିଛିଲା ଭାବେ ଏହା ଲାଗୁ କରାଯାଇଛି। ଏହାଦ୍ବାରା ସଦସ୍ୟମାନେ ସର୍ବନିମ୍ନ ୨.୫ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୭ ଲକ୍ଷ ଟଙ୍କାର ଲାଭ ପାଇବେ। ଏଥିସହିତ ଇପିଏଫଓର ସର୍ବକ୍ଷମା ଯୋଜନା ୨୦୨୪କୁ ସିବିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିସ କରାଯାଇଛି। ଏଥିସହିତ ନିଯୁକ୍ତିଦାତା ଓ ସଦସ୍ୟମାନଙ୍କ ସୁବିଧା ପାଇଁ ଅନ୍ୟାନ୍ୟ କେତେକ ନିଷ୍ପତ୍ତି ମଧ୍ୟ ସିବିଟି ପକ୍ଷରୁ ଆଜି ନିଆଯାଇଛି।