ନୀତି

ସବୁଠୁ ବୟସ୍କ ଗୋଲ୍‌ଡଫିସ୍ : ସୁନେଲି କାତି ରୁପେଲି ହୋଇଗଲା – Utkal Mail


ଗୋଲ୍‌ଡଫିସ୍‌ର କାତିଗୁଡ଼ିକ ସଂପୂର୍ଣ୍ଣ ସୁନେଲି ରଙ୍ଗର ହୋଇଥିବାରୁ ତାହାର ଏପରି ନାମକରଣ ହୋଇଛି। ଏହି ମାଛର ହାରାହାରି ବୟସ ମାତ୍ର ୧୫ ବର୍ଷ। ହେଲେ ୟୁନାଇଟେଡ୍‌ କିଙ୍ଗଡମ୍‌ର ଉତ୍ତର ୟର୍କସାୟାର ସ୍ଥିତ ଏକ ଆକ୍ବାରିଅମ୍‌ରେ ‘ଟିସ୍‌’ ନାମକ ଏକ ଅଣ୍ଡିରା ଗୋଲ୍‌ଡଫିସ୍‌ ଦୀର୍ଘ ୪୩ ବର୍ଷ ଯାଏ ବଞ୍ଚିଥିଲା। ସର୍ବାଧିକ ବର୍ଷ ବଞ୍ଚିଥିବା ଗୋଲ୍‌ଡଫିସ୍‌ ଭାବେ ଟିସ୍‌ ଗିନିସ ବିଶ୍ବ ରେକର୍ଡ କରିଥିଲା। ହିଲଡା ହାଣ୍ଡ ଓ ତାଙ୍କ ପୁଅ ପିଟର ୧୯୫୬ ମସିହାରେ ‘ଟିସ୍‌’କୁ ଘରକୁ ଆଣିଥିଲେ। ପିଟରଙ୍କୁ ୭ ବର୍ଷ ବୟସ ହୋଇଥିବା ବେଳେ ସେ ଏକ ପ୍ରତିଯୋଗିତାରେ ଏହି ଗୋଲ୍‌ଡଫିସ୍‌ଟି ଜିଣିଥିଲେ।

ମାଛଟି କୌଣସିମତେ ୧୯୯୮ ମସିହା ଯାଏ ବଞ୍ଚିଥିଲା। ଆଜି ପର୍ଯ୍ୟନ୍ତ ତା’ ନାମରେ ଏହି ରେକର୍ଡ ଅକ୍ଷୁଣ୍ଣ ରହିଛି। ଅପରପକ୍ଷେ, ୧୯୮୮ରେ ହିଲଡାଙ୍କ ଅନୁପସ୍ଥିତିରେ ଟିସ୍‌ ପାଇଁ ଏକ ଘାତକ ମୁହୂର୍ତ୍ତ ଆସିଥିଲା, ଯେତେବେଳେ ସେ ପାଣି ପାତ୍ର ବାହାରକୁ ଡେଇଁ ଭୂଇଁରେ ପଡ଼ିଥିଲା। ହିଲଡା ଘରକୁ ଫେରି ଭୂଇଁରେ ଛଟପଟ ହେଉଥିବା ଟିସ୍‌କୁ ଉଠାଇ ପାଣିରେ ଛାଡ଼ି ଦେଇଥିଲେ ଏବଂ ସେ ପହଁରିବା ଆରମ୍ଭ କରିଥିଲା।

ଆଉ ଏକ ମଜା କଥା ହେଲା, ବୃଦ୍ଧାବସ୍ଥାରେ ଯେପରି ମଣିଷର କେଶଗୁଡ଼ିକ ପାଚି ଧଳା ପଡ଼ିଯାଏ, ୧୯୮୮ ପରଠାରୁ ଟିସ୍‌ର ସୁନେଲି କାତିଗୁଡ଼ିକ ଧୀରେ ଧୀରେ ରୁପେଲି ରଙ୍ଗ ଧାରଣ କରିବା ଆରମ୍ଭ କରିଥିଲା। ବୟସାଧିକ୍ୟ ହେତୁ ତାହାର ରଙ୍ଗ ଫିକା ପଡ଼ି ରୁପେଲି ହୋଇଥିଲା ବୋଲି ମତ୍ସ୍ୟ ବିଶେଷଜ୍ଞମାନଙ୍କ ମତ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button