ନୀତି

ଉତ୍ତରକାଶୀ ଘଟଣା: ଜିତିଲା ଜୀବନ – Utkal Mail


ପ୍ରକୃତ ହିରୋ ରୢାଟ୍‌ ହୋଲ୍‌ ମାଇନର୍ସ, ବଞ୍ଚାଇଲା ନିଷିଦ୍ଧ ‘ମୂଷା ଗାତଖୋଳା ପଦ୍ଧତି’

 

ଉତ୍ତରକାଶୀ ସୁଡ଼ଙ୍ଗରେ ନଭେମ୍ବର ୧୨ରୁ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଥିବା ବିଶାଳ ଅଭିଯାନର ସଫଳ ପରିସମାପ୍ତି ସହ ଏହି ଶ୍ରମିକମାନଙ୍କୁ ନୂଆ ଜୀବନ ମିଳିଛି। ବ୍ରହ୍ମଖାଲ-ଯମୁନୋତ୍ରୀ ରାଜପଥର ନିର୍ମାଣାଧୀନ ସୁଡ଼ଙ୍ଗରେ ଅତଡ଼ା ଧସିବାରୁ ଅତ୍ୟନ୍ତ ଜଟିଳ ସ୍ଥିତି ଉପୁଜିଥିଲା। ଶ୍ରମିକମାନେ ଫସି ରହିବାର ଦିନକ ପରେ ଏକ ୪ ଇଞ୍ଚ ମୋଟେଇର ପାଇପ୍‌ ଜରିଆରେ ସେମାନଙ୍କ ନିକଟକୁ ଶୁଖିଲା ଫଳ ଏବଂ ପାଣି ପଠାଇବା ଆରମ୍ଭ ହୋଇଥିଲା। ଉକ୍ତ ପାଇପ ଯୋଗେ କ‌ମ୍ପ୍ରେସର ବ୍ୟବହାର କରି ଏସବୁ ସାମଗ୍ରୀ ପ୍ରେରଣ କରାଯାଇଥିଲା। ସେହି ପାଇପ୍‌ ଜରିଆରେ ଭିତରକୁ ଅମ୍ଳଜାନ ଯୋଗାଣ ମଧ୍ୟ ହୋଇଥିଲା। ମୂଷା ଗାତଖୋଳା ପଦ୍ଧତିରେ ଏହି ଶ୍ରମିକଙ୍କୁ ଉଦ୍ଧାର ପୂର୍ବରୁ ଅଗର ମେସିନ୍‌ ଦ୍ବାରା ଖୋଳିବା କାର୍ଯ୍ୟ ବାରମ୍ବାର ବିଫଳ ହୋଇଥିଲା। ଆଜି ରାତିରେ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ଦେଶବାସୀଙ୍କୁ ଆଶ୍ବସ୍ତ କରିଛି।

ପ୍ରକୃତ ହିରୋ ରୢାଟ୍‌ ହୋଲ୍‌ ମାଇନର୍ସ
ନୂଆଦିଲ୍ଲୀ, ୨୮/୧୧: ଉତ୍ତରକାଶୀର ସିଲ୍କୟାରା ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ପ୍ରକୃତ ନାୟକ ସାଜିଛନ୍ତି ୬ ଜଣ ଟ୍ୟାଟ୍‌ ହୋଲ୍‌ ମାଇନର୍ସ। ୮୦୦ ମିଲିମିଟର ପାଇପ୍‌ ଭିତରେ ପଶିବା ପୂର୍ବରୁ ପ୍ରସାଦ ଲୋଦୀ ଦେଖାଇଥିବା ଆତ୍ମବିଶ୍ବାସ ଏହା ଜଣାଇ ଦେଇଥିଲା। ପ୍ରସାଦଙ୍କ ସହିତ ଅନ୍ୟ ୫ ଜଣ ରୢାଟ ମାଇନର୍ସ ସେମାନଙ୍କ ଜୀବନକୁ ବାଜି ଲଗାଇ ୪୧ ଶ୍ରମିକଙ୍କ ଜୀବନ ଉଦ୍ଧାର ପାଇଁ ପାଇପ୍‌ ଭିତରେ ପ୍ରବେଶ କରିଥିଲେ। ପ୍ରସାଦ କୁହନ୍ତି ସେ ୬୦୦ ମିଲିମିଟର ପାଇପ୍‌ ଭିତରେ ମଧ୍ୟ କାମ କରିଛନ୍ତି। ଉତ୍ତରକାଶୀ ସୁଡ଼ଙ୍ଗ ଉଦ୍ଧାରରେ ତାଙ୍କର ସାହସ ଅନେକଙ୍କୁ ଆଶା ଦେଇଛି। ଉଦ୍ଧାର ସ୍ଥଳରେ ତାଙ୍କର ପ୍ରବେଶ କୌଣସି ଚଳଚ୍ଚିତ୍ରର ନାୟକଙ୍କ ଠାରୁ କିଛି କମ୍‌ ନଥିଲା। ଶ୍ରମିକଙ୍କୁ ବାହାର କରିବାରେ ସେମାନେ ହିରୋ ଭଳି ଭୂମିକା ନିର୍ବାହ କରିଛନ୍ତି। ରବିବାର ସେମାନେ ସୁଡ଼ଙ୍ଗ ଭିତରେ ପ୍ରବେଶ କରିଥିଲେ। ଉକ୍ତ ରୢାଟ ହୋଲ୍‌ ମାଇନର୍ସମାନଙ୍କୁ ଘରୋଇ କମ୍ପାନି ଟ୍ରେଞ୍ଚଲେସ୍ ଇଞ୍ଜିନିୟରିଂ ସର୍ଭି‌ସେସ୍‌ ନିୟୋଜିତ କରିଛି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ପାଣି ପାଇପଲାଇନ ବିଛାଇବା ସମୟରେ ସୁଡ଼ଙ୍ଗ ଭିତରେ କାମ କରିବାର ଉଚ୍ଚ ଦକ୍ଷତା ସେମାନଙ୍କ ନିକଟରେ ରହିଛି। ଏହି ୬ ଜଣ ଶ୍ରମିକଙ୍କ ଜରିଆରେ ଭୁଶୁଡ଼ି ପଡ଼ିଥିବା କଂକ୍ରିଟ, ପଥର ଏବଂ ମାଟି ଆଦିକୁ ଖନନ କରି ସଫା କରାଯାଇଥିଲା। ଜଣେ ଡ୍ରିଲିଂ ମେସିନ ସହାୟତାରେ ଖନନ କରୁଥିବାବେଳେ ଅନ୍ୟ ଜଣେ ଶ୍ରମିକ ସେସବୁ ସାମଗ୍ରୀକୁ ଟ୍ରଲି ସାହାଯ୍ୟରେ ବାହାରକୁ ଆଣିଥିଲେ। ଫଳରେ ଶ୍ରମିକମାନେ ଫସି ରହିଥିବା ସ୍ଥାନକୁ ରାସ୍ତା ଫିଟୁଛି। ବାହାରେ ୪ ଜଣ ଶ୍ରମିକ ଛିଡ଼ା ହୋଇ ଟ୍ରଲିରେ ଆସୁଥିବା ୬ରୁ ୭ କେଜି ଲେଖାଏଁ ପଥର, କଂକ୍ରିଟ ଗୁଣ୍ଡକୁ ବାହାରକୁ ଦୌଡ଼ି ସାହାଯ୍ୟରେ ଟାଣି ବାହାର କରିଥିଲେ। ଭିତରେ ପଶି କାମ କରୁଥିବା ୨ ଜଣ ଲୋକ ଯେତେବେଳେ ଥକି ଯାଉଥିଲେ। ସେତେବେଳେ ବାହାରେ କାମ କରୁଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଭିତରେ ପଶୁଥିଲେ।

ବଞ୍ଚାଇଲା ନିଷିଦ୍ଧ ‘ମୂଷା ଗାତଖୋଳା ପଦ୍ଧତି’ ରୢାଟ୍:ହୋଲ୍ ମାଇନିଂ କ’ଣ?
୪ ଫୁଟରୁ କମ୍ ଚଉଡ଼ାର ଅତ୍ୟନ୍ତ ଛୋଟ ଗାତ ଖୋଳି କୋଇଲା ଉତ୍ତୋଳନ କରିବାର ଏକ ପଦ୍ଧତି ହେଉଛି ମୂଷାଗାତ ଖଣି ଖନନ। ଖଣି ଶ୍ରମିକମାନେ କୋଇଲା ପାଖରେ ପହଞ୍ଚିବା ପରେ କୋଇଲା ଉତ୍ତୋଳନ ପାଇଁ ପାର୍ଶ୍ୱରେ ସୁଡ଼ଙ୍ଗ ତିଆରି କରାଯାଏ। ବାହାରକୁ ଅଣାଯାଇଥିବା କୋଇଲାକୁ ନିକଟରେ ଫିଙ୍ଗି ଦିଆଯାଏ ଏବଂ ପରେ ତାକୁ ପରିବହନ କରାଯାଏ। ମୂଷା ହୋଲ ଖନନରେ ଶ୍ରମିକମାନେ ଖଣି ଭିତରକୁ ପଶି ଖନନ ପାଇଁ ହାତରେ ଥିବା ଉପକରଣ ବ୍ୟବହାର କରିଥାନ୍ତି। ମେଘାଳୟରେ ଏହା ଖଣି ଖନନ ଏକ ସାଧାରଣ ପଦ୍ଧତି ଭାବେ ପ୍ରଚଳିତ ହୋଇଆସୁଛି।
କାହିଁକି ନିଷିଦ୍ଧ ହେଲା ରୢାଟ୍‌ ହୋଲ୍ ଖଣି ଖନନ?
ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ୨୦୧୪ ମସିହାରେ ଅବୈଜ୍ଞାନିକ ହୋଇଥିବାରୁ ମୂଷା ହୋଲ୍ ଖନନ ଉପରେ ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ଏହି ପ୍ରଥା ଜାରି ରହିଛି। ଉତ୍ତର:ପୂର୍ବ ରାଜ୍ୟରେ ଅନେକ ଦୁର୍ଘଟଣାରେ ମୂଷା ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୨୦୧୮ରେ ବେଆଇନ ଖଣି ଖନନରେ ସଂପୃକ୍ତ ୧୫ ଜଣ ବ୍ୟକ୍ତି ବନ୍ୟାଗ୍ରସ୍ତ ଖଣି ଭିତରେ ଫସି ଯାଇଥିଲେ। ଦୁଇ ମାସରୁ ଅଧିକ ସମୟ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟରେ ମାତ୍ର ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇପାରିଥିଲା। ୨୦୨୧ମସିହାରେ ଏଭଳି ଆଉ ଏକ ଦୁର୍ଘଟଣା ଘଟିଥିଲା ଯେତେବେଳେ ଏକ ବନ୍ୟାଗ୍ରସ୍ତ ଖଣିରେ ୫ ଜଣ ଖଣି ଶ୍ରମିକ ଫସି ଯାଇଥିଲେ। ଉଦ୍ଧାରକାରୀ ଦଳ ଏକ ମାସ ପରେ ଅପରେସନ ବନ୍ଦ କରିବା ପୂର୍ବରୁ ୩ ଜଣଙ୍କ ମୃତଦେହ ମିଳିଥିଲା। ପରିବେଶ ପ୍ରଦୂଷଣକୁ ମଧ୍ୟ ବିଚାରକୁ ନେଇ ଏହାକୁ ନିଷିଦ୍ଧ କରାଯାଇଥିଲା।
ଉତ୍ତରାଖଣ୍ଡ ଅପରେସନ
ଆମେରିକାନିର୍ମିତ ଅଗର ମେସିନ୍ ଭଗ୍ନାବଶେଷ କାଟିବାରେ ବିଫଳ ହେବା ପରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏହି ନିଷିଦ୍ଧ ପଦ୍ଧତିର ଉପଯୋଗ ହୋଇଛି। ଏଥିପାଇଁ ଦିଲ୍ଲୀରୁ ୧୨ ଜଣିଆ ବିଶେଷଜ୍ଞଙ୍କ ଦୁଇଟି ଟିମ୍ ପଠାଯାଇଥିଲା। ଏହି ପଦ୍ଧତିରେ ଜଣେ ବ୍ୟକ୍ତି ଡ୍ରିଲିଂ କରନ୍ତି, ଅନ୍ୟ ଜଣେ ଭଗ୍ନାବଶେଷ ସଂଗ୍ରହ କରନ୍ତି ଏବଂ ତୃତୀୟ ଜଣକ ଏହାକୁ ବାହାର କରିବା ପାଇଁ ଟ୍ରଲିରେ ରଖନ୍ତି। ପକ୍ରିୟା ଶେଷ ହେବା ସହ ଫସିଥିବା ଶ୍ରମିକଙ୍କ ନିକଟକୁ ଶେଷ ପାଇପ୍‌ ସଂଯୋଗ ସଫଳ ହୋଇଥିଲା।

ଉଦ୍ଧାର ଅଭିଯାନର ଘଟଣାକ୍ରମ

ନଭେମ୍ବର ୧୪: ୮୦୦:୯୦୦ ମିଲିମିଟର ବ୍ୟାସ ବିଶିଷ୍ଟ ଇସ୍ପାତ ପାଇପଗୁଡିକ ଟନେଲ ସାଇଟ୍‌କୁ ଅଣାଯାଇ ଭୂସମାନ୍ତରାଳ ଖନନ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା।ଏକ ଆଗର ମେସିନ୍ ସାହାଯ୍ୟରେ ଚାଲିଥିବା ଖନନ ବିଭିନ୍ନ ବାଧାର ସମ୍ମୁଖୀନ ହୋଇଥିଲା ଏବଂ ମେସିନର ବ୍ଲେଡ୍‌ ଏଥିରେ ଫସି ଯାଇଥିଲା। ତେବେ ଫସି ରହିଥିବା ଶ୍ରମିକମାନଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ, ବିଦ୍ୟୁତ୍ ଏବଂ ଔଷଧ ଯୋଗାଣରେ ସମସ୍ୟା ହୋଇନଥିଲା ଏବଂ ଏହା ଜାରି ରହିଥିଲା।
ନଭେମ୍ବର ୧୫: ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ଥିବା ଅଗର ମେସିନ୍ ଦ୍ବାରା ଖୋଳିବା କାର୍ଯ୍ୟ ମନ୍ଥର ହେବାରୁ ଅତ୍ୟାଧୁନିକ ‌ଅଗର ମେସିନ ଆଣିବା ବ୍ୟବସ୍ଥା କରାଯାଇଥିଲା। ଆମେରିକାରେ ନିର୍ମିତ ଭୂସମାନ୍ତରାଳ ଡ୍ରିଲିଂ ଅଗର ମେସିନ ଉଦ୍ଧାରକାରୀ ଦଳ ଆଣିଥିଲେ। ଭାରତୀୟ ବାୟୁସେନାର ହରକୁଲେସ ସି:୧୩୦ ବିମାନରେ ତାହାକୁ ଦିଲ୍ଲୀରୁ ଅଣାଯାଇଥିଲା।
ନଭେମ୍ବର ୧୬: ଆମେରିକାରେ ନିର୍ମିତ ଅଗର ମେସିନ ୩ ଫୁଟ ଚଉଡ଼ାର ପାଇପ୍‌ ଭର୍ତ୍ତି କରିବା ଲାଗି ଡ୍ରିଲିଂ କାର୍ଯ୍ୟ ଆରମ୍ଭ କରିଥିଲା।
ନଭେମ୍ବର ୧୮: ପୂର୍ବତନ ସେକ୍ରେଟାରି ଭାସ୍କର ଖୁଲବେଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶ୍ରମିକଙକ୍ ଉଦ୍ଧାର ପାଇଁ ୫ ପ୍ରକାର ରଣନୀତି ପ୍ରସ୍ତୁତ କରାଗଲା। ଭୂଲମ୍ବ ଡ୍ରିଲିଂ ସହିତ ଟନେଲର ଉଭୟ ପଟୁ ଏସକେପ୍‌ ଚ୍ୟାନେଲ ନିର୍ମାଣ ଯୋଜନା ସହିତ ବାରକୋଟ୍ ପଟୁ ଏକ ଉଦ୍ଧାର ସୁଡ଼ଙ୍ଗ ନିର୍ମାଣ ଏବଂ ଭୂସମାନ୍ତରାଳ ଡ୍ରିଲିଂ ଜାରି ରଖିବା ଲାଗି ଯୋଜନା ପ୍ରସ୍ତୁତ ହେଲା।
ନଭେମ୍ବର ୨୦: ୯ ଦିନର ଅକ୍ଳାନ୍ତ ଉଦ୍ୟମ ପରେ ଉଦ୍ଧାରକାରୀ ଦଳ ଏକ ବଡ଼ ସଫଳତା ହାସଲ କରିଥିଲେ। ଫସିଥିବା ଶ୍ରମିକଙ୍କ ନିକଟକୁ ଏକ ୬ ଇଞ୍ଚର ପାଇପ ଖୋଳି ପଠାଇବାକୁ ସକ୍ଷମ ହୋଇଥିଲେ। ଏହାଫଳରେ ଶ୍ରମିକମାନେ ରନ୍ଧାଖାଦ୍ୟ ସହିତ ପୋଷାକ ପାଇପାରିଥିଲେ।
ନଭେମ୍ବର ୨୧: ଫସିଥିବା ଶ୍ରମିକଙ୍କ ପ୍ରଥମ ଅଡିଓ:ଭିଜୁଆଲ ସିଲ୍କିୟା‌ରା ଟନେଲ ଭିତରୁ ବାହାରକୁ ଆସିଥିଲା। ୬ ଇଞ୍ଚ ପାଇପ୍‌ ଜରିଆରେ ଏଣ୍ଡୋସ୍କୋପିକ୍‌ କ୍ୟାମେରା ଭିତରକୁ ପଠାଯିବା ଦ୍ବାରା ଏହା ସମ୍ଭବ ହୋଇଥିଲା।
ନଭେମ୍ବର ୨୨: ଉଦ୍ଧାରକାରୀ ଦଳ ୪୫ ମିଟର ପର୍ଯ୍ୟନ୍ତ ଖୋଳିବାକୁ ସମର୍ଥ ହୋଇଥିଲେ। ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ଆଉ ମାତ୍ର ୧୫ ମିଟର ଡ୍ରିଲିଂ ଆବଶ୍ୟକ ଥିଲା। ତେବେ ହଠାତ ଆବର୍ଜନା ଧସି ଆସିବାରୁ ମେସିନ୍‌ ଅଚଳ ହୋଇଯାଇଥିଲା। କେତେକ ଲୁହା ରଡ୍‌କୁ ମେସିନ ସମ୍ମୁଖୀନ ହେବାରୁ ବଡ଼ ସମସ୍ୟା ଉପୁଜିଥିଲା।
ନଭେମ୍ବର ୨୩: ଡ୍ରିଲିଂରେ ରହିଥିବା ବାଧା ହଟାଇବା ପାଇଁ ଯୁଦ୍ଧସ୍ତରରେ କାମ ଚାଲିଥିଲା ଏବଂ ୬ ଘଣ୍ଟା ଡ୍ରିଲିଂ ବନ୍ଦ ରହିବା ପରେ ପୁଣି ସକାଳେ ଆରମ୍ଭ ହୋଇଥିଲା। ତେବେ ପୁଣି ପାହାଡ଼ର ତଳ ଉପର ଫାଟ ଯୋଗୁଁ ଡ୍ରିଲିଂ ମେସିନ୍‌ କାମ କରିନଥିଲା।
ନଭେମ୍ବର ୨୪: ବହୁ ବାଧାବିଘ୍ନ ଭିତରେ ଚାଲିଥିଲା ଡ୍ରିଲିଂ ପୁଣି ଅଟି ଯାଇଥିଲା। ଧାତବ ପଦାର୍ଥ ମାଡ଼ ହେବାପରେ ମେସିନ୍‌ର ଯନ୍ତ୍ରାଂଶ ଭାଙ୍ଗିଯାଇଥିଲା।
ନଭେମ୍ବର ୨୫: ଅନ୍ତର୍ଜାତୀୟ ସୁଡ଼ଙ୍ଗ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଥିଲେ ଯେ ଅଗର ମେସିନ୍‌ ବାରମ୍ବାର ବିପଳ ହେଉଥିବାରୁ ଖନନର ଅନ୍ୟ ପନ୍ଥା ଅବଲମ୍ବନ କରାଯିବ। ଭୂଲମ୍ବ ଖନନ ସହିତ ପାରମ୍ପରିକ ଖନନ ଉପରେ ସେ ଗୁରୁତ୍ବ ଦେଇଥିଲେ।
ନଭେମ୍ବର ୨୬: ଭୂଲମ୍ବ ଖନନ ପାଇଁ ଉପକରଣ ପହଞ୍ଚିଲା ଏବଂ ଏହି ପ୍ରକ୍ରିୟା ଆରମ୍ଭ ହେବା ସହିତ ଭୂଷଶ ଗାତଖୋଳା ପଦ୍ଧତିରେ ଅଭିଜ୍ଞ ଶ୍ରମିକମାନଙ୍କୁ ମଧ୍ୟ ଖନନରେ ନିୟୋଜିତ କରାଯାଇଥିଲା।
ନଭେମ୍ବର ୨୭: ଉଭୟ ପଦ୍ଧତିରେ ଚାଲିଥିବା ଖନନରେ ସନ୍ତୋଷଜନକ ଅଗ୍ରଗତି ନୂଆ ଆଶା ସଂଚାର କରିଥିଲା ଏବଂ ଶ୍ରମିକମାନେ ଶୀଘ୍ର ବାହାରିବା ଆଶ ବଳବତ୍ତର ହେଲା।
ନଭେମ୍ବର ୨୮: ଖନନ ପ୍ରକ୍ରିୟା ସଫଳ ହେବା ସହିତ ଉଦ୍ଧାରକାରୀ ଯବାନ ଟନେଲ୍‌ରେ ପ୍ରବେଶ କଲେ। ସମସ୍ତ ୪୧ ଶ୍ରମିକଙ୍କ ପାଇପ୍‌ ମାଧ୍ୟମରେ ବାହାରକୁ ଆଣିବା ପ୍ରକ୍ରିୟା ସଫଳ ହେଲା। ଜରୁରୀ ସ୍ବାସ୍ଥ୍ୟ ପରୀକ୍ଷା ପରେ ଏବେ ଶ୍ରମିକମାନଙ୍କୁ ନିରୀକ୍ଷଣରେ ରଖାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button